ମାଛି ଦୁଇଟିଙ୍କର ଏହି ବିଚାର ଶୁଣି ରାଜା ପୁଣି ହସିଉଠିଲେ । ଏଥର ମଧ୍ୟ ରାଣୀ ରାଜାଙ୍କ ହସର କୌଣସି କାରଣ ଅନୁମାନ କରିନପାରି ଏକାନ୍ତ ବିସ୍ମିତ ହେଲେ । ରାତିରେ ଖାଇବାବେଳେ ରାଜାଙ୍କ ହାତରୁ କେତେଟା ଭାତ ତଳେ ପଡିଗଲା । ପାଖରେ କେତୋଟି ପିମ୍ପୁଡି ଥିଲେ । ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲ, “ରାଜାଙ୍କ ଭାତଶଗଡ ତଳେ ପଡିଯାଇଛି । ଖାଇବାକୁ କିଏ ଅଛି? ଏଥିରେ ଆମର ପଚିଶ ତିରିଶ ବର୍ଷ ଚଳିଯିବ ।” ପିମ୍ପୁଡିମାନଙ୍କ କଥା ଶୁଣି ରାଜା ଆହୁରି ଥରେ ହସିଲେ । ଏଥର ମଧ୍ୟ ରାଣୀ ହସର କୌଣସି କାରଣ ସ୍ଥିର କରିନପାରି ଭାବିଲେ, ‘ବୋଧହୁଏ ରାଜା ମୋତେ ଦେଖି ହସୁଛନ୍ତି ।’ ତାଙ୍କୁ ପଚାରି କାରଣ ଜାଣିବାକୁ ସେ ସ୍ଥିର କଲେ ।
ଶୋଇବାବେଳେ ରାଣୀ ରାଜାଙ୍କୁ ପଚାରିଲେ, “ଆଜି କୌଣସି କାରଣ ନଥାଇ ତୁମେ ତିନି ଥର ହସିଛ । ସେତେବେଳେ ପାଖରେ ମୋ ଛଡା ଆଉ କେହି ନଥିଲେ । ତୁମ ହସର କାରଣ ମୋତେ କହିବାକୁ ହେବ ।” ରାଜା କହିଲେ, “ମୁଁ କାହିଁକି ହସିଲି, ସେଥିରୁ ତୁମେ କଅଣ ପାଇବ? ମୋ ମନହେଲା, ମୁଁ ହସିଲି ।” କିନ୍ତୁ ରାଣୀ ଏତିକିରେ ଚୁପ୍ ରହିବାର ପାତ୍ର ନୁହଁନ୍ତି । ସେ କହିଲେ, “କିଛି କାରଣ ନଥାଇ କେହି କେବେ ହସେ? ତୁମ ହସର କିଛି ନା କିଛି କାରଣ ଥିବ । ସେ କାରଣଟି ମୋତେ କୁହ ।” ରାଜା ଯେତେପ୍ରକାରେ ମନାକଲେ ସୁଦ୍ଧା ରାଣୀ ଜିଦ୍ ଧରି ବସିଲେ – ହସର କାରଣ ମୋତେ କୁହ । ଶେଷରେ ରାଜା ସତ କଥା କହିବାକୁ ବାଧ୍ୟ ହେଲେ । ଏଣେ ରାଣୀଙ୍କର ଆଉ ଏକ ଜିଦ୍ ହେଲା ତମେ ଯେଉଁ ମନ୍ତ୍ର ବଳରେ ପିମ୍ପୁଡି ମାଛିଙ୍କର କଥା ବୁଝିପାରିଲ, ମୋତେ ସେ ମନ୍ତ୍ରଟି ଦିଅ । ତାହାହେଲେ ମୁଁ ମଧ୍ୟ ସେମାନଙ୍କ କଥା ବୁଝିପାରିବି । ଏବେ ରାଜା ମହାଅଡୁଆରେ ପଡିଲେ । ସେ କହିଲେ, “ତୁମକୁ ଏ ମନ୍ତ୍ର ଦେଲେ ମୋତେ ନିଆଁରେ ପୋଡିହୋଇ ମରିବାକୁ ହେବ ।” ରାଣୀ ଜିଦ୍ ଧରିଲେ, “ଯାହା ହେଲେ ହେଉ, ମୁଁ ତୁମଠାରୁ ମନ୍ତ୍ର ଶିଖିବି ।”