ସୂର୍ଯ୍ୟବଂଶର ରାଜା ଧର୍ମାତ୍ମା ସଗରଙ୍କ ୬୦ ହଜାର ଏକକ ପୁତ୍ର ଥିଲେ । କିନ୍ତୁ ସେମାନେ ଦୁରାଚାରୀ, ଦୁଷ୍ପ୍ରବୃତିସମ୍ପନ୍ନ ଥିଲେ । ଥରେ ରାଜା ସଗର ଅଶ୍ୱମେଧ ଯଜ୍ଞ କଲେ । ଇନ୍ଦ୍ର ଯଜ୍ଞ ଅଶ୍ୱକୁ ଚୋରିକରି ନେଇ ପାତାଳ ପୁରୀରେ ତପସ୍ୟାରତ କପିଳମୁନିଙ୍କ ଆଶ୍ରମରେ ବାନ୍ଧିଦେଲେ । ସଗରପୁତ୍ରମାନେ ଅଶ୍ୱକୁ ଖୋଜିଖୋଜି ଯାଇ ପହଁଚିଲେ କୋଟି ସୂର୍ଯ୍ୟ ସମାନ ଦୀପ୍ତିମାନ କପିଳ ମୁନିଙ୍କ ଆଶ୍ରମରେ । ମୁନିଙ୍କୁ ଅଶ୍ୱଚୋର ବୋଲି କହି ଅପମାନିତ କରିବା ସହ ପିଟିବାକୁ ଲାଗିଲେ । କପିଳ ମୁନି ଏହି ଘଟଣାରେ ଭୟଙ୍କର କ୍ରୋଧିତ ହେଲେ । ଆଖିରୁ ତାଙ୍କର ଅଗ୍ନିର ସ୍ଫୁଲଙ୍ଗ ବାହାରିଲା । ସେହି ଅଗ୍ନିଜ୍ୱାଳାରେ ସଗରଙ୍କ ପୁତ୍ରମାନେ ନିମିଷକରେ ଭସ୍ମ ହୋଇଗଲେ । ଦୁଶ୍ଚରିତ୍ର ପୁତ୍ରମାନେ ସେମାନଙ୍କ କୁକର୍ମର ଉପଯୁକ୍ତ ଶାସ୍ତି ପାଇଛନ୍ତି ଭାବି ରାଜା ସଗର ଏହି ଘଟଣାରେ ତିଳେମାତ୍ର ଦୁଃଖ କଲେ ନାହିଁ । ମୁନିଶ୍ରେଷ୍ଠ କପିଳଙ୍କ କ୍ରୋଧ ଶାନ୍ତ ନିମିତ ସଗର ପୌତ୍ର ଅଂଶୁମାନଙ୍କୁ ତାଙ୍କ ନିକଟକୁ ପଠାଇଲେ । ଅଂଶୁମାନ ବିଚକ୍ଷଣ ବୁଦ୍ଧିସମ୍ପନ୍ନ, ବିଦ୍ୱାନ ତଥା ଧାର୍ମିକ ଥିଲେ । ଅଂଶୁମାନ ଖୋଜିଖୋଜି କପିଳମୁନିଙ୍କ ଗୁମ୍ଫା ନିକଟରେ ପହଁଚିଲେ । କପିଳମୁନିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ବିନୟ ପୂର୍ବକ ପ୍ରାର୍ଥନା କରି କହିଲେ – ପ୍ରଭୁ ! ଏମାନଙ୍କୁ କ୍ଷମା କରିଦିଅନ୍ତୁ । ସେମାନେ ଆପଣଙ୍କ ମହିମା ସମ୍ପର୍କରେ ଜାଣିନାହାଁନ୍ତି । ଆପଣ ମୋର ପିତୃପୁରୁଷଙ୍କୁ ଉଦ୍ଧାର କରନ୍ତୁ । ଅଂଶୁମାନଙ୍କ ପ୍ରାର୍ଥନାରେ କପିଳମୁନି ଶାନ୍ତ ହେଲେ । ସେ ଆଶୀର୍ବାଦ ଦେଇ କହିଲେ ତୁମର ପୌତ୍ର କଠୋର ତପସ୍ୟା କରି ଭଗବାନଙ୍କୁ ପ୍ରସନ୍ନ କରି ପୁଣ୍ୟସଲିଳା ଗଙ୍ଗାଙ୍କୁ ଏଠାକୁ ଆଣି ସମସ୍ତଙ୍କୁ ନିଷ୍ପାପ କରିବେ । ସେମାନେ ସମସ୍ତେ ପରମପଦ ପ୍ରାପ୍ତି ହେବେ । ଅଂଶୁମାନଙ୍କର ଦିଲ୍ଲୀପ ନାମକ ପୁତ୍ର ହେଲା । ଭଗୀରଥ ଦିଲ୍ଲୀପଙ୍କର ପୁତ୍ର ଥିଲେ । ପିତୃପୁରୁଷଙ୍କ ଉଦ୍ଧାର ପାଇଁ ଭଗୀରଥ ହିମାଳୟରେ କଠୋର ତପସ୍ୟା କଲେ । ଈଶ୍ୱର ତାଙ୍କର ଆରାଧନାରେ ପ୍ରସନ୍ନ ହେଲେ । ତାଙ୍କୁ ପ୍ରସନ୍ନପୂର୍ବକ ଭଗିରଥ ଗଙ୍ଗାଙ୍କୁ ଏହି ଧରଣୀକୁ ଆଣିଥିଲେ । ଜଗତବାସୀଙ୍କ ସମସ୍ତ ପାପତାପ ଧୌତ କରିବା ଉଦ୍ଧେଶ୍ୟରେ ଭଗିରଥଙ୍କ ପଛେପଛେ ଗଙ୍ଗା ଧରାପୃଷ୍ଠକୁ ଆସିଥିଲେ ଓ ସଗରପୁତ୍ରମାନଙ୍କ ଭସ୍ମ ଗଙ୍ଗା ସଂସ୍ପର୍ଶରେ ଆସିବାରୁ ସେମାନେ ମୋକ୍ଷ ଲାଭ କରିଥିଲେ । ସେହି ପ୍ରଥା ଅନୁଯାୟୀ ଏବେ ପିତୃପୁରୁଷମାନଙ୍କର ଅସ୍ଥି ଗଙ୍ଗାରେ ବିସର୍ଜନ କରାଯାଏ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।