ଦେଖ ମୋର ନିର୍ବୋଧତା ବୃକ୍ଷରୁ ବିଷମୟ ଫଳ ହୋଇଛି ।
ଗୋପାଳ କହିଲା –
ଆଜ୍ଞା ମଣିମା ।
ଗୋପାଳ ତାକୁ ଅମୃତମୟ କରିବାକୁ ପ୍ରସ୍ତୁତ ଅଛି । କଥାଟା କ’ଣ?
ରାଜା କହିଲେ –
କେତେ ଗୁଡିଏ ଜ୍ୟୋତିର୍ବିଦ୍ ପଣ୍ଡିତମାନେ ନବାବ୍ଙ୍କ କାରାଗାରରେ ବନ୍ଦୀ ହୋଇ ଅଶେଷ କ୍ଳେଶ ଭୋଗ କରୁଛନ୍ତି । ସେଥି ସକାଶେ ମୁଁ ବଡ ଦୁଃଖ ଅନୁଭବ କରୁ ଅଛି । ସେମାନଙ୍କୁ କି ଉପାୟରେ ମୁଁ ମୁକ୍ତି କରିବି ତାହା ଭାବି ସ୍ଥିର କରି ପାରୁ ନାହିଁ । ଗୋପାଳ କହିଲେ –
ଆପଣ କି ସକାଶେ ପଣ୍ଡିତ ଗଣଙ୍କୁ ନବାବ୍ଙ୍କଠାକୁ ପଠାଇ ଥିଲେ? କି ଅପରାଧରେ ନବାବ୍ ତାଙ୍କୁ ବନ୍ଦୀ କରିଲେ? ତହୁଁ ରାଜା କହିଲେ –
ଗୋପାଳ, ପ୍ରଥମରେ ନବାବ୍ ମୋଠାରୁ କେତେ ଜଣ ଜ୍ୟୋତିର୍ବିଦ୍ ପଣ୍ଡିତ ତାଙ୍କ ନିକଟକୁ ପଠାଇ ଦେବାକୁ କହିଲେ । ମୁଁ ମଧ୍ୟ ମୋ ମନରେ କିଛି ସନ୍ଦେହ ନ କରି ପଣ୍ଡିତ ମାନଙ୍କୁ ନବାବ୍ ସରକାରଙ୍କଠାକୁ ପଠାଇ ଦେଲି । ନବାବ୍ ସାହେବ୍ ପଣ୍ଡିତ ମାନଙ୍କୁ ପଚାରିଲେ –
– ମାଟିର ତଳେ କ’ଣ ଅଛି?
ପଣ୍ଡିତ ମାନେ ନବାବ୍ଙ୍କୁ କୌଣସି ଉତ୍ତର ଦେଇ ପାରିଲେ ନାହିଁ । ସେହି ଦୋଷରୁ ନବାବ୍ ସାହେବ୍ ପଣ୍ଡିତ ମାନଙ୍କୁ କାରାଗାରରେ ବନ୍ଦୀ କରି ରଖି ଅଛନ୍ତି । ପଣ୍ଡିତ ମାନଙ୍କୁ ଆହୁରି ମଧ୍ୟ ନବାବ୍ କହିଛନ୍ତି –
ମାଟି ତଳେ କଅଣ ଅଛି ଏକଥା ଯେତେ ଦିନ ଯାଏଁ ଗଣନା କରି ନ କହିଛ, ସେତେ ଦିନ ପର୍ଯ୍ୟନ୍ତ ତୁମ୍ଭେ ମାନେ ଏହି କାରାଗାରରେ ବାସସ୍ଥାନ କରିବ । ଗୋପାଳ! ମୁଁ ଜାଣେ ତୁମ୍ଭେ ବଡ ଚତୁର । ଭଲା କୁହ ଦେଖି ଏହାର କି ପ୍ରତିକାର ଅଛି? ରାଜାଙ୍କର କଥା ଶୁଣି ଗୋପାଳ ଦରହସା ହୋଇ କହିଲେ –
ମହାରାଜ!
ଏଥି ସକାଶେ ଆପଣ ଏତେ ଚିନ୍ତିତ କାହିଁକି?
ମାଟିର ତଳେ କଣ ଅଛି ନଅଛି ଏହାର ଗଣନା ମୁଁ ଉତ୍ତମ ରୂପେ ଜାଣେ । ଆପଣ କିଛି ଚିନ୍ତା କରନ୍ତୁ ନାହିଁ । ମୁଁ ୨/୪ ଦିନ ମଧ୍ୟରେ ପଣ୍ଡିତ ମାନଙ୍କୁ କାରାଗାରରୁ ମୁକ୍ତ କରି ନେଇ ଆସିବି ।
ମହାରାଜା ଏ କଥା ଶୁଣି ପୁଣି କହିଲେ –
ହେ ଗୋପାଳ ପାରିବତ?
ପୁଣି ତୁମକୁ ନବାବଙ୍କଠାକୁ ପଠାଇ ଯେପରି ମୁଁ ବିଷମ ଚିନ୍ତାରେ ନପଡେ । ଗୋପାଳ କହିଲା –
ମହାରାଜ!
ଆପଣ ଚିନ୍ତାକୁ ଦୂରକୁ ଫୋପାଡି ଦେଇ ନିତ୍ୟ କର୍ମ କରନ୍ତୁ । ମୁଁ ଯାଉଛି ନବାବ ସାହେବଙ୍କ ସଭାକୁ ଯିବା ପାଇଁ ପ୍ରସ୍ତୁତ ହେବି । ଏହା କହି ଗୋପାଳ ନିଜ ଘରକୁ ଚାଲି ଗଲେ । ରାଜା କୃଷ୍ଣ ଚନ୍ଦ୍ର ମଧ୍ୟ ଅନ୍ତଃପୁରକୁ ବିଜେ କଲେ ।