ଏକଦା ନିଉଟନ୍ କୌଣସି ଏକ ବିଷୟରେ ଅନେକ ଦିନ ଲାଗି ଏକ ଶୁଦ୍ଧିପତ୍ର ପ୍ରସ୍ତୁତରେ ଲାଗିଥାନ୍ତି । ଗଭୀର ନିଷ୍ଠା, ଆତ୍ମବିଶ୍ୱାସ, ବେଶ୍ କିଛିଦିନ ଦିବାରାତ୍ର ପରିଶ୍ରମ କରିବା ଫଳରେ ତାଙ୍କର ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଗଲା । ଯେତେବେଳେ କାମ ଶେଷ ହେଲା ନିଉଟନ୍ ଆଶ୍ୱସ୍ତ ହେଲେ । ମନରେ ଆନନ୍ଦ କହିଲେ ନ ସରେ । ଭାବିଲେ ଟିକିଏ ବାହାରେ ବୁଲି ମନକୁ ସ୍ଫୁର୍ତିକରି ଫେରିଆସିବେ ।
ସୁତରାଂ ସେହି ଘନ ରାତିରେ ବାହାରକୁ ସେ ବାହାରିଗଲେ । ଟେବୁଲ ଉପରେ ଶୁଦ୍ଧିପତ୍ର ସହିତ ଅନେକ କାଗଜପତ୍ର ଖେଳେଇ ହୋଇ ରହିଥାଏ । ରାତି ଯୋଗୁଁ ମହମବତିଟିଏ ବି ସେହି ଟେବୁଲ ଉପରେ ଜଳୁଥାଏ । ଘର ଭିତରେ ତାଙ୍କର ଅତି ଆଦରର ପୋଷାକୁକୁର ଜ୍ୟାକି ଶୋଇଥାଏ ।
ଏଥର ନିଉଟନ୍ ଘରବାହାରକୁ ଆସି କବାଟ ବନ୍ଦକରି ବୁଲି ବାହାରିଗଲେ । ହେଲେ ସେ ଜଳନ୍ତା ମହମବତିକୁ ଲିଭାଇବା ପାଇଁ ଭୁଲିଯାଇଥିଲେ । ସେଦିନ ତାଙ୍କର ଟିକିଏ ଭୁଲ୍ ଯୋଗୁଁ ଘରେ ଏକ ବଡ ଅଘଟଣ ଘଟିଗଲା । କିଛି ସମୟପରେ କୁକୁର ଜ୍ୟାକି ଘରଯାକ ଡିଆଁ ଡେଇଁ କରୁ କରୁ ଟେବୁଲଟି ଟିକେ ଦୋହଲି ଗଲା । ଫଳରେ ଜଳନ୍ତା ମହମବତି କାଗଜପତ୍ର ଉପରେ ପଡି ନିଆଁ ଲାଗିଗଲା ଓ ଶୁଦ୍ଧିପତ୍ର ସହିତ ସମସ୍ତ କାଗଜପତ୍ର ପୋଡି ପାଉଁଶ ହୋଇଗଲା ।
ଅଳ୍ପ ସମୟ ପରେ ନିଉଟନ୍ ବାହାରୁ ଫେରିଆସି ଏହି ଅଭାବନୀୟ ଦୃଶ୍ୟ ଦେଖି ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ । ମାତ୍ର କିଛି ସମୟରେ ନିଜକୁ ସେ ସମ୍ଭାଳି ନେଲେ । ନିଜ ଭିତରେ ଆତ୍ମପ୍ରତ୍ୟୟବୋଧ ତାଙ୍କର ଜାଗ୍ରତ ହେଲା । ସଂଯମ ଆଚରି ମନେମନେ ସେ ଭାବିଲେ ଯାହା ଜଳିପୋଡି ପାଉଁଶ ହୋଇଗଲା, ସିଏତ ଆଉ ଫେରି ଆସିବ ନାହିଁ, ସୁତରାଂ ସେଥିଲାଗି ଚିନ୍ତାକରି ଆଉ ଲାଭ କ’ଣ? ଏହା କେବଳ ମନକୁ ଅବସନ୍ନ, ହତାଶ କରିଦେବ ସିନା?
କିଛି ଦୂରରେ ‘ଜ୍ୟାକି’ ଠିଆ ହୋଇଥିଲା । ନିଉଟନ୍ ମନେମନେ ଭାବିଲେ ଏହା ନିଶ୍ଚୟ ଜ୍ୟାକି କାମ, ଯାହାପାଇଁ ଏ ସମସ୍ତ ଅଘଟଣ ଘଟିଛି । ତଥାପି ବି ସେ କୁକୁର ପ୍ରତି ନିଉଟନ୍ଙ୍କର ତିଳେ ମାତ୍ର କ୍ରୋଧ ନଥିଲା । ସେ ଜ୍ୟାକି ନିକଟକୁ ଯାଇ ତା’ର ପିଠି ଆଉଁସି କହିଲେ, “ଜ୍ୟାକି! ତୁ ପଶୁଟିଏ । କିପରି ଜାଣିପାରିବୁ ଯେ ତୋ’ ପ୍ରଭୁଙ୍କର କେତେ ପରିଶ୍ରମର, ଯାହାକୁ କି ତୁ ଜାଳିପୋଡି ପାଉଁଶ କରିଦେଇଛୁ? ଏହିକଥା ନିଉଟନ୍ ମନକୁ ମନ ବୁଝାଇଦେଇ ପୁଣି ପୂର୍ବଭଳି କାମରେ ଲାଗିଗଲେ । ସେହି ଶୁଦ୍ଧିପତ୍ରକୁ ଆଉଥରେ ନୂତନଭାବରେ ପ୍ରସ୍ତୁତି ଆରମ୍ଭ ହେଲା ।”
ଶେଷରେ ଅନେକ ଦିନର ଅକ୍ଳାନ୍ତ ପରିଶ୍ରମ ଫଳରେ ଆଉଥରେ ଶୁଦ୍ଧିପତ୍ର ଆତ୍ମପ୍ରକାଶ କଲା । ଏହା ଦେଖି ନିଉଟନ୍ଙ୍କର ବନ୍ଧୁମାନେ ବିସ୍ମିତ ହୋଇଗଲେ । ସେମାନେ ତାଙ୍କର ଧୈର୍ଯ୍ୟ, ନିଷ୍ଠା, ଅଧ୍ୟବସାୟ ଓ ସହିଷ୍ଣୁତାର ଭୁରି ଭୁରି ପ୍ରଶଂସା ବି କଲେ ।