ଶେଖରଙ୍କ ଏଭଳି କଥା ଶୁଣି ଶୋଭା ହଠାତ୍ ଥଣ୍ଡା ପଡିଗଲେ । କିନ୍ତୁ ପୁଣି ଜୋଶ୍କୁ ଆସି ସେ କହିଲେ, “ବାଃ ବାଃ ତୁମ ମୁଣ୍ଡରେ ଯେଉଁ ବୁଦ୍ଧି । ଜମିବାଡି କାହାକୁ ଦେଇଗଲେ ଆମକୁ ବା କେମିତି ଆମଦାନୀ ମିଳିବ । ତୁମର ମା, ଭଉଣୀ ଏଇଠି ଗ୍ରାମରେ ରହି ଜମିବାଡି ବୁଝାବୁଝି କରିବେ । ଭଉଣୀର ପୁଣି ବିଭାଘର ପାଇଁ ଧନସଂଚୟ କରିବାକୁ ପଡିବ କି ନାହିଁ?” ଶେଖର ଅନନ୍ୟୋପାୟ ହୋଇ ଶୋଭାଙ୍କୁ ସଙ୍ଗରେ ଧରି ସହର ବାହାରିପଡିଲେ । ସହର ସନ୍ନିକଟସ୍ଥ ସେହି ଗ୍ରାମ ଶୋଭାଙ୍କର ଖୁବ୍ ପସନ୍ଦ ହେଲା । ଥରେ ଗଣେଶ ଚତୁର୍ଥୀରେ ଶେଖର ଗ୍ରାମକୁ ଯାଇଥିବା ସମୟରେ ଭଉଣୀ କହିଲା, “ଦଶହରା ପର୍ବ ସମୟରେ ଆମେ ତୁମ ପାଖକୁ ଯାଇ, ଦୀପାବଳୀ ପର୍ଯ୍ୟନ୍ତ ରହିବୁ । ସହର ଦେଖିବା ପାଇଁ ମୋର ବହୁତ ଆଗ୍ରହ ରହିଛି ।”
ଶୋଭା ଚାହୁଁ ନ ଥିଲେ । ଶାଶୁ ବା ନଣନ୍ଦ କେହି ତାଙ୍କ ପାଖକୁ ଆସନ୍ତୁ ବା କିଛିଦିନ ରହନ୍ତୁ । ତେଣୁ ଦଶହରା ପର୍ବ ପୂର୍ବରୁ ସେ ଅସୁସ୍ଥତାର ଛଳନା କଲେ । ବିଚରା ଶେଖରଙ୍କୁ ଗ୍ରାମକୁ ଏହି ଖବର ପଠାଇବା ପାଇଁ ପଡିଲା ଯେ, ସେମାନେ ଦୀପାବଳୀ ସମୟକୁ ସହରକୁ ଆସନ୍ତୁ । ଦୀପାବଳୀ ପାଖେଇ ଆସିବାରୁ ଶୋଭା କହିଲେ, “ଦଶହରା ବେଳେ ମୁଁ ରେଶମୀ ଶାଢୀ କିଣିଥିବାରୁ, ଏବେ ଆଉ ଶାଢୀ ନ କିଣି ସୁନାଚୁଡି ଚାରିପଟ କିଣିବି ବୋଲି ସ୍ଥିର କରିଛି ।”
ଶେଖର ହସି ହସି କହିଲେ, “ମା ଓ ଭଉଣୀ ପ୍ରଥମ କରି ସହର ଆସିବେ । ସେମାନଙ୍କ ପାଇଁ ଶାଢୀ କିଣିଦେବାପରେ ତୁମ ପାଇଁ ଚୁଡି କଥା ଭାବିବା ।” ମାତ୍ର ଶୋଭା ଜିଦ୍ କରି କହିଲେ “ଏବେ ଏତେ ଖର୍ଚ୍ଚ କରିବା କଣ ଆବଶ୍ୟକ? ଭଉଣୀର ବିବାହ ସମୟରେ କିଣିଲେ କଣ ଚଳିବନି? ମୁଁ ଭାବୁଥିଲି ତୁମ ପାଖରେ ଯଥେଷ୍ଟ ଅର୍ଥନାହିଁ । ତେଣୁ ମାତ୍ର ଚାରିପଟ ଚୁଡି କିଣିବା କଥା କହିଲି । କିନ୍ତୁ ଏବେ ମୁଁ ସୁନାହାର କିଣିବା ପାଇଁ ଚାହୁଁଛି ।”
ଶେଖର ତାଙ୍କୁ ବୁଝେଇବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ଶେଷରେ ବିଫଳ ହେଲେ । ସେହିଦିନ ସଂନ୍ଧ୍ୟାରେ ସେମାନେ ସହରକୁ ଆସିଲେ । ଗହଣା ଦୋକାନରେ ବିଭିନ୍ନ କିସମର ଗହଣା ଭିତରୁ ଏକ ମୋତି ଖଚିତ ସୁନାହାର ଶୋଭାଙ୍କର ପସନ୍ଦ ହେଲା । ସେ ଦୋକାନରେ ତ ଗ୍ରାହକଙ୍କ ଭିଡ ଜମିଥାଏ । ଶୋଭା ହାରଟିକୁ ଦେଖାଇ ତା’ ଦାମ୍ ପଚାରିଲେ । ଓଜନ କରି ସେ ସେଇଟିର ଦାମ୍ ସାତହଜାର ଟଙ୍କା, କହିଲେ ।
ଏତେ ଅଧିକ ଦାମ୍ ହୋଇଥିଲେ ମଧ୍ୟ ଶୋଭାଙ୍କର ସେଇ ହାରଟିକୁ ନେବା ପାଇଁ ଏକାଜିଦ୍ । ଶେଖର ରାଜିହେବାରୁ ଦୋକାନର କର୍ମଚାରୀ ମାଲିକଙ୍କୁ ବଡ ପାଟିରେ ‘ସାତହଜାର’ ଟଙ୍କା କରି ହାରଟିକୁ ଏକ ଡିବା ମଧ୍ୟରେ ରଖି ଶୋଭାଙ୍କୁ ହାତକୁ ତାହା ବଢାଇଦେଲେ ।
ହାରର ଓଜନ ଓ ଦାମ୍ ସମ୍ଭବତଃ ମାଲିକ୍ ଠିକ୍ ରୂପେ ଶୁଣିପାରିଲେ ନାହିଁ । ତେଣୁ ତାହାକୁ ତିନିହଜାର ଟଙ୍କା ହିସାବ କରି ରସିଦ୍ ଦେଲେ । ଶେଖର ଏହି ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବାରୁ ପତ୍ନୀ ଶୋଭା ତାଙ୍କୁ ବାରଣ କରି ନିମ୍ନ ସ୍ୱରରେ କହିଲେ, “ତୁମେ ଆଉ ପାଗଳ ହୋଇଯାଇ ନାହଁ ତ? ଦୀପାବଳୀ ସମୟରେ ଘରକୁ ଆସୁଥିବା ଲକ୍ଷ୍ମୀକୁ ଫେରେଇଦେଉଛ! ତିନିହଜାର ଟଙ୍କା ଦେଇ ଏଠାରୁ ଶୀଘ୍ର ବାହାରି ଆସ । ବାକୀ ଚାରିହଜାର ଟଙ୍କାରେ ମୁଁ ଚୁଡି କିଣିନେବି ।”
ଶେଖର ବାହାରକୁ ଆସି କହିଲେ, “ବଳକା ଟଙ୍କାରେ ମା’ ଓ ଭଉଣୀଙ୍କ ପାଇଁ ଶାଢୀ କିଣି ନେବା ।”
“କଣ କହିଲ” ଶାଢୀ କିଣିବ? ମୁଁ ଯଦି ତୁମକୁ କହି ନ ଥାନ୍ତି ତେବେ ସେ ଚାରିହଜାର ଟଙ୍କା ତୁମେ ପରା ଦୋକାନୀକୁ ଯାଚି କରି ଦେଇଆସିଥାନ୍ତ । ତେଣୁ ସେହି ଟଙ୍କା ଉପରେ ତୁମର ଆଉ କୌଣସି ଅଧିକାର ନାହିଁ ।” ଶୋଭାଙ୍କର ଏହି ଅଜବ ଯୁକ୍ତି ସମ୍ମୁଖରେ ଶେଖର ଆଉ ପାଟି ଫିଟେଇ ପାରିଲେ ନାହିଁ ।
ଘରେ ପହଁଚି, ହାରଟିକୁ ମନପୁରେଇ ଦେଖିବାକୁ ଗଲାବେଳେ ଶୋଭା ଦେଖିଲେ ତାର ଅଙ୍କୁଶଟି ଭାଙ୍ଗିଯାଇଛି । ପରଦିନ ନିକଟବର୍ତ୍ତୀ ସୁନାରୀ ଦୋକାନକୁ ନେବାରୁ ସେ କହିଲେ, “ମୋର କାହିଁ ମନେ ହେଉଛି ଯେ ଏହା ଏକ ନକଲିହାର । କିଣିଥିବା ଦୋକାନକୁ ନେଇ ସେଠାରେ ସଜାଡି ନିଅ ।”
ଏଭଳି କଥା ଶୁଣି ଶୋଭାଙ୍କର ମଥା ଯେମିତି ଅଚାନକ ଘୁରିଗଲା । ସହରର ଗହଣା ଦୋକାନରେ ଦିନ ଦି ପହରରେ ତାଙ୍କୁ ଶେଷରେ ଠକି ହେବା ପାଇଁ ପଡିଲା । ସେହିଦିନ ସଂନ୍ଧ୍ୟା ସମୟରେ ପତିପତ୍ନୀ ଗହଣା ଦୋକାନରେ ପହଁଚି, ନକଲି ହାରଟି ଦେଖାଇ କ୍ରୋଧରେ ଚିତ୍କାର କଲେ, “ଏପରି ଠକାମୀ ପାଇଁ ଆମେ ତୁମକୁ ଉପଯୁକ୍ତ ଦଣ୍ଡ ଦିଆଇବୁ ।”