ଯେଉଁ ନାଗମାନେ ରାଜାଙ୍କୁ ବିନାଶ କରିବାକୁ ଯାଇଥିଲେ, ସେମାନେ ଦେଖିଲେ, ଏଥିରେ ରାଜାଙ୍କର ଆଦୌ ଦୋଷ ନାହିଁ । ଦୋଷ ହେଉଛି ନାଗକନ୍ୟାର । ନାଗପୁରର କନ୍ୟା ହୋଇ ପୃଥିବୀର ଗୋଟିଏ ଇତର ସର୍ପ ସହିତ ବିହାର କରିବା ସମଗ୍ର ନାଗରାଜ୍ୟ ପକ୍ଷରେ ନିନ୍ଦାର ବିଷୟ । ତେଣୁ ସେମାନେ ରାଜାଙ୍କୁ ବିନାଶ ନକରି ଫେରିଗଲେ ଓ ନାଗରାଜାଙ୍କୁ ସମସ୍ତ ବିଷୟ ଜଣାଇଲେ । ନାଗରାଜାଙ୍କର ସେନକଙ୍କ ପ୍ରତି ସ୍ନେହ ଓ ମମତା ଆହୁରି ବୃଦ୍ଧି ପାଇଲା । ସେ ତକ୍ଷଣାତ୍ ସେନକଙ୍କ ଶୟନାଗାରକୁ ଆସି ସମସ୍ତ ଘଟଣା କହି କ୍ଷମାପ୍ରାର୍ଥନା କଲେ ଓ ହଠାତ୍ ତାଙ୍କୁ ଧ୍ୱଂସ କରିବାକୁ କହିଥିବାରୁ ଅନୁତାପ କଲେ । ତାପରେ ସେ କହିଲେ, “ବନ୍ଧୁ, ମୁଁ ତୁମକୁ ଆଉ ଗୋଟିଏ ମନ୍ତ୍ର ଦେଉଛି; କିନ୍ତୁ ସାବଧାନ! ତୁମେ ଏ ମନ୍ତ୍ର ଅନ୍ୟ କାହାକୁ କହିବନାହିଁ । କହିଲେ ତୁମେ ଅଗ୍ନିରେ ପ୍ରବେଶ କରି ଧ୍ୱଂସ ହୋଇଯିବ । ଏହି ମନ୍ତ୍ର ବଳରେ ତୁମେ ପୃଥିବୀର ଛୋଟ ବଡ ଯେକୌଣସି ଜୀବର ଭାଷା ବୁଝିପାରିବ ।” ଏହା କହି ସେ ରାଜାଙ୍କୁ ସେହି ଅମୂଲ୍ୟ ମନ୍ତ୍ରଟି ଶିଖାଇଦେଲେ । ସେହିଦିନଠାରୁ ରାଜା ସବୁ ଜୀବଙ୍କର ଭାଷା ବୁଝିପାରିଲେ ।
ଦିନେ ସେ ଖାଇବସିଥିଲେ । ଅନ୍ୟାନ୍ୟ ଜିନିଷ ସହିତ ମହୁ ଓ ଗୁଡ ରାଜାଙ୍କୁ ଦିଆଯାଇଥିଲା । ତାଙ୍କ ହାତରୁ ଟିକିଏ ମହୁ, ଟିକିଏ ଗୁଡ ଓ ଟିକିଏ ରୁଟି ତଳେ ପଡିଗଲା । ଗୋଟିଏ ପିମ୍ପୁଡି ତା’ର ସାଥିମାନଙ୍କୁ ଡାକି କହିଲା, “ରାଜାଙ୍କର ମହୁ ମାଠିଆ, ଗୁଡମାଠିଆ ଛିଡି ପଡିଛି । କେତେଗାଡି ରୁଟି ବି ପଡିଛି । ଆସ, ଯିଏ ଯେତେ ପାରିବ ଖାଅ ।” ରାଜା ପିମ୍ପୁଡିର କଥା ଶୁଣି ହସିଉଠିଲେ । ରାଣୀ ରାଜାଙ୍କ ପାଖରେ ବସିଥିଲେ । ରାଜାଙ୍କ ହସିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ଖାଇସାରି ଆସନରେ ବସି ବିଶ୍ରାମ ନେଲେ । ଏହି ସମୟରେ ଗୋଟିଏ ମାଛି ତା’ର ସ୍ତ୍ରୀକୁ କହିଲା, “ଆସ, ଦୁହେଁ ଏକାଠି ବସି ଟିକିଏ ମଧୁର ଆଳାପ କରିବା ।” ମାଛିର ସ୍ତ୍ରୀ କହିଲା, “ଟିକିଏ ଅପେକ୍ଷା କର । ଦାସୀମାନେ ରାଜାଙ୍କ ପାଇଁ ନାନା ସୁଗନ୍ଧ ଦ୍ରବ୍ୟ ନେଇ ଆସୁଛନ୍ତି । ତାଙ୍କ ଦେହରୁ ଯାହା ଖସିପଡେ ସେଥିରେ ଆମ ଦୁହିଁଙ୍କ ଦେହ ମଧ୍ୟ ସୁଗନ୍ଧ ହୋଇଯିବ । ତାହାପରେ ରାଜାଙ୍କ ପିଠି ଉପରେ ବସି ମଜା ଗପ କରିବା ।”