ଭୋଜରାଜ ସିଂହାସନରେ ବସିବା ପାଇଁ ଚେଷ୍ଟା କରୁ କରୁ ତିରିଶ ଦିନ ବିତିଗଲା । ତାଙ୍କର ସବୁ ଆଶା ଆକାଂକ୍ଷା, ସ୍ୱପ୍ନ ଚୂର୍ମାର୍ ହୋଇଗଲା । ତଥାପି ସେ ନିରାଶ ନହୋଇ ଧୈର୍ଯ୍ୟର ସହିତ ପରଦିନ ଯାଇ ସିଂହାସନ ପାଖରେ ପହଁଚିଲେ । ପୁତ୍ତଳିକା କୌଶଲ୍ୟା ଉଭା ହୋଇ କହିଲା, “ଭୋଜରାଜ ମହୋଦୟ! ଆପଣ ଏ ସିଂହାସନରେ ବସିବାର ଆଶା ତ୍ୟାଗ କରିଦିଅନ୍ତୁ । କାରଣ ମହାରାଜ ବିକ୍ରମାଦିତ୍ୟଙ୍କ ଅନ୍ତେ ତାଙ୍କ ପୁତ୍ର ମଧ୍ୟ ଏଥିରେ ବସି ପାରିନଥିଲେ । କାହାଣୀ ମାଧ୍ୟମରେ ତ ଆପଣ ଜାଣିଛନ୍ତି ଯେ ମହାରାଜଙ୍କୁ ନିଜ ମୃତ୍ୟୁର ପୂର୍ବାଭାସ ମିଳିସାରିଥିଲା । ଯୋଉଥିପାଇଁ ସେ ନିଜର ସମସ୍ତ ଧର୍ମକର୍ମ ଏବଂ ରାଜ୍ୟଶାସନ ଉଭୟରେ ବିନିଯୋଗ କରୁଥିଲେ । ପୁଣି ଜଙ୍ଗଲରେ କୁଡିଆ କରାଇ ସେଠାରେ ତପସାଧନା କରୁଥିଲେ ।
ଦିନେ ରାତିରେ କୁଡିଆରେ ଥାଇ ସାଧନା କରୁ କରୁ ଦେଖିବାକୁ ପାଇଲେ ଯେ ସାମ୍ନା ପାହାଡ ଉପରେ ଉଜ୍ଜଳ ଆଲୋକ ବିଛାଡି ହୋଇ ପଡିଛି । ସେଇ ଆଲୋକରେ ଚତୁର୍ଦ୍ଦିଗ ଆଲୋକିତ ଏବଂ ପାହାଡ ମଝିରେ ଏକ ବିରାଟ ସୁନାର ମହଲ ଶୋଭା ପାଉଛି । ଏ ପ୍ରକାର ଅଦ୍ଭୂତଦୃଶ୍ୟ ଦେଖି ମହାରାଜ ବେତାଳଙ୍କୁ ସ୍ମରଣ କଲେ । ସେମାନେ ଆସି ପହଁଚିଲେ ।
ମହାରାଜ ନିର୍ଧେସ ଦେଲେ ମୋତେ ନେଇ ପାହାଡସ୍ଥ ସେଇ ମହଲରେ ଛାଡିଦିଅ । ବେତାଳମାନେ ମହାରାଜଙ୍କୁ ନେଇ ପାହାଡ ଉପରେ ଝଲମଲ କରୁଥିବା ଆଲୋକ ପୁଞ୍ଜ ପାଖରେ ଛାଡି କହିଲେ, “ଆମେ ଆଉ ଆଗକୁ ଯାଇପାରିବୁ ନାହିଁ । କାରଣ ଆଗରେ ଜଣେ ସିଦ୍ଧ ତପସ୍ୱୀ ଯୋଗ ସାଧନା କରୁଛନ୍ତି । ସେ ଭବନ ଚାରିପାଖରେ ତନ୍ତ୍ର ଦ୍ୱାରା ଏକ ଘେର ବନାଉଛନ୍ତି ଯାହାକୁ କେହି ଭେଦ କରିପାରିବେ ନାହିଁ । କେବଳ ଯୋଗୀଙ୍କ ଠାରୁ ଯାହାର ପୁଣ୍ୟବଳ ଅଧିକ ଥିବ ସେ ଅତିକ୍ରମ କରି ଆଗକୁ ଯାଇ ପାରିବେ । ବେତାଳମାନେ ଏହା କହି ସେଇଠାରେ ମହାରାଜଙ୍କୁ ଛାଡି ଚାଲିଗଲେ । ମହାରାଜ ନିଜର ପୁଣ୍ୟ ପରୀକ୍ଷା କରିବା ପାଇଁ ତନ୍ତ୍ରଘେର ଆଡକୁ ଆଗେଇଲେ । ମହଲର ଦ୍ୱାର ଦେଶ ଯାଏଁ ପହଁଚିବା ପାଇଁ ମହାରାଜଙ୍କୁ କେହି ବାଧା ଦେଇ ପାରି ନଥିଲେ । ତନ୍ତ୍ର ଘେରକୁ ମଧ୍ୟ ସେ ପାରି ହୋଇଯାଇଥିଲେ ଅକ୍ଳେଶରେ । ମାତ୍ର ମହଲର ଦ୍ୱାର ଦେଶରେ ପହଁଚିବା କ୍ଷଣି ଏକ ନିଆଁ ପିଣ୍ଡୁଳା ଆସି ତାଙ୍କ ରାସ୍ତା ବନ୍ଦ କଲା । ଭିତରୁ ଦୃଢ କଣ୍ଠରେ ନିର୍ଧେସ ଆସିଲା, “ଯିଏ ବି ହୁଅନ୍ତୁନା କାହିଁକି ରାସ୍ତା ଛାଡିଦିଅ, ସେ ଭିତରକୁ ଆସନ୍ତୁ ମୋ ଠାରୁ ତାଙ୍କର ପୁଣ୍ୟବଳ ନିଶ୍ଚୟ ଅଧିକ । ନହେଲେ ସେ କ’ଣ ତନ୍ତ୍ରଘେର ପାରି ହୋଇ ଆସି ପାରିଥାନ୍ତେ?”
ନିର୍ଧେସ ମିଳିବା ମାତ୍ରେ ନିଆଁ ପିଣ୍ଡୁଳା ଉଭାନ୍ ହୋଇଗଲା । ମହାରାଜ ଭିତରେ ପ୍ରବେଶ କଲେ । ସେଠାରେ ତପସ୍ୟାରତ ଯୋଗୀ ରାଗରେ ଗର୍ଜି ଉଠିଲେ । “କିଏ ତୁ? ଏଠାକୁ କିପରି ଆସିଲୁ? ସତ କଥା କହ । ନଚେତ୍ ମୁଁ ତୋତେ ଧ୍ୱଂସ କରିଦେବି ।”
“ମୁଁ ଉଜ୍ଜୟିନୀର ରାଜା ବିକ୍ରମାଦିତ୍ୟ । ଏଠାରେ ପହଁଚିବା ପାଇଁ ମୋତେ କେହି ବାଧା ଦେଇ ନାହାନ୍ତି । ଏଣୁ ମୁଁ…… ।”
ମହାରାଜାଙ୍କ କଥା ଶୁଣି ଯୋଗୀ ଶାନ୍ତ ହୋଇଗଲେ । ବିକ୍ରମାଦିତ୍ୟଙ୍କୁ ନିଜ ସମ୍ମୁଖରେ ପାଇ ନିଜକୁ ଧନ୍ୟ ମନେକଲେ । କହିଲେ, “ହେ ବିକ୍ରମାଦିତ୍ୟ! ତୁମର ପୁଣ୍ୟକାଳ ଅଧିକ । ଇଚ୍ଛାନୁସାରେ ବରମାଗ । ଯାହା ମାଗିବ ତାହା ପାଇବ ନିଶ୍ଚିତ ।”
“ମୁଁ ଏଇ ଭବ୍ୟ ମହଲ ଏବଂ ଏହା ସହିତ ସଂପୃକ୍ତ ସମସ୍ତ ସୁଖ ସୁବିଧା ପାଇବାକୁ ଚାହୁଁଛି ।” ମହାରାଜ କହିଲେ ।
“ତଥାସ୍ତୁ” କହି ଯୋଗୀ ଜଣକ ମହଲଟିକୁ ମହାରାଜାଙ୍କୁ ସମର୍ପଣ କରି ଜଙ୍ଗଲକୁ ଚାଲିଗଲେ । କିଛିଦିନପରେ ସେ ନିଜ ଗୁରୁଙ୍କୁ ଭେଟିଲେ । ଗୁରୁ ପଚାରିଲେ, “ତୋ’ର ଯୋଗ ଭବନ, ସୁଖ ସୁବିଧା ସବୁ କୁଆଡେ ଗଲା? ତୁ କ’ଣ ଏହି ଜଙ୍ଗଲରେ ବୁଲୁଛୁ?”
“ଗୁରୁଦେବ! ମୁଁ ସେ ସବୁ ମହାରାଜା ବିକ୍ରମାଦିତ୍ୟଙ୍କୁ ଦାନ କରି ଦେଇଛି ।”