ରାଗିବା ସମସ୍ତଙ୍କ ପାଇଁ ସମାନ ନୁହେଁ । ଶିଶୁମାନଙ୍କ ରାଗ ବାଳକ ବା ବଡ ବଡ ପିଲାମାନଙ୍କଠାରେ ଏକ ପ୍ରକାରର ହୋଇ ନପାରେ । ଶିଶୁ ରାଗିଲେ କାନ୍ଦିଉଠେ । କେତେବେଳେ ଖେଳନା ନ ପାଇ ସେ ରାଗିଥାଏ ତ ଆଉ କେତେବେଳେ ବାପାମା’ଙ୍କୁ ନ ଦେଖିଲେ ଏବଂ ଖାଇବାକୁ ବଳପ୍ରୟୋଗ କଲେ ସେ ହଠାତ୍ ରାଗିଉଠେ । ତା’ର ରାଗ ପ୍ରତି ବାପାମା’ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ହେଲେ କାରଣଗୁଡିକ ପାଇଁ ମୋଟେ ଧ୍ୟାନ ଦିଅନ୍ତି ନାହିଁ । ବାଳକ ଓ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପାଠ ପଢିବାକୁ କହିଲେ, ଖେଳିବା ପାଇଁ ବାରଣ କଲେ, ଟି.ଭି.କୁ ବହୁସମୟ ନ ଦେଖିବାପାଇଁ କହିଲେ ସେମାନେ ଏହାକୁ ଭଲ ମୋଟେ ମଣନ୍ତି ନାହିଁ । ତେଣୁ କ୍ରୋଧାଭାବ ପ୍ରକାଶ ପାଏ । ଅନେକଠାରେ ମଣିଷ ମଣିଷ ଉପରେ କୌଣସି ନା କୌଣସି କାରଣରୁ ପ୍ରତିଶୋଧ ପରାୟଣ ହୁଏ । ବୃଦ୍ଧମାନେ ଅସହାୟତା ଯୋଗୁଁ ରାଗିଉଠିଥା’ନ୍ତି । ପୁଅଝିଅଙ୍କଠାରୁ ସେବା ଶୃଶ୍ରୁଷା ଆଦି ଆଶା କରୁଥିବାବେଳେ ସେମାନେ ତାଙ୍କର ଉପଯୁକ୍ତ ଯତ୍ନ ନେଇପାରି ନଥା’ନ୍ତି । ତେଣୁ ଅନେକଠାରେ ସେମାନଙ୍କର ଅଶାନ୍ତି, ଅସନ୍ତୋଷ ପୁଞ୍ଜୀଭୂତ ହୋଇ ଅସ୍ଥିରାବସ୍ଥା ସୃଷ୍ଟିକରେ ।
କ୍ରୋଧକୁ ଜୟ କରିବା ଏତେ ସହଜ ନୁହେଁ । କ୍ରୋଧକୁ ଯେଉଁମାନେ ଜୟ କରନ୍ତି, ସେମାନେ ହିଁ ଠିକ୍ ମଣିଷ । ଏହି ଦେଶର ସେମାନେ ତ ଗର୍ବ ଓ ଗୌରବ । ତଥା ଦେଶର ସମ୍ପଦ । ସାଧୁ, ସନ୍ଥ, ସାଧକ, ଜ୍ଞାନୀ, ଗୁଣୀ ଓ ମହାପୁରୁଷମାନେ ହିଁ କେବଳ କ୍ରୋଧଠାରୁ ଦୂରେଇ ରୁହନ୍ତି । ଯିଏ ତାଙ୍କର ନିନ୍ଦା କରୁ ବା ପ୍ରଶଂସା କରୁ, ସେଥିପ୍ରତି ସେମାନଙ୍କର ଆଦୌ ଦୃଷ୍ଟି ନଥାଏ । ଅଧିକ ଜ୍ଞାନ ଆହରଣ କଲେ ଲୋକମାନଙ୍କର ସ୍ୱଭାବରେ ପରିବର୍ତ୍ତନ ଆସେ । ରାଗକୁ ଦୂର କରିବା ଲକ୍ଷରେ ଅନେକ ପୁରାଣ, ଶାସ୍ତ୍ର ରଚନା କରାଯାଇଛି । ଅନେକ ନୀତିକଥା ମଧ୍ୟ କୁହାଯାଇଛି । ତେଣୁ ଭଲ ବହି ପଢ । ଭଲ ଲୋକମାନଙ୍କର କଥା ଶୁଣ । ଗୁରୁଜନମାନଙ୍କର ଉପଦେଶ ଗ୍ରହଣ କର । ସଦାସର୍ବଦା ହସି ହସି ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କର । ଏହାଦ୍ୱାରା ନିଶ୍ଚୟ ବହୁ ତ୍ରୁଟି ସଂଶୋଧନ ହୋଇଯିବ ।