ବସୁଦେବ ଭାବୁଥା’ନ୍ତି ବଳରାମ, କୃଷ୍ଣ ଏଦୁହେଁ ତ ରାଜପୁତ୍ର । ଏପର୍ଯ୍ୟନ୍ତ ସେମାନଙ୍କର ଜନ୍ମ ପରେ ବିଧିମତ ସଂସ୍କାର ଆଦି ହୋଇନାହିଁ । ସେମାନଙ୍କର ଜାତକ, ନାମକରଣ ଓ ଅନ୍ୟାନ୍ୟ ପୂଜାବିଧି କିଛିବି କରାଯାଇ ନାହିଁ । ସେସବୁ କହିବା ପାଇଁ ସେ ଗର୍ଗ ଋଷିଙ୍କ ପାଖରେ ଯାଇ ପହଁଚିଲେ । ଗର୍ଗ ଋଷିଙ୍କୁ ସେ ଅନୁରୋଧ କରି କହିଲେ, “ମହାଶୟ, ଆପଣ ଏ କାମଟି ନ କଲେ ଆଉ କିଏ ବା କରିବ? ପିଲା ଦୁଇଟି ଆଜି ରାଜଭବନରେ ଥାଇ କେତେ ଐଶ୍ୱର୍ଯ୍ୟ ମଧ୍ୟରେ କାଳ କାଟୁଥାନ୍ତେ । କିନ୍ତୁ ବିଧିର ବ୍ୟବସ୍ଥା ଅନ୍ୟ ପ୍ରକାର । ଭାଗ୍ୟର ଏ କି ବିଡମ୍ବନା । ଏବେ ପର୍ଯ୍ୟନ୍ତ ଦୁଇ ପୁଅଙ୍କର ଜାତକ, ନାମକରଣ ଓ ପୂଜାଯଜ୍ଞ ଏସବୁ କିଛି ହୋଇନାହିଁ । ଆପଣ ଯଦି ଦୟାକରି ଏ କାର୍ଯ୍ୟଟି କରନ୍ତେ ତେବେ ମୁଁ ମୋ ନିଜକୁ ଧନ୍ୟ ମନେ କରିବି । ଏସବୁ ବିଷୟରେ ଯେପରି ଅନ୍ୟ କେହି ହେଲେ ବିନ୍ଦୁ ବିସର୍ଗ ବି ନ ଜାଣେ । ସେ ବିଶ୍ୱାସ ମୋର କେବଳ ଆପଣଙ୍କ ଉପରେହିଁ ଅଛି ।”
ଗର୍ଗ ଋଷି ତ ସେହି ସୁଯୋଗ ଅପେକ୍ଷାରେ ଥିଲେ । ତେଣୁ ସେ ଅତ୍ୟନ୍ତ ଆନନ୍ଦର ସହିତ ଏହି ପ୍ରସ୍ତାବରେ ନିଜର ସମ୍ମତି ପ୍ରଦାନ କଲେ । ଗର୍ଗ ଋଷି ତ ନିଜର ତପସ୍ୟା ବଳରେ ଜାଣିପାରିଥିଲେ ଯେ ସ୍ୱୟଂ ଭଗବାନ କୃଷ୍ଣ ରୂପରେ ଜନ୍ମ ନେଇଛନ୍ତି । ଭଗବାନ୍ଙ୍କର ଦର୍ଶନ କରିବା କେତେ ଲୋକଙ୍କ ଭାଗ୍ୟରେ ବା ଯୁଟେ । ପୁଣି ସେ ଯାଇ ଭଗବାନଙ୍କୁ ଶିଶୁ ରୂପରେ ଦେଖିବେ ଓ ତାଙ୍କରି କାମ କରିବେ । ପ୍ରଭୁଙ୍କ ଅସୀମ କୃପା ଜାଣି ସେ ତାଙ୍କ ମନେ ମନେ ଅତ୍ୟନ୍ତ ଆନନ୍ଦିତ ହୋଇ ଗୋପପୁରକୁ ଗଲେ । ସେଠାରେ ସେ ଶିଶୁ କୃଷ୍ଣ ଓ ବଳରାମଙ୍କର ନାମକରଣ କଲେ ଓ ସେମାନଙ୍କ ଲାଗି ଜାତକ ବି ପ୍ରସ୍ତୁତ କଲେ । ଏହିପରି ପରୋକ୍ଷ ଭାବରେ ଓ ଗୋପନରେ ବସୁଦେବ ତାଙ୍କ ପୁତ୍ର ଦୁହିଁଙ୍କର ଯତ୍ନ ନେଉଥା’ନ୍ତି । ନନ୍ଦ ମଧ୍ୟ କୃଷ୍ଣଙ୍କର ମଙ୍ଗଳ ପାଇଁ ଅନେକ ବ୍ରାହ୍ମଣ ଭୋଜନ ଓ ଦାନ ଧର୍ମ କରାଇଲେ । ଗୋପୀ ଗୋପାଳମାନେ ଏହି ଅଲୌକିକ ଶକ୍ତିସମ୍ପନ୍ନ ଦିବ୍ୟ ଶିଶୁକୁ ପାଇ ଖୁବ୍ ଆନନ୍ଦରେ ନାନା ଉତ୍ସବ କଲେ ।
ଏଣେ ମଥୁରାରେ କଂସ ଖବର ପାଇଗଲା କି ପୁତନାକୁ ଗୋଟିଏ ଶିଶୁ ବଧ କରିଛି । ଏହାପରେ ସେ ତା’ ମନେ ମନେ ନିଶ୍ଚିତ ହୋଇଗଲା ଯେ ଏହି ଶିଶୁହିଁ ନିଶ୍ଚୟ ତା’ର ଶତୃ ନହେଲେ ପୁତନାକୁ ପୁଣି କିଏ ବା ପ୍ରାଣରେ ମାରିପାରେ? ତା’ପରେ କଂସ ତା’ର ଅନ୍ୟାନ୍ୟ ବିଶ୍ୱସ୍ତ ରାକ୍ଷସ ରାକ୍ଷସୀମାନଙ୍କୁ ଡକାଇ ସେହି ଶିଶୁ କୃଷ୍ଣଙ୍କୁ ମାରିବା ପାଇଁ ନାନା ଯୋଜନା ପ୍ରସ୍ତୁତ କଲା । ସେହି ଭୟଙ୍କର ରାକ୍ଷସମାନଙ୍କ ମଧ୍ୟରୁ ଶକଟାସୁର ଜଣେ ଥିଲା । ସେ କଂସକୁ ଖୁସି କରିବା ପାଇଁ ଆଗଭର ହୋଇ ବାହାରିଲା । ସେ କହିଲା, “ଛାର ଗୋଟାଏ ଶିଶୁକୁ ମାରିବା ପାଇଁ ଏତେ କଥା?” ମୁଁ ଶୀଘ୍ର ଯାଇ ତାକୁ ମାରିବି ଓ ଆପଣଙ୍କୁ ଶତୃଠାରୁ ନିର୍ଭୟ କରାଇବି । ଏବେ ଦେଖନ୍ତୁ ମୋର ପରାକ୍ରମ ।”
ଶକଟାସୁର ମଥୁରାପୁରର କଂସଠାରୁ ବିଦାୟ ନେଇ ବଡ ଅହଂକାର ସହିତ ଗୋପପୁରରେ ଯାଇ ପହଁଚିଲା । ସେଠାରେ ଯାଇ ସେ ଦେଖିଲା ଯେ ଗୋଟିଏ ଶଗଡ ତଳେ ଶିଶୁ କୃଷ୍ଣ ଶୋଇଛନ୍ତି, ମାତା ଯଶୋଦା ତାଙ୍କ ପୁତ୍ର କୃଷ୍ଣଙ୍କ ମୁହଁରେ ଖରା ନ ପଡିବା ପାଇଁ ଏକ ଶକଟର ଛାଇରେ ତାକୁ ଶୁଆଇ ରଖିଥା’ନ୍ତି । ଏତେ ସୁନ୍ଦର ଏକ ସୁଯୋଗ ଦେଖି ଅସୁର ନିଜ ସୂକ୍ଷ୍ମରୂପ ଧରି ସେ ଶକଟ ଭିତରେ ପଶିଲା । ଭଗବାନ୍ କୃଷ୍ଣ ଶିଶୁ ହେଲେହେଁ ଜନ୍ମରୁ ସେ ସଚେତନ ଥିଲେ । ସେ ନିଦରୁ ଉଠି ପଡି ହାତଗୋଡ ଛଟା ଛାଟି କରି ଖେଳୁ ଖେଳୁ ତାଙ୍କ ପାଦ ବାଜି ସମଗ୍ର ଶକଟଟି ତଳେ ପଡି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ଓ ଏହିପରି ଭାବେ ସେ ଶକଟାସୁରର ମୃତ୍ୟୁ ଘଟିଲା । ଏତେ ଟିକିଏ ଛୁଆର ପାଦ ବାଜି ଏଡେ ବଡ ଶକଟଟି ଲେଉଟି ପଡିଲା ଓ ତା’ ଦେହରୁ ରାକ୍ଷସ ବାହାରି ମରି ଶୋଇଲା । ଏସବୁ ଦେଖି ଯଶୋଦା ତ ଭୟରେ ମୂର୍ଚ୍ଛା ହୋଇଗଲେ । ତା’ପରେ ଚେତା ଫେରି ପାଇ ଯଶୋଦା ତାଙ୍କ ପୁଅକୁ ଭଲ ଅବସ୍ଥାରେ ଦେଖି କୋଳକୁ ନେଇ ପୁଅର ମଙ୍ଗଳ ପାଇଁ ମନେ ମନେ ଅନେକ ଦେବାଦେବୀଙ୍କୁ ପ୍ରାର୍ଥନା କଲେ । ଏତେ ବଡ ଏକ ରିଷ୍ଟ କଟିଯିବାରୁ ସେଥିପାଇଁ ସେ ବହୁ ପୂଜା ଯଜ୍ଞ କଲେ ।