କ୍ରୋଧର ଅନ୍ୟନାମ ରାଗ । ନିଜ ଉପରେ ରାଗିବା, ଅନ୍ୟମାନଙ୍କ ଉପରେ ରାଗିବା – ଏହା ଏକ ଦୈନନ୍ଦିନ ଘଟଣା । ଏହା ଯେ କେବଳ ମଣିଷମାନଙ୍କଠାରେ ରହିଛି ତାହା ନୁହେଁ; ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତଙ୍କଠାରେ ମଧ୍ୟ ଏହି କ୍ରୋଧାବସ୍ଥା ରହିଛି । କିନ୍ତୁ ମଣିଷର ଅଧିକ ବୌଦ୍ଧିକ ଶକ୍ତି ଥିବାରୁ ଏହି ଅବସ୍ଥାକୁ ଅତି ସହଜରେ ଧରିହୁଏ । ସାପ ଉପରେ ଗୋଡ ପଡିଗଲେ ସେ ହଠାତ୍ ଫଁ ଫଁ ଶବ୍ଦ କରି କାମୁଡିବା ପାଇଁ ଗୋଡାଏ । ମହୁଫେଣାରେ ଆଘାତ କଲେ ମହୁମାଛି ଭଣ ଭଣ ଶବ୍ଦ କରି ମାରିବାକୁ ଧାଇଁ ଆସନ୍ତି । ପିମ୍ପୁଡି ସାମାନ୍ୟ ଜୀବ । ହଠାତ୍ ପିମ୍ପୁଡିମଳାରେ ଗୋଡ ପଡିଗଲେ ଶହ ଶହ ପିମ୍ପୁଡି ଗୋଡକୁ କାମୁଡି ପକାନ୍ତି । ସେହିପରି ପଶୁମାନେ ରାଗିଲେ ଶିଙ୍ଗ ଅଥବା ମୁହଁରେ ଆକ୍ରମଣ କରନ୍ତି ଓ ପକ୍ଷୀମାନଙ୍କ ଥଂଟ ଏହି କାର୍ଯ୍ୟ ସାଧନ କରିଥାଏ । ଆମମାନଙ୍କ ମଧ୍ୟରେ ରାଗ ଏତେ ମାତ୍ରାରେ ଭରି ରହିଛି ଯେ, ଜଣେ ରାଗିବା ମାତ୍ରକେ ସେ ପୁରାପୁରି ଲାଲ୍ ପଡିଯାଏ ।
କ୍ରୋଧ ଏକ ସାମୟିକ ଉତ୍ତେଜନା । ଏହା ମଶିଷର ପରମ ଶତ୍ରୁ । ସବୁ ମଣିଷ ମଧ୍ୟରେ ଭୁଲ୍ ଠିକ୍ ବିଚାର କରିବାର ଶକ୍ତି ରହିଛି । ତାକୁ ହିଁ ବିବେକ୍ କୁହାଯାଏ । ଏହା ସଦାସର୍ବଦା ଆମକୁ ଭଲ ବାଟରେ ନେଇଯାଏ । କ୍ରୋଧାବସ୍ଥାର ଏହା କିନ୍ତୁ ଉଚିତ୍ ମୁକାବିଲା ଆଦୌ କରିପାରେ ନାହିଁ । କ୍ରୋଧର ଉଗ୍ରରୂପ ନିକଟରେ ବିବେକ ହାର ମାନେ ।