ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଗୋପ ଗୋପୀମାନେ ସେଠାରେ ପହଁଚି ବସତି ସ୍ଥାପନ ଆରମ୍ଭ କଲେ । ପ୍ରବଳ ଉତ୍ସାହରେ ସେମାନେ ସେ ସ୍ଥାନକୁ ବାସଯୋଗ୍ୟ କରିବାରେ ଲାଗି ପଡିଲେ । ଶ୍ରୀକୃଷ୍ଣ ବଳରାମଙ୍କ ନେତୃତ୍ୱରେ ଗୋପବାଳକମାନେ ସବୁଠୁଁ ଅଧିକ କର୍ମ ତତ୍ପର ହେଉଥାନ୍ତି । ସୂର୍ଯ୍ୟାସ୍ତ ବେଳକୁ କାମଦାମ ସ୍ଥଗିତ ରଖି ସେମାନେ ଯମୁନା କୂଳକୁ ଚାଲି ଯାଉଥିଲେ । ସେଠାରେ ଶ୍ରୀକୃଷ୍ଣଙ୍କର ଅପୂର୍ବ ବଂଶୀଧ୍ୱନୀ ଶୁଣି ସେମାନେ ମୁଗ୍ଧ ହୋଇ ରହୁଥିଲେ; ନହେଲେ ନୃତ୍ୟ କରୁଥିଲେ; ନହେଲେ ଲୁଚକାଳି ଖେଳ ଖେଳୁଥିଲେ । କୃଷ୍ଣଙ୍କ ବଂଶୀ ଧ୍ୱନୀରେ ନଦୀର ଜଳରାଶି ମଧ୍ୟ ଉଦ୍ବେଳିତ ହେଉଥିଲେ । ଗଛଲତାମାନଙ୍କରେ ଅଧିକ ପୁଷ୍ପ ଫୁଟୁଥିଲେ ଓ ସେସବୁର ମହକ ମଧ୍ୟ ଅଧିକ ହେଉଥିଲା । କେତେବେଳେ ସୂର୍ଯ୍ୟାସ୍ତ ସମୟ ହେବ ଏବଂ କୃଷ୍ଣ ବଂଶୀ ବଜାଇବେ, ସମସ୍ତେ ତାହା ପ୍ରତି ଉତ୍କର୍ଣ୍ଣ ହୋଇ ରହିଥାନ୍ତି । ଗୋପବାଳକମାନଙ୍କର ପ୍ରାଣର ସଖା ଓ ନେତା ରୂପେ କୃଷ୍ଣ ସେମାନଙ୍କ ହୃଦୟରେ ସ୍ଥାନ ଗ୍ରହଣ କରିଥାନ୍ତି ।

ସେମାନେ କେତେ ଅଦ୍ଭୁତ କଥା ଲକ୍ଷ୍ୟ କରୁଥାନ୍ତି । ଯେତେବେଳେ କୃଷ୍ଣ ଗୋଟିଏ ନିର୍ଦ୍ଦିଷ୍ଟ ସ୍ୱରରେ ବଂଶୀବାଦନ କରୁଥିଲେ, ସେତେବେଳେ ଗୋରୁଗାଈମାନେ ଯୁଆଡେ ଥିଲେ ମଧ୍ୟ ଫେରି ଆସୁଥିଲେ । ବିଶେଷତଃ ବାଛୁରୀମାନେ ଏପରି ଉତ୍ଫୁଲ୍ଲ ହୋଇ ନାଚିକୁଦି ତାଙ୍କ ପାଖକୁ ଆସି ତାଙ୍କୁ ବେଷ୍ଟନ କରି ରହୁଥିଲେ ଯେ ସେ ଦୃଶ୍ୟ ଯିଏ ବି ଦେଖୁଥିଲା, ତା’ ମନ ଆନନ୍ଦରେ ପୁରି ଯାଉଥିଲା ।

ଗୋପବାଳକମାନେ ଯେତେବେଳେ କୃଷ୍ଣଙ୍କ ଗହଣରେ ରହୁଥିଲେ, ସେତେବେଳେ ସେମାନଙ୍କର ମନେ ହେଉଥିଲା, ପୃଥିବୀରେ ସତେ ଅବା ସେମାନଙ୍କର ଆଉ କିଛି ବି ପ୍ରୟୋଜନ ନାହିଁ! ଜୀବନର ଲକ୍ଷ୍ୟ ସ୍ଥାନରେ ସେମାନେ ପହଁଚି ସାରିଛନ୍ତି, ସେମାନଙ୍କର ଏହି ଧାରଣା ହେଉଥିଲା । ରାତିହେଲେ ଯିଏ ଯାହା ଘରକୁ ଚାଲି ଯାଉଥିଲେ ସତ, କିନ୍ତୁ କିପରି ସକାଳ ହେବ ଓ ସେମାନେ ପୁଣି କୃଷ୍ଣଙ୍କୁ ଭେଟିବେ, ସେମାନେ ସେହି ସୁଯୋଗକୁ ଅପେକ୍ଷା କରି ରହୁଥିଲେ । ରାତିରେ ସେମାନେ କୃଷ୍ଣଙ୍କୁହିଁ ସ୍ୱପ୍ନରେ ଦେଖୁଥିଲେ । କୃଷ୍ଣ ତାଙ୍କର ସବୁ ଖେଳସାଥୀଙ୍କ ପ୍ରତି ସମାନ ସ୍ନେହପୂର୍ଣ୍ଣ ବ୍ୟବହାର କରୁଥିଲେ । ଯାହା ପ୍ରତି ଅନାଇ ସେ ଯେଉଁଦିନ ଥରେ ହସି ଦେଉଥିଲେ, ସେଦିନ ସେ ପରମ ଆନନ୍ଦରେ ରହୁଥିଲା ।

ଆନନ୍ଦରେ ସମସ୍ତେ ସମୟ ଅତିବାହିତ କରୁଥିଲେ । କିନ୍ତୁ ଅପ୍ରତ୍ୟାଶିତ ଭାବରେ ଗୋଟିଏ ବିପଦ ଦେଖାଦେଲା । କୌଣସି ଅଜଣା ରୋଗରେ ସମସ୍ତଙ୍କର ସ୍ୱାସ୍ଥ୍ୟହାନୀ ହେବାକୁ ଲାଗିଲା । ଗୋରୁ ଗାଈମାନେ ମଧ୍ୟ ରୋଗାକ୍ରାନ୍ତ ହେଲେ । ଗୋପମାନେ ଯେତେ ପ୍ରକାର ଚିକିତ୍ସାବିଦ୍ୟା ଜାଣିଥିଲେ, ସବୁ ପ୍ରୟୋଗ କରାଗଲା, କିନ୍ତୁ ଫଳ କିଛି ବି ହେଲା ନାହିଁ । ଲୋକମାନେ ଯାଇ କୃଷ୍ଣ ବଳରାମଙ୍କୂ ବାରମ୍ବାର ସେମାନଙ୍କ ବିପତି କଥା କହିଲେ । କୃଷ୍ଣ ବଳରାମ ସେମାନଙ୍କୁ କହିଲେ, “ବୋଧହୁଏ ଏ ସ୍ଥାନ ଅତ୍ୟନ୍ତ ସ୍ୱାସ୍ଥ୍ୟକର ଓ ମନୋରମ ହେଲେ ମଧ୍ୟ ଏହା ଉପରେ କୌଣସି ଅଭିଶାପ ରହିଛି । ଆମେ ତ ସେ ବିଷୟରେ କିଛି ବି ଜାଣି ନଥିଲୁ । ଏଣୁ ଆମ ପକ୍ଷରେ ଏ ଅଂଚଳ ଛାଡି ବହୁ ଦୂରକୁ ଚାଲିଯିବା ହିଁ ମଙ୍ଗଳକର ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ