ବିରବଲଙ୍କ ମୁଖରୁ କଥା ଶୁଣି ଗଧ ଭାବିଲା ଏବେ ମୁନିବ ମୋତେ ଖାଇବା ନିମନ୍ତେ କିଛି କହୁଛି । ଏଥିପାଇଁ ଗଧ ବୀରବଲଙ୍କ ମୁଖକୁ ବଲ ବଲ କରି ଚାହିଁବାରୁ ବୀରବଲ କହିଲା – ଆରେ ତୁ ମୋତେ ଏବେ ଆଉ କାହିଁକି ଚାହୁଁଛୁ? ଆଜି ତୋ’ର ପାଠ ପଢିବାର ବେଳ ନୁହେଁ, ବର୍ତ୍ତମାନ ତୋତେ ପରୀକ୍ଷା ଦେବାକୁ ହେବ । ଏହା ପରେ ଗଧକୁ ନେଇ ଟେବୁଲ୍ ଉପରେ ଥିବା ବହିଟିକୁ ଦେଖାଇ ଦେଲେ ବିରବଲ ।
ଗଧ ଟେବୁଲ୍ ଉପରେ ଥିବା ବହିଟିକୁ ଦେଖିଲା, ତା’ପରେ ଧୀରେ ଧୀରେ ମୁହଁ ଲଗାଇ ପୃଷ୍ଠାପରେ ପୃଷ୍ଠା ଲେଉଟାଇବାକୁ ଲାଗିଲା । ଶେଷରେ ବହି ପୃଷ୍ଠା ସରିଯାଆନ୍ତେ ଗଧ ବିରବଲଙ୍କ ଆଡକୁ ଚାହିଁ ଚାହିଁ ଖୁବ୍ ଜୋର୍ରେ ରଡିବାକୁ ଲାଗିଲା ।
ଗଧ ରଡିବାରୁ ବିରବଲ କହିଲେ, ଆଉ ତୁ ପାଠ ପଢିବୁ ନାହିଁ, ହଉ ହେଲା, ସମ୍ରାଟଙ୍କ ଆଦେଶ ମିଳିଲେ ତୁ ଏଠାରୁ ଯିବୁ । ଏଠାରେ ପରା ଦରବାର ଚାଲିଛି, ଏଠାରେ ତୋ’ ଲାଗି ଖାଦ୍ୟ କାହୁଁ ଆସିବ ।
ସମ୍ରାଟ୍ ବିରବଲଙ୍କର ଗଧକୁ ପଢାଇବା ଦେଖି ବିସ୍ମିତ ହୋଇଗଲେ । ତହୁଁ ସେ ବିରବଲଙ୍କୁ କହିଲେ ଧନ୍ୟ ତୁମେ ବିରବଲ! ମୁଁ ତୁମର ଏହି ବିଚକ୍ଷଣ ବୁଦ୍ଧିକୁ ତାରିଫ୍ ନ କରି ରହିପାରୁ ନାହିଁ । କାରଣ ଗଧ ପାଠ ପଢୁ ବା ନ ପଢୁ ପାଠ ପଢିବା ଲାଗି ତ ପୃଷ୍ଠା ଲେଉଟାଇ ପାରିଲା ।
ବିରବଲ କହିଲେ – ସବୁ ଏଇ ପେଟଲାଗି ଜାହାଁପନା । ଏଇ ପେଟ ଚା’ଖଣ୍ଡକ ପାଇଁ ମୋତେ ଯେମିତି ଗଧକୁ ପାଠ ପଢାଇବାକୁ ପଡିଲା, ସେ ଗଧ ବି ତା’ରି ପେଟ ଚା’ଖଣ୍ଡକ ଲାଗି ବହିର ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ନିଜ ପେଟ ଲାଗି ଖାଦ୍ୟ ଖୋଜୁଥିଲା । ବହିରେ ଖାଦ୍ୟ ନ ଥିବାରୁ ଶେଷରେ ନିରାଶ ହୋଇ ରଡି ଛାଡିଲା ।