ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୌଶଲ୍ୟା କଥା

       ତୁ କ’ଣ ଜାଣିନୁ ଯେ ବିକ୍ରମାଦିତ୍ୟ ନିଜ ମୃତ୍ୟୁର ସୂଚନା ପାଇ ସାରିଛନ୍ତି । ସେ ଜଙ୍ଗଲରେ କୁଡିଆ କରି ସାଧନା ଦ୍ୱାରା ପରଲୋକ ପାଇଁ ପୁଣ୍ୟ ସଂଗ୍ରହ କରୁଛନ୍ତି? ସେ ତ ମହାଦାନୀ, ତାଙ୍କର ଏ ଭବନ କ’ଣ ହେବ? ତୁ ସାଧୁ ବେଶରେ ଯାଇ ତାଙ୍କୁ ଦେଖାକର ଏବଂ ମହଲ ସହିତ ସମସ୍ତ ସୁଖ ସୁବିଧା ମାଗିଆଣ ।”

       ଗୁରୁଦେବଙ୍କ କଥାନୁସାରେ ଯୋଗୀଜଣକ ସାଧୁ ବେଶ ଧାରଣ କରି ମହାରାଜ ବିକ୍ରମାଦିତ୍ୟ ଯେଉଁ କୁଡିଆରେ ରହି ସାଧନା କରୁଥିଲେ ସେଇ କୁଡିଆରେ ଯାଇ ପହଁଚିଲେ ।

       ମହାରାଜ ଆଖି ଖୋଲିବା ମାତ୍ରେ କହିଲେ, “ହେ କୁଡିଆନିବାସୀ ମହଲର ମହାରାଜ, ମୋ ପାଇଁ ଆପଣଙ୍କ ରାଜ୍ୟରେ ସ୍ଥାନଟିଏ ପ୍ରଦାନ କରନ୍ତୁ ।”

       “ମୋ ରାଜ୍ୟରେ କେଉଁ ସ୍ଥାନରେ ରହିବ କୁହ ମୁଁ ସେଇ ସ୍ଥାନ ପ୍ରଦାନ କରିବି ।”

       “ମୁଁ ପାହାଡ ଉପରେ ଥିବା ଜ୍ୟୋତିପୁଞ୍ଜ ଦ୍ୱାରା ଆଲୋକିତ ଭବ୍ୟ ସ୍ୱର୍ଣ୍ଣ ମହଲରେ ରହିବାକୁ ଚାହେଁ ।”

       ମହାରାଜ ହସିହସି କହିଲେ, “ମୁଁ ତମର ପରୀକ୍ଷା ନେଇଥିଲି ଆଉ ତମେ ମତେ ପରୀକ୍ଷା କରିବାକୁ ଚାଲିଆସିଲ? ମୁଁ ତମର ସେ ଭବନ ସେମିତି ଛାଡି ଆସିଛି । ଅଧିକାର ଜାହିର କରିବାକୁ ଯାଇନାହିଁ । ତମେ ଯାଇ ସେଠାରେ ବିନାଦ୍ୱିଧାରେ ରହିପାର ।”

       ଯୋଗୀ ଜଣକ ନିଜର ମହଲ ଫେରିପାଇ ଆନନ୍ଦ ମନରେ ବିଦାୟ ନେଲେ । ମହାରାଜ ନିଜ ସାଧନାରେ ମଗ୍ନ ରହିଲେ ।

       ଏମିତି ନ୍ୟାୟ, ନୀତି, ନିଷ୍ଠାପରାୟଣ ଥିଲେ ମହାରାଜ ବିକ୍ରମାଦିତ୍ୟ । ଧର୍ମ, କର୍ମ, ତ୍ୟାଗର ମହନୀୟ ଆଦର୍ଶ । ବୀରତ୍ୱର ପରାକାଷ୍ଠା । ନ୍ୟାୟଦର୍ଶୀ ବିଚାରପତି । ପ୍ରଜାନୁରଞ୍ଜକ ସୁଶାସକ । ଏତେ ମୂଲ୍ୟବାନ ସ୍ୱର୍ଣ୍ଣଭବନକୁ ସେ ସଙ୍ଗେ ସଙ୍ଗେ ଦାନ କରି ଦେଇ ପାରିଲେ ।

       ମଣିଷ ମାତ୍ରେ ମରଣଶୀଳ । ଯେତେ ଧର୍ମକଲେ । ପୁଣ୍ୟସଂଚିଲେ ମଧ୍ୟ ମଣିଷ ଜନ୍ମ ନେଲେ ମଧ୍ୟ ନିଜକୁ ଦିନେ ମୃତ୍ୟୁକୁ ଆଲିଙ୍ଗନ କରିବାକୁ ପଡିବ । କାଳଚକ୍ରରେ ପଡି ଦିନେ ତାଙ୍କୁ ପରଲୋକ ଗମନ କରିବାକୁ ପଡିଲା । ସେ ଦେବଲୋକକୁ ଚାଲିଗଲେ । ରାଜ୍ୟରେ ଶୋକର ଛାୟା ଖେଳିଗଲା । ପ୍ରଜାଗଣ ଦୁଃଖରେ କାନ୍ଦିଲେ । ଦେବଗଣ ପୁଷ୍ପବୃଷ୍ଟି କରି ଆଶୀର୍ବାଦ ଦେଲେ । ମହାରାଜଙ୍କ ମୃତ୍ୟୁପରେ ମନ୍ତ୍ରୀପାରିଷଦର ବୈଠକ ବସିଲା । ତାଙ୍କରତ ଅନେକ ପୁତ୍ର ଥିଲେ । ଏଣୁ ବିଚାର ବିମର୍ଷ ପରେ ଜ୍ୟେଷ୍ଠପୁତ୍ର ଜୈତ୍ରପାଲଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଗଲା । ରାଜ୍ୟଯାକରେ ଖୁବ୍ ଆଡମ୍ବରରେ ଉତ୍ସବ ପାଳନ କରାଗଲା । ଶୁଭ ଲଗ୍ନ ଦେଖି ରାଜା ଜୈତ୍ରପାଲ ପିତାଙ୍କର ସିଂହାସନରେ ବସିବାକୁ ଚାହିଁଲେ । ମାତ୍ର ଏକ ଅଘଟଣ ଘଟିଗଲା । ସେ ସିଂହାସନରେ ବସିବା ମାତ୍ରେ ତାଙ୍କ ମୁଣ୍ଡ ବୁଲାଇ ଦେଲା । ସେ ତଳେ ପଡି ଅଚେତ୍ ହୋଇଗଲେ । ଅଚେତ୍ ଅବସ୍ଥାରେ ସେ ଏକ ସ୍ୱପ୍ନ ଦେଖିଲେ ।

       ସ୍ୱପ୍ନରେ ଦେଖାଦେଇ ବିକ୍ରମାଦିତ୍ୟ କହିଲେ, “ବତ୍ସ! ତୁମେ ସେ ସିଂହାସନରେ ବସିବାର ଧୃଷ୍ଟତା କରିବ ନାହିଁ । ସେଥିରେ ବସିବାର ଯୋଗ୍ୟତା ତମର ହୋଇ ନାହିଁ । ସେ ସିଂହାସନ ଦେବତାମାନଙ୍କର । ଯିଏ ଗୁଣବାନ, କର୍ତ୍ତବ୍ୟ ପରାୟଣ, ତ୍ୟାଗୀ, ଦାନଶୀଳ, ପରୋପକାରୀ, ପ୍ରଜାନୁରଞ୍ଜକ, ପୁଣ୍ୟବାନ ସେଇ କେବଳ ସିଂହାସନରେ ବସିପାରିବ । ତୁମେ ଯେତେବେଳେ ସେ ସିଂହାସନରେ ବସିବାର ଯୋଗ୍ୟତା ହାସଲ କରିବ ସେଇଦିନ ମୁଁ ନିଜେ ଆସି ତମକୁ ଅନୁମତି ଦେବି । ତାପରେ ଯାଇ ବସିବ । ନହେଲେ ଯଦି ମୋ କଥା ନମାନି ବଳ ପୂର୍ବକ ବସିବ ତେବେ ତାର କୁଫଳ ଭୋଗିବ ।

     ଜୈତ୍ରପାଲ ସଚେତନ ହୋଇଗଲେ । ସ୍ୱପ୍ନର କଥାସବୁ ମନ୍ତ୍ରୀ ଏବଂ ପାରିଷଦ ଗଣଙ୍କୁ କହିଲେ । ସେତ ସିଂହାସନରେ ବସିପାରିବେ ନାହିଁ ତେବେ କ’ଣ କରାଯିବ ସେ ସିଂହାସନ?

       “ଏହା କ’ଣ ସମ୍ଭବ? ପିତାତ ଦେବଲୋକରେ, ତାଙ୍କ ସହିତ ମୋର ସାକ୍ଷାତ କିପରି ହୋଇପାରିବ ।”

       ରାଜା ଜୈତ୍ରପାଲଙ୍କ କଥା ଶୁଣି ମନ୍ତ୍ରୀ କହିଲେ, “ଆପଣ ଆଜି ଶୟନ ପୂର୍ବରୁ ଗଭୀରଭାବରେ ମହାରାଜଙ୍କୁ ସ୍ମରଣ କରିବେ । ଦେଖିବେ ସେ ନିଶ୍ଚିତ ଭାବରେ ସ୍ୱପ୍ନରେ ସାକ୍ଷାତ ଦେବେ । ପବିତ୍ରମନରେ ନିଃସ୍ୱାର୍ଥପର ଭାବନା ନେଇ ଯାହାଙ୍କୁ କାମନା କରାଯାଏ ସେ ନିଶ୍ଚୟ ସାକ୍ଷାତ ପାଇଁ ଆସିଥାନ୍ତି ।”

       ରାଜା ଜୈତ୍ରପାଲ ପିତାଙ୍କୁ ସ୍ମରଣ କରି ଶୋଇଲେ । ନିଶାର୍ଦ୍ଧରେ ମହାରାଜ ବିକ୍ରମାଦିତ୍ୟ ସ୍ୱପ୍ନରେ ସାକ୍ଷାତ ଦେଇ କହିଲେ, “ବତ୍ସ! ସିଂହାସନରେ ବସିବାର ଯୋଗ୍ୟତା ତମର ହୋଇନାହିଁ ଏବଂ ଅନ୍ୟ କାହାରି ମଧ୍ୟ ନାହିଁ । ଏଣୁ ତମେ ଏହାକୁ ମାଟିରେ ପୋତାଇ ଦିଅ । ତୁମେ ଏ ରାଜ୍ୟ ଛାଡି ଅମ୍ବାବତୀ ଯାଇ ସେଠାରେ ନିଜର ରାଜଧାନୀ ପ୍ରତିଷ୍ଠା କର । କାଳାନ୍ତରରେ ଯଦି କେହି ସୁଯୋଗ୍ୟ ରାଜା ଜନ୍ମ ନିଅନ୍ତି ତେବେ ସେ ସିଂହାସନରେ ବସିପାରିବେ ।

       ସକାଳ ହେବା କ୍ଷଣି ରାଜା ଜୈତ୍ରପାଲ ଲୋକଲଗାଇ ପ୍ରଥମେ ସିଂହାସନକୁ ପୋତାଇଲେ । ତାପରେ ସେ ଅମ୍ବାବତୀ ଯାଇ ସେଠାରେ ନିଜର ରାଜଧାନୀ ପ୍ରତିଷ୍ଠା କଲେ ।

       ଶୁଣିଲେତ ଭୋଜରାଜ! ଯେତେଳେ ମହାରାଜ ବିକ୍ରମାଦିତ୍ୟଙ୍କର ନିଜ ପୁଅ ଏ ସିଂହାସନରେ ବସିପାରିଲେ ନାହିଁ ଆପଣ କିପରି ଆଶା କରୁଛନ୍ତି ଏ ସିଂହାସନରେ ବିନା ଦ୍ୱିଧାରେ ବସିପାରିବେ?

       ଭୋଜରାଜ ମନେ ମନେ ଚିନ୍ତା କଲେ ସେ ମଧ୍ୟ ଆଶାଛାଡି ଦେବେ ଏବଂ ସିଂହାସନଟିକୁ ଆଉଥରେ ପୋତାଇ ଦେବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ