ଛଅଦିନ କାଳ ଯେତେ ଚେଷ୍ଟା କଲେ ମଧ୍ୟ ମହାରାଜ ଭୋଜ ବିକ୍ରମାଦିତ୍ୟଙ୍କ ସେଇ ତଥାକଥିତ ଚମତ୍କାରୀ ସିଂହାସନରେ ବସିବାତ ଦୂରର କଥା ସେଥିରେ ଥିବା ପାହାଚରେ ପାଦ ଥାପିବା ମାତ୍ରେ କଣ୍ଢେଇମାନଙ୍କର କାହାଣୀ ଶୁଣି ନିଜକୁ ଅସହାୟ ମଣି ଫେରି ଆସିଲେ । ଦୁଃଖ ଅବଶୋଷରେ ମନ ତାଙ୍କର ଘାଂଟି ହେଲା । ମନ୍ତ୍ରୀ, ପାରିଷଦମାନେ ଚିନ୍ତିତ ହୋଇପଡିଲେ । ରାଜ ପରାମର୍ଶ ଦାତାଙ୍କୁ ଡକାଇ ସବୁ କଥା କହିଲେ ।
ମହାରାଜ କହିଲେ; “ମୁଁ ଏ ରାଜ୍ୟର ରାଜା । ମୋ ରାଜ୍ୟର ଭୂମିତଳୁ ମିଳିଥିବା ସିଂହାସନର ଅଧିକାରୀ ମୁଁ । ଅଥଚ ମୁଁ ସେଥିରେ ବସିବା ପାଇଁ ଉଦ୍ୟମ କଲେ, ବିଭିନ୍ନ ପ୍ରକାରର ବାଧା ଉପୁଜୁଛି କାହିଁକି? କେବେ ଆଉ ସେ ଶୁଭ ମୁହୂର୍ତ ଆସିବ ଯେଉଁଦିନ ମୁଁ ସେ ସିଂହାସନରେ ବସି ମୋ ପ୍ରଜାମାନଙ୍କୁ ଉପଯୁକ୍ତ ନ୍ୟାୟ ଦେଇ ପାରିବି?”
ରାଜ ପରାମର୍ଶଦାତା ବିଚାର କରି କହିଲେ, “ମହାରାଜ! ଆପଣ ଠିକ୍ ଶୁଭଲଗ୍ନରେ ଅନୁକୂଳ କରିଛନ୍ତି । ମାତ୍ର ଆପଣଙ୍କ ଭାଗ୍ୟ ଆଉ କର୍ମ ମଧ୍ୟରେ ସଂଘର୍ଷ ଜାରି ରହିଛି । ଯେତେବେଳେ ଆପଣଙ୍କର ଭାଗ୍ୟ ଅନୁକୂଳ ହେବ ଏବଂ କର୍ମର ଜୟ ହେବ ସେତେବେଳେ ଆଉ କିଛି ବାଧା ରହିବ ନାହିଁ । ଆପଣ ଉଦ୍ୟମ ଅବ୍ୟାହତ ରଖନ୍ତୁ ।”
ପରଦିନ ମହାରାଜ ଭୋଜ ସିଂହାସନରେ ପାଦ ଦେବା ମାତ୍ରକେ ସପ୍ତମ ପୁତ୍ତଳିକା କୌମୁଦୀ ମୂର୍ତ୍ତି ଧାରଣ କରି ଛିଡା ହେଲା ଏବଂ କହିଲା, “ମହାରାଜ! ଆପଣ ଏଇ ସିଂହାସନରେ ବସିବାର ଆଶା ତ୍ୟାଗ କରି ଫେରି ଯାଆନ୍ତୁ । ଏଥିରେ ବସିବାର ଅଧିକାର କେବଳ ତାଙ୍କରି ଅଛି, ଯାହାଙ୍କର ବିକ୍ରମାଦିତ୍ୟଙ୍କ ପରି ବିଶାଳ ହୃଦୟ ଅଛି । ଆପଣ ମୋ କାହାଣୀ ଶୁଣନ୍ତୁ ଏବଂ ବିବେଚନା କରି ଦେଖନ୍ତୁ ଆପଣ କେତେଦୂର ସମର୍ଥ । ତା’ପରେ ଅଗ୍ରସର ହୁଅନ୍ତୁ ।”
ଦିନେ ମହାରାଜା ବିକ୍ରମାଦିତ୍ୟ ନିଜ ଶୟନ କକ୍ଷରେ ଶୋଇଥାନ୍ତି । ହଠାତ୍ ଅର୍ଦ୍ଧରାତ୍ରିରେ କୌଣସି ନାରୀର ବିକଳ କ୍ରନ୍ଦନ ଶୁଣି ତାଙ୍କର ନିଦ ଭାଙ୍ଗି ଗଲା । ଚାରିଆଡେ ଦୃଷ୍ଟି ପକାଇଲେ । କାନ ଡେରିଲେ । ଅନୁମାନ କରି ଜାଣିଲେ ଯେ କାନ୍ଦଣାର ସ୍ୱର କ୍ଷିପ୍ରାନଦୀ ପଟୁ ଲହରେଇ ଆସୁଛି । କାଳ ବିଳମ୍ବ ନ କରି ମହାରାଜ ତରବାରୀ ଉଠାଇ ସେଇ ଆଡକୁ ଅଗ୍ରସର ହେଲେ । ନଦୀ ଆରପାରିରେ ଯାଇ ଦେଖିଲେ ଗୋଟିଏ ଝଙ୍କାଗଛ ମୂଳେ ମୁହଁପୋତି ନାରୀଟିଏ କାନ୍ଦୁଛି ।