ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କେହି କାହାର ପ୍ରଭୁ ନୁହଁନ୍ତି

       ଚାକର କଥାରେ ପଣ୍ଡିତେ ଏବେ ଭୀଷଣ ରାଗି ଗଲେ ଓ କହିଲେ, “ଆରେ ମୂର୍ଖ! ତୁ ତ ଶାସ୍ତ୍ର ପୁରାଣ କିଛି ପଢିନାହୁଁ, ଜାଣିବୁ କ’ଣ, ଶାସ୍ତ୍ରରେ ପରା ଲେଖାଅଛି ଦୁଷ୍ଟକୁ ସଂହାର କଲେ ସମସ୍ତେ ସୁଖୀ ହୁଅନ୍ତି? ଯେଉଁଥିଲାଗି ରାମ ରାବଣକୁ, କୃଷ୍ଣ କଂସକୁ ଓ ପାଣ୍ଡବମାନେ କୌରବଙ୍କୁ ମାରିଥିଲେ । ଇଏତ ଛାର ସାପଟାଏ । ସୁତରାଂ ମୋ କଥାରେ ତୋତେ ରାଜି ହେବାକୁ ହିଁ ହେବ । ତୁ ଯେହେତୁ ମୋର ଚାକର ମୋ କଥା ତୋତେ ପାଳନ କରିବାକୁ ହେବ ।”

       ଚାକର କହିଲା, “ମୁଁ କ’ଣ କେବେ ଆପଣଙ୍କ କଥା ଅମାନ୍ୟ କରିଛି ଯେ, ଏବେ କରିବି । ମୋର ଛୋଟ ବୁଦ୍ଧିରେ ଜୀବହତ୍ୟା ମହାପାପ ବୋଲି କହୁଥିଲି ସିନା । ହଉ ସାପଟିକୁ ମାରିବି, ହେଲେ ମୋ ମୁଣ୍ଡରେ ଗଣ୍ଠିଲି ମୁଣ୍ଡେଇ ମାରିବି କିପରି? ଗଣ୍ଠିଲିରେ ଶାସ୍ତ୍ର ପୁରାଣ ଥିବାରୁ ତଳେ ଥୋଇବା ତ ମନା । ସୁତରାଂ ଆପଣ ପ୍ରଥମେ ଗୋଟିଏ ଠେଙ୍ଗା ଯୋଗାଡ କରି ଦିଅନ୍ତୁ ଓ ତା’ପରେ ମୋ’ ମୁଣ୍ଡରୁ ଗଣ୍ଠିଲିକୁ ଆପଣଙ୍କ ମୁଣ୍ଡକୁ ଉଠାଇ ନିଅନ୍ତୁ । ତାପରେ ଯାଇ ସାପଟିକୁ ମାରିଦେବି ।”

       ଏବେ ପଣ୍ଡିତେ ଗୋଟିଏ ଠେଙ୍ଗା ଯୋଗାଡ କରିଦେଲେ ଓ ନିଜ ମୁଣ୍ଡରେ ଗଣ୍ଠିଲି ମୁଣ୍ଡେଇଲେ । ଗଣ୍ଠିଲିଟି ବହୁତ ଓଜନ ଥିବାରୁ ପଣ୍ଡିତଙ୍କ ପକ୍ଷରେ ଏହାକୁ ଅଧିକ ସମୟ ମୁଣ୍ଡେଇ ରଖିବା ସମ୍ଭବପର ନ ଥିଲା ।

       ଏବେ ଚାକର ହସି ହସି କହିଲା, “ଆଜ୍ଞା! ଏବେ ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି?”

      ପଣ୍ଡିତେ ହଁ ଭରିବାରୁ ଚାକର ପଚାରିଲେ, “ଏ ଦୁନିଆରେ ମାଲିକ କିଏ, ଆଉ ଚାକର କିଏ?”

       ପଣ୍ଡିତେ ଉତ୍ତର ଦେଲେ, “ଯିଏ ଆଦେଶ ଦିଏ ସେ ହେଉଛି ମାଲିକ ଏବଂ ଆଦେଶ ପାଳନ-କାରୀ ହେଉଛି ଚାକର ।”

       ଏବେ ଚାକର ସାପଟିକୁ ପିଟିବ କ’ଣ, ଠେଙ୍ଗାଟି ଧରି ଠୋ ଠୋ କରି ହସିବାକୁ ଲାଗିଲା । କହିଲା, “ଠିକ୍ କଥା ମୁଁ ଆପଣଙ୍କୁ ଠେଙ୍ଗା ଆଣିବା ପାଇଁ ଆଦେଶ ଦେବାରୁ ଆପଣ ଆଣି ଦେଲେ । ପୁଣି ଗଣ୍ଠିଲି ମୁଣ୍ଡେଇବାକୁ କହିବାରୁ ମୁଣ୍ଡେଇଲେ । ଏବେ ଆପଣ କୁହନ୍ତୁତ ଆମ ଦୁହିଁଙ୍କ ଭିତରେ କିଏ ମାଲିକ ଆଉ କିଏ ଚାକର?”

       ଏକଥା ଶୁଣି ପଣ୍ଡିତେ ନୀରବ ରହିଲେ ସିନା ତାଙ୍କ ତୁଣ୍ଡରେ କହିବା ପାଇଁ ଆଉ କଥା ପଦେ ନଥିଲା ।

       ସୁତରାଂ ଏଥିରୁ ଶିକ୍ଷାମିଳେ – ମଣିଷମାତ୍ରକେ କେହି କାହାର ପ୍ରଭୁ ନୁହଁନ୍ତି।


ଗପ ସାରଣୀ

ତାଲିକାଭୁକ୍ତ ଗପ