ଏକଦା ତୀର୍ଥଙ୍କର ଭଗବାନ ମହାବୀର ପୂର୍ବଦିଗକୁ ମୁହଁକରି ମୁଦ୍ରିତ ଚକ୍ଷୁରେ ଦଣ୍ଡାୟମାନ ହୋଇଥାନ୍ତି । ସେହିବାଟ ଦେଇ ଅନେକ ଲୋକ ଯିବା ଆସିବା କରୁଥାନ୍ତି । ସେମାନଙ୍କ ଭିତରୁ ଜଣେ ଦୁଷ୍ଟବୁଦ୍ଧି ବାଳକ ଦେଖିଲା ମହାବୀର ଏକ ଜଡ ପିତୁଳା ଭଳି ଠିଆ ହୋଇଛନ୍ତି । ସୁତରାଂ ସେ ତାଙ୍କ ନିକଟରେ ଅଟକି ଯାଇ ତାଙ୍କର ଧ୍ୟାନ ଭଗ୍ନ କରିବ ବୋଲି ମନେ ମନେ ଠିକ୍ କଲା । ତହୁଁ ଆଉ କେତେକ ଦୁଷ୍ଟବୁଦ୍ଧି ବାଳକ ବି ତା’ ସହିତ ମିଶିଗଲେ ।
ଏଥର ସେହି ଦୁଷ୍ଟବୁଦ୍ଧି ବାଳକ ରାସ୍ତାରୁ ତାତିଯାଇଥିବା ବାଲି ଆଣି ମହାବୀରଙ୍କ ଆଡକୁ ଫିଙ୍ଗିଲା । ମହାବୀରଙ୍କ ଦେହରେ ଯେତେ ବାଲି ପଡିଲେ ବି ସେ ପୂର୍ବଭଳି ନିଶ୍ଚଳ ରହିଲେ ।
ଠିକ୍ ଏତିକିବେଳେ ସେମାନଙ୍କ ଭିତରୁ ଆଉ ଜଣେ ରାସ୍ତା ଉପରୁ କ୍ଷୁଦ୍ର ପଥର ଖଣ୍ଡିଏ ଗୋଟାଇ ଆଣି ମହାବୀରଙ୍କ ଉପରକୁ ଫିଙ୍ଗିଲା । ତାଙ୍କ ଦେହରେ ପଥର ବାଜି କଷ୍ଟ ହେଲେ ମଧ୍ୟ ସେଥିପ୍ରତି ତାଙ୍କର କୌଣସି ପ୍ରତିକ୍ରିୟା ହିଁ ନଥିଲା । ଏପରିକି ପଥର ଫିଙ୍ଗୁଥିବା ବାଳକକୁ ସେ ଆଖି ଖୋଲି ଟିକିଏ ଚାହିଁଲେ ବି ନାହିଁ ।
ଏବେ ସେହି ଦୁଷ୍ଟ ବାଳକଙ୍କ ଭିତରୁ ଜଣେ ମହାବୀରଙ୍କ ଉପରେ ଛେପ ପକାଇଲା । ତଥାପି ବି ତାଙ୍କର ଧ୍ୟାନ ଭଗ୍ନ ହେଲା ନାହିଁ । ସେ ପୂର୍ବଭଳି ନିର୍ଲିପ୍ତ ନିଶ୍ଚଳ ଭାବରେ ଠିଆହୋଇ ରହିଥାନ୍ତି ।
ଏସବୁ ଦୃଶ୍ୟ ଦେଖି ସେମାନେ କଥାବାର୍ତ୍ତା ହେଲେ, ଆରେ! ଏଇଟା କିଭଳି ମଣିଷ? ଏହା ପାଖରେ ତ କ୍ରୋଧ ବୋଲି କିଛି ବି ନାହିଁ । ୟା’କୁ ଯେତେ କଷ୍ଟ ହେଲେ ମଧ୍ୟ ଏ କିଛି ବି କହୁ ନାହିଁ । ବୋଧହୁଏ ଏଇଟା ପାଗଳଟାଏ ।
ଏହା ଶୁଣି ଆଉ ଜଣେ କହିଲା, “ଦେଖ ଭାଇମାନେ, ଏହାକୁ ମୁଁ କିପରି ରଗାଉଛି?” ଏହା କହି ସେ ରାସ୍ତା ଉପରୁ ଆଞ୍ଜୁଳା ଆଞ୍ଜୁଳା ବାଲି ନେଇ ପାଖରେ ଥିବା ପଥର ଉପରେ ଚଢି ମହାବୀରଙ୍କ ମୁଣ୍ଡ ଉପରେ ଢାଳିଲା । ତଥାପି ବି ସେ ନିଶ୍ଚିଳ ଥାଆନ୍ତି । ଏହା ପରେ ମହାବୀରଙ୍କୁ ଜଣେ ମୁଷ୍ଟିପ୍ରହାର ବି କଲା । ଏଥିରେ ସେ ବିଚଳିତ ନହେବାରୁ ରାସ୍ତା ଉପରୁ ପଥର, ହାଡ ସବୁ ଗୋଟାଇ ଆଣି ତାଙ୍କ ଉପରେ ଦୁଷ୍ଟ ବାଳକମାନେ ଢାଳିଲେ । ଚାହୁଁ ଚାହୁଁ ସବୁ ତାଙ୍କ ଉପରେ ଗଦା ହୋଇଗଲା । ଏହାଦ୍ୱାରା ମହାବୀରଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇ ରକ୍ତ ଝରିଲା । ଶେଷରେ ସେମାନେ ଅସ୍ତ୍ରାଘାତ ବି କଲେ । ତଥାପି ଭଗବାନ ମହାବୀର ଧ୍ୟାନଚ୍ୟୁତ ହେଲେ ନାହିଁ । ପୂର୍ବଭଳି ଶାନ୍ତ ମୁଦ୍ରା ଓ ପ୍ରଶାନ୍ତ ଭାବରେ ଆଖି ବନ୍ଦ କରି ସେ ସେମିତି ଠିଆ ହୋଇଥାନ୍ତି ।
ପରିଶେଷରେ ଭଗବାନ ମହାବୀର ସାମାନ୍ୟ କ୍ରୋଧ ପ୍ରକାଶ ନ କରିବାରୁ କି ପ୍ରତିକ୍ରିୟାଶୀଳ ନ ହେବାରୁ ଲାଂଛନାକାରୀମାନେ ବୃଥାରେ ଜଣେ ସାଧୁଙ୍କୁ ହଇରାଣ କଲେ ବୋଲି ପଶ୍ଚାତାପ କଲେ । ସେମାନେ ଭବିଷ୍ୟତରେ ଆଉ କାହାରିକୁ ହଇରାଣ କରିବେ ନାହିଁ ବୋଲି ଶପଥ ମଧ୍ୟ ନେଲେ ।
ବାସ୍ତବରେ ଭଗବାନ ମହାବୀର ଥିଲେ କ୍ରୋଧଜୟୀ ଓ ଅହିଂସାର ଉପାସକ । ଆମ ସମାଜର ତ ସେହିମାନେ ହିଁ ପଥପ୍ରଦର୍ଶକ ।