ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କ୍ରୋଧରୁ ଲାଭ!

ରାଜକୋଟରେ ପର୍ଶୁରାମ ନାମରେ ଜଣେ ମଧ୍ୟବିତ ବ୍ୟକ୍ତି ଥାଏ । ସେ ଅବଶ୍ୟ ପୁରାଣ ବର୍ଣ୍ଣିତ ପର୍ଶୁରାମଙ୍କ ପରି ବଡ କ୍ରୋଧୀ ସ୍ୱଭାବର ଥିଲା । ଛୋଟ କଥାରେ ରାଗି ସେ ଲାଲ୍ ହୋଇ ଯାଉଥିଲା ।

      ଦିନେ ତା’ର ସାଙ୍ଗ ମୁକୁନ୍ଦ ତାକୁ ଦେଖା କରିବାକୁ ଆସିଲା । ମୁକୁନ୍ଦ ଘୋଡା ଗାଡିରୁ ଓହ୍ଲାଇ ସେ ଗାଡିବାଲାକୁ ପାଞ୍ଚଟଙ୍କା ଦେଲା । ଏକଥା ପର୍ଶୁରାମ ଦେଖିଦେଇ ଭୀଷଣ ରାଗିଯାଇ କହିଲା, “କ’ଣ ହେଲା, ସହରରୁ ଏଠାକୁ ଆସିବାକୁ ପାଞ୍ଚଟଙ୍କା ନେବୁ? ଆମେ ତ ପ୍ରତିଦିନ ଦୁଇଟଙ୍କା ଗାଡି ଭଡା ଦେଉଛୁ; ତୁ ଭଲ ମଣିଷ ଦେଖି ଠକୁଛୁ? ଦେ ତିନିଟଙ୍କା ଫେରାଇ ଦେ ।”

      ଗାଡିବାଲା ବ୍ୟସ୍ତ ହୋଇ କହିଲା, “ବାବୁ, ଦୁଇ ତିନିଜଣ ଗାଡିବାଲାଙ୍କ ସହିତ କଥାବାର୍ତ୍ତା କରିବା ପରେ ଏହି ମୂଲ୍ୟ ଧାର୍ଯ୍ୟ ହୋଇଥିଲା । ଅନ୍ୟ ଗାଡିବାଲାମାନେ ଅଧିକ ପଇସା ମାଗିଲେ ବୋଲି ସେ ମୋ ଗାଡିରେ ଆସିଲେ ।”

      “ଓହୋ, ତେବେ ତୁମେ ଗାଡିବାଲାମାନେ ମିଳିମିଶି ଭଡାଟଙ୍କା ବଢାଇ ଦେଇଚ ନା? ଏସବୁ ମୁଁ ବରଦାସ୍ତ କରିବା ଲୋକ ନୁହେଁ ।” ଏତିକି କହି ଗାଡିବାଲା ହାତରୁ ସେ ତିନି ଟଙ୍କା ଛଡାଇ ଆଣିଲା । ଗାଡିବାଲା କହିଲା, “ବଡମାନେ ଏପରି କରିବା ଆଦୌ ଉଚିତ୍ ନୁହେଁ ।”

      ତା’କଥା ଶୁଣି ସେ ଆହୁରି ରାଗିଯାଇ କହିଲା, “ତୋର ଏଡେ ସାହସ, ମୋ ପରି ଲୋକକୁ ଭଲ ମନ୍ଦ କ’ଣ ବୁଝାଇବୁ? ନିଜକୁ ତୁ କ’ଣ ଭାବୁଛୁ? ପୁଣି ଯଦି ମୁହଁ ଖୋଲିବୁ ତେବେ ମୋ କୁକୁର ତୋତେ ତୋ ଗାଡି ସହ ନେଇ ଗ୍ରାମ ବାହାରେ ଛାଡି ଆସିବ । ଯା’ ପଳା ଏଠୁ ।”

      ଗାଡିବାଲା ଗାଡି ରଖିବା ବେଳେ ଦୂରରୁ ଦୁଇଟି ବଡ ଡାହଳ କୁକୁରକୁ ସେ ଦେଖିଥିଲା । ଏପର୍ଯ୍ୟନ୍ତ ସେମାନେ କିଛି କରିନାହାଁନ୍ତି ସେତିକି ତା’ର ଭାଗ୍ୟ । ସେ ତା’ କଳ୍ପନା ଚକ୍ଷୁରେ ଦେଖିଲା କୁକୁରମାନେ ତାକୁ ଓ ଘୋଡାମାନଙ୍କୁ ସେଠାରୁ କିପରି ତଡୁଛନ୍ତି । ସେ ଭୟଙ୍କର ଦୃଶ୍ୟ କଥା ଭାବି ସେ ପବନ ବେଗରେ ଘୋଡା ଛୁଟାଇ ସେଠାରୁ ଚାଲିଗଲା ।

      ମୁକୁନ୍ଦ ଏସବୁ ଜଣେ ଦର୍ଶକ ପରି ଦେଖିଥିଲା । ତା’ପରେ ଶାନ୍ତ ସ୍ୱରରେ ସେ କହିଲା, “ପର୍ଶୁରାମ, ମନେ ହେଉଛି ତୁମର କ୍ରୋଧ ସୀମା ପାର କରି ବହୁ ଆଗକୁ ଚାଲିଗଲାଣି; ଏପରି ଏକ ଛୋଟ କଥାକୁ ନେଇ ତମର ଏତେ ରାଗ ଏତେ ଚିତ୍କାର? ବଡ ଲୋକମାନେ କୁହନ୍ତି କି ତୁମର କ୍ରୋଧହିଁ ତୁମର ସବୁଠୁ ବଡ ଶତ୍ରୁ । ଏହାର ସତ୍ୟତା ଉପଲବ୍ଧି କରି ନିଜ ରାଗକୁ ଟିକିଏ କମ୍ କର । କ୍ରୋଧବଶରେ ମଣିଷ ଅନ୍ଧ ହୋଇଯାଏ । ଭଲ ମନ୍ଦର ପାର୍ଥକ୍ୟ ଭୁଲିଯାଏ । ମୁହଁରେ ଯାହା ଖରାପ ଭାଷା ଆସେ ତାକୁ ସେ ବକିଯାଏ । ଅନ୍ୟକୁ ଅଯଥାରେ କଷ୍ଟ ଦିଏ । ତଦ୍ୱାରା ସେ ନିଜର ହିଁ ବହୁତ କିଛି କ୍ଷତି କରି ବସେ । ତୁମେ ଖରାପ ନ ଭାବିଲେ ମୁଁ ଖାଲି ଏତିକି ସଂକ୍ଷେପରେ କହିବି କି ସେ ଏକବାର ପଶୁ ହୋଇଯାଏ ।” ବନ୍ଧୁର ମଙ୍ଗଳ ପାଇଁହିଁ ସେ ଏକଥା କହିଲା ।

      ଏକଥା ଶୁଣି ପର୍ଶୁରାମ ହସି ପକାଇ କହିଲା, “କ’ଣ ତୁମେ ଭାବୁଛ ମୁଁ ଏତିକି ମାତ୍ର କଥା ଜାଣେ ନାହିଁ? ଯେଉଁ ବଡମାନଙ୍କ କଥା ତୁମେ କହୁଛ; ସେମାନେ ଆହୁରି ମଧ୍ୟ କହିଛନ୍ତି କି ଗରିବର କ୍ରୋଧ ଗରିବର କ୍ଷତି କରେ । ଏହାର ଅର୍ଥ ହେଉଛି ତାହା ଧନୀର କିଛିବି କ୍ଷତି କରିବ ନାହିଁ ।”

      “ଅନେକ ଥର କ୍ରୋଧ ଦ୍ୱାରା ଆମର ଲାଭ ମଧ୍ୟ ହୁଏ । ମୋର କ୍ରୋଧ ଦେଖି ଗାଡିବାଲା ଡରି ପଳାଇଲା । ତଦ୍ୱାରା ଆମର ତିନିଟଙ୍କା ଲାଭ ହେଲା । ମୋର ଦୈନନ୍ଦିନ ଜୀବନରେ ମଧ୍ୟ ଠିକ୍ ସେହିପରି ହୁଏ । କୁଲି ବା ମଜଦୁର ମାନେ ମୋ କ୍ରୋଧ ଦେଖି ଭୟରେ ଥରିଯା’ନ୍ତି । ଯାହା କାମ ଥାଏ ସେମାନେ ଚୁପ୍ଚାପ୍ ତାକୁ ଶେଷ କରିଦିଅନ୍ତି । ମୋ କଥା ଉପରେ ପ୍ରଶ୍ନ କରିବାକୁ କେହିବି ଏତେ ସାହସ କରନ୍ତି ନାହିଁ । ତୁମେ ଭାବୁଛ କି ତଦ୍ୱାରା ଆମର କ’ଣ ଲାଭ ହୁଏ? ଧନବାନ୍ଙ୍କର କ୍ରୋଧ ଗରିବଙ୍କ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ତେଣୁ ମୁଁ କ୍ରୋଧ ପ୍ରକାଶ କରିବାର ଅଭିନୟ କରି ବହୁତ କାମ କରାଇନିଏ ।”

      ତା’ପରେ ପର୍ଶୁରାମ ହଠାତ୍ ନଇଁ ପଡି କହିଲା “ଦେଖ, ଭୟରେ ଥରି ଉଠି ସେ ତା’ର ଗାଡିଭଡା ଦୁଇଟଙ୍କା ମଧ୍ୟ

ଏଇଠି ଫିଙ୍ଗି ଦେଇ ପଳାଇଛି । ଦେଖିଲ ତ ଆମ ପାଞ୍ଚଟଙ୍କା ଆମ ପାଖରେ ।”

ମୁକୁନ୍ଦ କହିଲା “ପର୍ଶୁରାମ, ତୁମେ କ’ଣ ସେ ଗାଡିବାଲାର ସମସ୍ତ ଟଙ୍କା ତୁମ କ୍ରୋଧବାଶରୁ ପାଇ ଖୁସି? ଯଦି ସତରେ ଖୁସି ହୋଇଥାଅ ତେବେ ତ ଏହା ଏକ ପ୍ରକାର ମାନସିକ ରୋଗ । ତୁମେ ଯଥାଶୀଘ୍ର ଏହାର ଉପଚାର ନକଲେ ଭବିଷ୍ୟତରେ ସେଥିପାଇଁ ଅନେକ କିଛି କ୍ଷତି ସହିବ ।”

ପର୍ଶୁରାମ କହିଲା “ସେ ସବୁ ଆଦର୍ଶଗତ କଥା ଏବଂ ମୁଁ ଭାବେ ତାସବୁ ବାଜେ କଥା, ସେହି ତୁଚ୍ଛା ଆଦର୍ଶର କୌଣସି ମୂଲ୍ୟ ନାହିଁ । ଗାଡିବାଲା ଟଙ୍କା ଠକି ନେବ, ଆଉ ସେକଥା କହିଲେ, ମୋର ଭୁଲ୍ ହେବ? ଇଏ କିପରି ନ୍ୟାୟ?”

ମୁକୁନ୍ଦ ହଠାତ୍ ଚମକି ଉଠି କହିଲା, “ପର୍ଶୁରାମ, ତୁମ କଥା ସତ୍ୟ । କିନ୍ତୁ ଦେଖ ତୁମ କ୍ରୋଧ ଯୋଗୁଁ ଗାଡି ଶୀଘ୍ର ପଳାଇଲା । ସେଥିରେ ମୋର ଥଳୀ ଥିଲା ଓ ତୁମେ ବରାଦ ଦେଇଥିବା ସୁନାଗହଣା ବି ଥିଲା । ତୁମ କ୍ରୋଧରୁ ଆମେ ସିନା ପାଞ୍ଚଟଙ୍କା ପାଇଲେ ହେଲେ ସେ ଗାଡିବାଲା ସୁନା ଅଳଙ୍କାର ସବୁ ପାଇଲା । ଏବେ ସୁନା ଜିନିଷ ଠାବ କରି ପୁଣି ପାଇବା ବହୁତ କଷ୍ଟ । ସହରରେ ତ ଶହଶହ ଗାଡିବାଲା ଅଛନ୍ତି । କ୍ରୋଧ ଯୋଗୁଁ ଲାଭ ହୁଏ ସତ କିନ୍ତୁ ତାହା ଅନ୍ୟ ପାଇଁ; ମାତ୍ର ନିଜପାଇଁ ତାହା ସଦା ସର୍ବଦା କ୍ଷତିହିଁ ହୁଏ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ