ଛେଳି କହିଲା, “ଯେଉଁ ରାଜା ତା’ର ଧନସମ୍ପତ୍ତି ସବୁ ତା’ର ରାଣୀକୁ ଦେଇପକାଏ, ସେ ନିଶ୍ଚୟ ନିର୍ବୋଧ । କାରଣ ପତ୍ନୀକୁ ଯେତେ ଦେଲେ ମଧ୍ୟ ସେ ସ୍ୱାମୀ ପ୍ରତି ଚିରକାଳ ଅନୁରକ୍ତା ରହେ ନାହିଁ । ଯେଉଁ ଲୋକ ନିଜର ଜୀବନକୁ ସ୍ତ୍ରୀ ହାତରେ ସମର୍ପି ଦିଏ ସେ ମହାମୂର୍ଖ ନୁହେଁ କି?”
ସେନକ ଛେଳି କଥାର ମର୍ମ ବୁଝିପାରି ପଚାରିଲେ, “ତୁମେ ମୋର ଅବସ୍ଥା ଜାଣିପାରିଛ ତୁମେ ଯେ ମୋର ମଙ୍ଗଳ ଚାହଁ ଏଥିରେ ସନ୍ଦେହ ନାହିଁ । ଏ ପରିସ୍ଥିତିରେ ମୋର କର୍ତ୍ତବ୍ୟ କଅଣ ବୁଝାଇଦିଅ ।”
ଛେଳି କହିଲା, “ହେ ରାଜା, ପ୍ରତ୍ୟେକ ପ୍ରାଣୀ ପକ୍ଷରେ ତା’ର ନିଜର ଜୀବନଟି ହେଉଛି ସବୁଠାରୁ ଅଧିକ ପ୍ରିୟ । ପତ୍ନୀ, ପୁତ୍ର, କନ୍ୟା, ଧନ, ଜନ କେହି ଜୀବନଠାରୁ ବଡ ନୁହେଁ । ତେଣୁ ଅନ୍ୟ କୌଣସି ଲାଭ ଆଶାରେ ନିଜର ଜୀବନକୁ ତ୍ୟାଗ କରିବା ଉଚିତ୍ ନୁହେଁ । ପତ୍ନୀର ଅଭିଳାଷ ପୂର୍ଣ୍ଣ କରିବାକୁ ଆପଣ ନିଜ ଜୀବନ ଦେବାକୁ ଯାଉଅଛନ୍ତି । ଜୀବନଠାରୁ ବଳି ଆଉ କିଛି ନାହିଁ; ଜୀବନ ଥିଲେ ଯେକୌଣସି ଅଭିଳାଷ ପୂରଣ କରାଯାଇ ପାରିବ ।”
ରାଜା ଆନନ୍ଦିତ ହୋଇ କହିଲେ, “ମୁଁ ଏବେ ବୁଝିଛି; ପତ୍ନୀର ସନ୍ତୋଷପାଇଁ ନିଜର ଜୀବନ ହରାଇବା ଉଚିତ୍ ନୁହେଁ । ଆପଣ ମୋର ମହାନ୍ ଉପକାର କରିଅଛନ୍ତି । ଆପଣ କିଏ, କେଉଁଠାରୁ ଆସିଛନ୍ତି ।”
ବୋଧିସତ୍ୱ ଉତ୍ତର କଲେ, “ମୁଁ ଦେବରାଜ ଶକ୍ର । ତୁମର ଜୀବନ ରକ୍ଷା କରିବାପାଇଁ ଛେଳି ରୂପରେ ଆସିଥିଲି ।”
ତହୁଁ ରାଜା ପଚାରିଲେ, “ମୁଁ ମନ୍ତ୍ରଟି ଦେବି ବୋଲି କହିସାରିଛି । ଏବେ ନିଜର ବାକ୍ୟଭଙ୍ଗ କରିବି କିପରି?”
ବୋଧିସତ୍ୱ କହିଲେ, “କୌଶଳ କଲେ ସେ ଆଉ ମନ୍ତ୍ର ଶିଖିବାକୁ ଚାହିଁବେ ନାହିଁ । କେବଳ କିଛି ଉତ୍ତମ ମଧ୍ୟମର ଅବସ୍ଥା କଲେ ହେଲା?” ଏହା କହି ବୋଧିସତ୍ୱ ନିଜରୂପ ଧରି ଅପ୍ସରା ସହିତ ସ୍ୱର୍ଗକୁ ଫେରିଗଲେ ।
ରାଜା ଉପବନରେ ବସି ରାଣୀଙ୍କୁ ଡକାଇ କହିଲେ, “ଆସ ମନ୍ତ୍ର ନେବାପାଇଁ ପ୍ରସ୍ତୁତ ହୁଅ । ଏ ମନ୍ତ୍ର ଶିଖିବାକୁ ହେଲେ ପ୍ରଥମେ ଶହେ ପ୍ରହାର ଖାଇବାକୁ ହୁଏ । ପ୍ରହାର ବେଳେ କାନ୍ଦିଲେ ମନ୍ତ୍ରର ଶକ୍ତି ନଷ୍ଟ ହୋଇଯାଏ । ତେଣୁ ଆସ, ଆଗେ ଶହେ ପ୍ରହାର ନିଅ ତତ୍ପରେ ମୁଁ ମନ୍ତ୍ର କହିଦେବି ।”
ମନ୍ତ୍ରଟି ଶିଖି ରାଣୀ ସବୁ ଜୀବଙ୍କର ଭାଷା ବୁଝିବେ ବୋଲି ଏତେ ଆଗ୍ରହୀ ହୋଇଥିଲେ ଯେ ସେ ଏତିକିରେ ନିରସ୍ତ୍ର ହେଲେ ନାହିଁ । ସେ ପ୍ରହାର ସହ୍ୟ କରି ମଧ୍ୟ ମନ୍ତ୍ର ଶିଖିବାର ଇଚ୍ଛା ପ୍ରକାଶ କଲେ । ତହୁଁ ରାଜାଙ୍କ ଆଦେଶରେ ଜଣେ ଭୃତ୍ୟ ତାଙ୍କ ପିଠିରେ ବେତ୍ରାଘାତ କରିବାକୁ ଲାଗିଲା । ଚାରି ପାଂଚ ପ୍ରହାର ପରେ ରାଣୀ କାନ୍ଦି କାନ୍ଦି କହିଲେ, “ଥାଉ, ଥାଉ, ମୋର ମନ୍ତ୍ର ଜାଣିବା ଦରକାର ନାହିଁ ।”
ମାତ୍ର ରାଜା କହିଲେ, “ହେ ପାପୀୟସି! ତୁ ମନ୍ତ୍ର ଶିଖିବାପାଇଁ ମୋତେ ମରଣ ମୁହଁକୁ ଠେଲିଦେବାକୁ ବସି ଥିଲୁ । ଏବେ କହୁଛୁ, ତୋର ମନ୍ତ୍ର ଦରକାରନାହିଁ । ଯାଅ ତୋର ମୁଖ ଦର୍ଶନ କଲେ ମଙ୍ଗଳ ନାହିଁ ।”
ରାଣୀ ଅପମାନ ପାଇ ରହିଲେ । ସେ ଜୀବନରେ କେବେହେଲେ ଆଉ ମନ୍ତ୍ର ଶିଖିବାକୁ ନାମ ଧରିନଥିଲେ ।