ମୋହନ ଗଛଟିକୁ କହିଲା, “ପୂର୍ବ ସର୍ତ୍ତ ଅନୁସାରେ ଏବେ ମୋ ଟଙ୍କା ମୋତେ ଦେଇଦିଅ ।”
ଗଛରୁ ପୁଣି କଟକଟ ଶବ୍ଦ ଶୁଭିଲା । ମୋହନ କହିଲା, “ଓ ଆଉ ଦିନେ ସମୟ ନେବାକୁ ତୁମେ ଚାହୁଁଛ? ତାହେଲେ ଠିକ୍ ଅଛି ।”
ରାମ ଓ ଶ୍ୟାମ ପୁଣି ମୋହନକୁ ପଚାରିଲେ “କିରୋ ମୋହନ ଟଙ୍କା ଆଣିଲୁ?”
ତାଙ୍କ କଥା ଶୁଣି ମୋହନ କହିଲା “ନାହିଁ । ଆଜି ବି ମିଳିଲା ନାହିଁ । କାଲି କିନ୍ତୁ ନିଶ୍ଚୟ ମିଳିଯିବ ।”
ଭାଇମାନେ ମୋହନକୁ ପ୍ରଶ୍ନ କଲେ “ଆଚ୍ଛା ତୁ ଆଗ କହ ତ, ବଳଦ ତୁ କାହାକୁ ବିକିଲୁ?”
ମୋହନ କହିଲା “କାହିଁକି? ଗଛକୁ ବିକିଛି ।”
“ତୁଟା ନିହାତି ଗଜମୂର୍ଖ ।” ଏହିପରି ଭାବେ ସେ ଦୁଇଭାଇ ତାକୁ ଗାଳି ଦେଇ ସେଠାରୁ ଚାଲିଗଲେ ।
ପରଦିନ ସକାଳୁ ମୋହନ ଉଠି ହାତରେ କୁରାଢି ଧରି ଗଛ ପାଖକୁ ଧାଇଁଲା । ସେଠାରେ ପୁଣି ସେ ଗଛକୁ କହିଲା, “ଆରେ ତମେ ମୋ ପଇସା ଦେଇଦିଅ ତ! ମୋ ଭାଇମାନେ ମୋତେ ସେଥିପାଇଁ ବହୁତ ଗାଳି ଦେଉଛନ୍ତି ।”
ପବନ ଯୋଗୁଁ ସେ ଗଛରୁ ପୁଣି କଟକଟ ଶବ୍ଦ ବାହାରିଲା । ମୋହନ ଏଥର ରାଗିଯାଇ ତାକୁ କହିଲା, “ଏବେ ଆଉ ତୋର କିଛି ବି କଥା ମୋଟେ ଶୁଣା ଯିବନାହିଁ ।”
ଏଥରକ ମଧ୍ୟ ଶୁଖିଲା ଡାଳରୁ କଟକଟ ଶବ୍ଦ ବାହାରିଲା । ତା’ପରେ ମୋହନ ରାଗିଯାଇ ସେ ଗଛ ଉପରେ ଏକ କୁରାଢୀ ଚୋଟ ଦେଲା । ସେତେବେଳେ ସେ ଗଛ ତ ଶୁଖିଲା ଥିଲା । ତେଣୁ ସଙ୍ଗେ ସଙ୍ଗେ ତାହା ଭାଙ୍ଗି ପଡିଲା । ତା’ ଭିତର ପୋଲା ଫମ୍ପା ଥିଲା । କିନ୍ତୁ ତା’ ଭିତରେ ଅନେକ ଦିନରୁ ଡାକୁମାନେ କିଛି ସୁନା ଓ ଅନ୍ୟାନ୍ୟ ଧନରତ୍ନ ରଖିଥିଲେ । ସେସବୁ ମୋହନ ଦେଖି ପାରିଲା । ସୁତରାଂ ଖୁସି ହୋଇ ସେ ଅଳ୍ପ କିଛି ସୁନାମୋହର ନେଇ ଏକ ପୁଟୁଳି ବାନ୍ଧି ଘରକୁ ଫେରିଲା ।
ତା’ର ଦୁଇଭାଇ ମୋହନକୁ ପଚାରିଲେ “ଆରେ, ଏ ସୁନା ତୁ କେଉଁଠୁ ପାଇଲୁ?”
ମୋହନ କହିଲା “ମୁଁ କୁରାଢୀରେ ତାକୁ ଚୋଟେ ଦେଲି ଯେ ଗଛ ସେହି ଭୟରେ ଏ ସୁନାତକ ବାନ୍ତି କରି ପକାଇଲା । ତା’ପେଟରେ ତ ସୁନା ଭର୍ତ୍ତି ହୋଇଛି । ମୁଁ ତ ହେଲେ ସେଥିରୁ ବହୁତ ଅଳ୍ପ ଆଣିଛି ।”
ଏହାପରେ ରାମ ଓ ଶ୍ୟାମ ମୋହନକୁ ସଙ୍ଗରେ ନେଇ ସେହି ଗଛ ପାଖକୁ ଗଲେ ଓ ସବୁତକ ସୁନା, ଧନରତ୍ନ ଦୁଇ ତିନିଟା ଥଳୀରେ ଭର୍ତ୍ତି କରି ଘରକୁ ଫେରିଲେ ।
ଫେରିବା ବାଟରେ ସେମାନେ ମୋହନକୁ କହିଲେ, “ଦେଖ ମୋହନ, ତୁ ଯେପରି ଏକଥା ଆଉ କାହାରିକୁ ବି କହିବୁ ନାହିଁ ।”
ଭାଇମାନଙ୍କ କଥା ଶୁଣି ମୋହନ କହିଲା “ନା, ନା, ମୁଁ କାହିଁକି ଆଉ କାହାକୁ ଏ ବିଷୟରେ କହିବି?”
ତିନିହେଁ ପୁଣି ବାଟ ଚାଲୁଥା’ନ୍ତି । କିଛି ଦୂର ଯିବା ପରେ ସେ ଗ୍ରାମର ପୁରୋହିତ ଅନ୍ୟ ଦିଗରୁ ଆସୁଥିବାର ଦେଖାଗଲା । ସେ ଏମାନଙ୍କୁ ଦେଖି ପଚାରିଲେ, “କିରେ, ତିନିଜଣଯାକ କୁଆଡେ ଚାଲିଛ? ଆଉ ସେ ଥଳୀରେ ଏତେ ସବୁ କ’ଣ ପୁରାଇଛ?”