ଅନେକ ଦିନ ତଳର କଥା । ତଳ ବରାଦ ଗ୍ରାମ ପାଖରେ କଂଟାଣିଆ ପଡିଆ ଶେଷମୁଣ୍ଡକୁ ରହୁଥିଲା କୋତରୀ ବୁଢୀଟିଏ । ତା’ର ଘର ଚାରି ପାଖରେ ଘଂଚ ଜଙ୍ଗଲ । ବୁଢୀର କିଛି ଛୁଆ ପିଲା ନଥିଲେ । ସେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଛେଳି, କୁକୁଡା ଓ ଗାଈଟିଏ ପାଳିଥାଏ । ବୁଢୀଟି କୋତରୀ ହେଲେ କ’ଣ ହେବ, ବହୁତ କଠିନ ପରିଶ୍ରମ କରୁଥିଲା । ଛେଳି, କୁକୁଡା ଓ ଗାଈ ରହିବା ଲାଗି ତା’ କୁଡିଆକୁ ଲାଗି ଦୁଇଟି ଗୁହାଳ ତିଆରି କରି ଦେଇଥିଲା । ଗୋଟିଏ ଗୁହାଳରେ ଗାଈ ଓ ଛେଳି ରହୁଥିଲେ ଏବଂ ଅନ୍ୟ ଗୁହାଳରେ କୁକୁଡାମାନେ ରହୁଥିଲେ । ଗାଈଟିର ନାଁ କୋତରୀ ବୁଢୀ ଦେଇଥିଲା ଚାନ୍ଦ । ଚାନ୍ଦ ବହୁତ ଦୁଧ ଦିଏ । ସକାଳ ହେଲେ କୋତରୀ ବୁଢୀ ଗାଈ, ଛେଳି ଓ କୁକୁଡାଙ୍କୁ ଚାଳିଆରୁ ବାହାରକୁ ଛାଡିଦିଏ, ସେମାନେ ବଣରେ ଚରିବୁଲି ପେଟେ ଖାଇ ପୁଣି ସନ୍ଧ୍ୟା ବେଳକୁ ଚାଳିଆକୁ ଫେରି ଆସନ୍ତି । ବୁଢୀ ସେମାନଙ୍କର ବହୁତ ଯତ୍ନନିଏ । ଆଉ ତା’ର କିଏ ଅଛିଯେ… ସେ ସେଇମାନଙ୍କୁ ପୁଅ ଝିଅ ଭଳି ଲାଳନ ପାଳନ କରେ । ବୁଢୀ ଗାଈ ଦୁଧ ଖାଇ, ଛେଳି ବିକି ଓ କୁକୁଡା ଅଣ୍ଡା ବିକି ବହୁତ ଭଲରେ ଚଳୁଥିଲା । ବୁଢୀର ବାଡି ପଟେ ଗୋଟିଏ ବିରାଟ ବରକୋଳି ଗଛ ଥିଲା । ସେହି ଗଛରେ ବହୁତ ସୁଆଦିଆ ଓ ମିଠା ବରକୋଳି ଫଳୁଥିଲା । କୋତରୀ ବୁଢୀ ସେହି ବର କୋଳିକୁ କିଛି ଖାଏ ଓ ବାକିତକ ବିକିଦିଏ ।
କୋଳି ପାଚିବା ସମୟ ହୋଇଥାଏ । ବୁଢୀ ପ୍ରତିଦିନ ଭଳି ସକାଳୁ କୁକୁଡା, ଛେଳିମାନଙ୍କୁ ଚରିବାକୁ ଗୁହାଳ ଖୋଲି ଦେଲା । ସେମାନେ ବାହାରକୁ ବାହାରି ଚରିବାକୁ ଯିବାବେଳେ ବୁଢୀ ଗଣିକରି ଦେଖିଲା କୁକୁଡାମାନଙ୍କ ମଧ୍ୟରୁ ଗୋଟିଏ କୁକୁଡା ନାହିଁ । ବୁଢୀ ଗୁହାଳ ଭିତରେ ଖୋଜା ଖୋଜି କରି ଦେଖିଲାଯେ ଗୁହାଳର ଦୁଆର ତାଟିରେ ଗୋଟିଏ କଣା ହୋଇଛି । ବରକୋଳି ଗଛପାଖକୁ ଚାହିଁ ଦେଖିଲାଯେ ବରକୋଳି ଗଛର କିଛି ପତ୍ର ଓ କୋଳି ତଳେ ପଡିଛି । ବୁଢୀ ଜାଣିଲାଯେ କେହି କୋଳି ଖାଇ ସାରି ତା’ର କୁକୁଡାକୁ ଚୋରାଇ ନେଇଛି । ତା’ପର ଦିନ ମଧ୍ୟ ବୁଢୀ ଦେଖିଲା ତଳେ ବରକୋଳି ପତ୍ର ଓ କୋଳି ପଡିଛି ଏବଂ ଆଉ ଗୋଟିଏ କୁକୁଡା କମ୍ ଅଛି । ସେଦିନ ରାତିରେ ଚୋରକୁ ଧରିବ ବୋଲି ବୁଢୀ ରାତିସାରା ଜଗି ବସିଲା ।