ଶେଷରେ ରାଜା କହିଲେ, “ଯେବେ ତୁମେ ମୋ ପ୍ରାଣର ଆଶା ଛାଡି ମନ୍ତ୍ର ଶିଖିବାକୁ ଚାହୁଁଛ, ତେବେ ଚାଲ, ବଗିଚାରେ ତୁମକୁ ମନ୍ତ୍ର ଦେଇ ମୁଁ ନିଆଁରେ ପ୍ରାଣ ହରାଇବି ।” ରାଜା ଗୋଟିଏ ରଥରେ ବସି ଉଦ୍ୟାନକୁ ଯିବାକୁ ବାହାରିଲେ । ଦେବରାଜ ଶକ୍ର ସ୍ୱର୍ଗରେ ଥାଇ ରାଜାଙ୍କର ଏହି କାର୍ଯ୍ୟ ଜାଣିପାରି ଭାବିଲେ, “ରାଜା ସେନକ ନାରୀର ବଶବର୍ତ୍ତୀ ହୋଇ ନିଜର ଜୀବନ ତ୍ୟାଗ କରିବାକୁ ବସିଛନ୍ତି; ତାଙ୍କୁ ଏହି ଉଦ୍ୟମରୁ ବିରତ କରି ତାଙ୍କ ଜୀବନ ରକ୍ଷା କରିବାକୁ ହେବ । ତେଣୁ ସେ ନିଜେ ଗୋଟିଏ ଅଣ୍ଡିରା ଛେଳି ରୂପ ଧରିଲେ ଓ ଜଣେ ଅପ୍ସରାକୁ ଗୋଟିଏ ମାଈ ଛେଳି ରୂପ ଦେଇ ରାଜା ସେନକଙ୍କ ଉଦ୍ୟାନ ନିକଟକୁ ଆସିଲେ ଓ ତାଙ୍କ ରଥର ସମ୍ମୁଖରେ ଛିଡାହେଲେ । ଶକ୍ର ଏପରି ମାୟା କରିଥିଲେ ଯେ ରାଜା ଓ ତାଙ୍କ ରଥରେ ଲାଗିଥିବା ଅଶ୍ୱମାନଙ୍କ ଛଡା ଅନ୍ୟ କେହି ତାଙ୍କୁ ବା ଅପ୍ସରାକୁ ଦେଖିପାରୁ ନଥିଲେ । ଅଣ୍ଡିରା ଛେଳିଟି ମାଈ ଛେଳି ସହିତ ରମଣ କରିବା ଭଳି ଭାବଭଙ୍ଗୀ ଦେଖାଇଲା । ରଥର ଗୋଟିଏ ଅଶ୍ୱ ତାହା ଦେଖି ତାକୁ କହିଲା, “ମୁଁ ଶୁଣିଥିଲି ଯେ ଛେଳିମାନେ ମୂର୍ଖ ଓ ନିର୍ଲଜ୍ଜ; କିନ୍ତୁ ଏବେ ତାହା ଆଖିରେ ଦେଖିଲି । ଏତେ ଲୋକଙ୍କ ସମ୍ମୁଖରେ ଏଭଳି କାର୍ଯ୍ୟ କରିବାକୁ ତୁମର ଲଜ୍ଜା ହେଉନାହିଁ? ଗୋପନ ସ୍ଥାନରେ ଏକାନ୍ତରେ ରମଣ କ୍ରିୟା କରାଯାଏ; କିନ୍ତୁ ତୁମେ ସର୍ବସାଧାରଣରେ ସେହି କାର୍ଯ୍ୟ କରିବାକୁ ଯାଉଥିବାରୁ ମୁଁ ଭାବୁଛି, ତୁମେ ନିତାନ୍ତ ମୂର୍ଖ ଓ ନିର୍ଲଜ୍ଜ ।”
ଅଣ୍ଡିରା ଛେଳିଟି ଉତ୍ତର କଲା, “ତୁମେ ତ ଊଣା ମୂର୍ଖ ନୁହଁ! ଆଜ୍ଞା, ତୁମଠାରେ ଲଗାମ୍ ଓ କଳିଆରି ଲାଗିଥିଲାବେଳେ ତୁମେ ବାଧ୍ୟହୋଇ ସଇସର କଥା ମାନି ରହିଥାଅ । ତୁମଠାରେ ଲଗାମ୍ ଓ କଳିଆରି ନଥିଲାବେଳେ ତୁମେ ସ୍ୱଚ୍ଛନ୍ଦରେ ପଳାଇ ପାରନ୍ତ; କିନ୍ତୁ ତୁମେ ତାହା କରନାହିଁ, ତେଣୁ ତୁମେ ମଧ୍ୟ ମୂର୍ଖ! ତୁମେ ଯେଉଁ ସେନକକୁ ରଥରେ ବସାଇ ନେଉଛ, ସେ ତୁମଠାରୁ ବଳି ମୂର୍ଖ ।”
ସେନକ ରଥରେ ବସି ଛେଳି ଓ ଘୋଡାଙ୍କର କଥାବାର୍ତ୍ତା ଶୁଣୁଥିଲେ । ଛେଳି ତାଙ୍କ ବିଷୟରେ ଏଭଳି ମତ ଦେବାରୁ ସେ ଆହୁରି ମନୋଯୋଗ ଦେଇ ଦୁହିଁଙ୍କର କଥାବାର୍ତ୍ତା ଶୁଣିବାକୁ ଲାଗିଲେ ।
ଅଶ୍ୱମାନେ କହିଲେ, “ତୁମେ ଆମକୁ ନିର୍ବୋଧ, ମୂର୍ଖ ଯାହା କିଛି କହ, ସେଥିରେ କ୍ଷତିନାହଁ; କିନ୍ତୁ ରାଜା ସେନକଙ୍କୁ ଆମଠାରୁ ନିର୍ବୋଧ ବୋଲି କହୁଛ କିପରି? ଆମେ ଜାଣିବାରେ ସେ ବିବେକୀ, ଧାର୍ମିକ ।”