ଧନ୍ୟ ବିଧାତା ତୋର ରୂପ ଯେମନ୍ତ ଜହ୍ନି ମଞ୍ଜି ଠାରୁ ଗୋରା ସେଥିରେ ଚାହିଁ ବେଶ ଭୂଷା ଅଛି ପରା । ତତେ ଦେଖିଲେ ତୁଚ୍ଛା ପିଲାଏ ଡରି ମରିବେ, ତୁ କୁଆଡେ ଆଇଲୁ କହିବୁଟି?
ଚମ୍ପା କହିଲା –
ତୁମ୍ଭ ପାଖରେ କୁଆଡେ ମଧୁର ମଧୁ ଅଛି, ରାଜା ମଗାଇ ଛନ୍ତି ଶୀଘ୍ର ଦିଅ । ଭାଣ୍ଡ ମହିଳା ରାଜାଙ୍କର ମନ କଥା ଓ ହାସ୍ୟ ଭଙ୍ଗି ବୁଝି ପାରି ମନେ ମନେ ହସି କାଗଜ କଲମ ଧରି ଖଣ୍ଡିଏ ପତ୍ର ଲେଖି ଚମ୍ପା ହାତରେ ଦେଇ କହିଲା –
ରାଜାଙ୍କୁ ଏହି ମଧୁ ନେଇ ଦେବୁ । ଚମ୍ପା ପତ୍ର ଖଣ୍ଡି ଘେନି ମନେ ମନେ ରାଗ ହୋଇ ରାଜାଙ୍କୁ କହିଲା, ହେଇ ନିଅ ମଧୁ ଭାଣ୍ଡର ମଧୁ ଖାଅ, ଭଲ କରି ଖାଅ ।
ରାଜା ହସି ହସି ପତ୍ର ଖୋଲି ପଢିଲେ –
କୃଷ୍ଣ କୃଷ୍ଣ ଦୂର କୃଷ୍ଣ ଅଦୁଷ୍ଟର ସାର
ହରି ସ୍ମର ଆଜି ଶୁଣ ସମାଚାର ।
ସର୍ବ ମଧୁ ମମ ବନ୍ଧୁ ପୁରିଛନ୍ତି ଶେଷ ।
ମଧୁରଙ୍ଗାଧାର ଶୂନ୍ୟ ନାହିଁ ମାତ୍ର ଲେଶ ।
ପାତ୍ର ଧୋଇବାକୁ ଯଦି ଥାଏ ମନ
ତହିଁରେ ହୁଅଇ ଯେବେ ସାର୍ଥକ ଜୀବନ ।
ବିଚାରି ଲେଖିଲେ ପତ୍ର ଦେବି ନରପତି ।
ଦୋଷା ଦୋଷ ନ ଧରିବ ଅବଳାର ପ୍ରତି ।
ଶ୍ରୀଚରଣେ ନିବେଦନ ଏତିକି ମୋହର
ସିଂହ କି କରଇ କେବେ ଉଚିଷ୍ଟ ଆହାର ।
ପତ୍ର ଖଣ୍ଡିକୁ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ପଢି ସାରି ରାଜା ସନ୍ତୁଷ୍ଟ ହୋଇ ଚମ୍ପା ହାତରେ ଦଶଟି ଟଙ୍କା ଦେଇ ପଠାଇ କହିଲେ –
ଯା ଗୋପାଳ ଭାଣ୍ଡର ସ୍ତ୍ରୀକୁ ଦେବୁ । ଚମ୍ପା ଟଙ୍କା ନେଇ ଭାବିଲା, କହିଲା, ମଲା ମଲା ମାଇକିନିଆ ଚିଠିରେ ରାଜାଙ୍କୁ କି ମଧୁ ଚଖାଇ ଦେଲେ ଯେ ସଙ୍ଗେ ସଙ୍ଗେ ଗୋପାଳ ଭାଣ୍ଡର ସ୍ତ୍ରୀ ନଗଦ ଦଶ ଟଙ୍କା ପାଇଲା । ଚମ୍ପା ଯାଇ ଭାଣ୍ଡର ମହିଳାକୁ କହିଲା –
ଆଗୋ ଦେଖି ନିଅ ତୁମ୍ଭ ମଧୁରେ ଭାରି ମିଠା ଅଛି । ରାଜା ମନରେ ଭାବିଲେ, ଗୋପାଳ ଯେ ରୂପ ତାହାରି ପୁଅ ସେ ରୂପ ଓ ତାହାର ସ୍ତ୍ରୀ ମଧ୍ୟ ତଦ୍ରୂପ ।