ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗଧ ଏବଂ ଧୋବାର କାହାଣୀ

       କାହାଣୀଟି କହିସାରି ମାଙ୍କଡଟି କହିଲା, ‘ମୁଁ କ’ଣ କହୁଥିଲି । ଗଧଟି କିପରି ଛଦ୍ମବେଶୀ ବାଘ ରୂପ ଧାରଣ କରିଥିବାରୁ ଶେଷରେ ମୃତ୍ୟୁବରଣ କରିବା ହିଁ ସାର ହେଲା । ଠିକ୍ ଏହି ସମୟରେ ଜଣେ ଜଳ ଜୀବ ଆସି କୁମ୍ଭୀରକୁ କହିଲା, “ହେ କୁମ୍ଭୀର! ତୁମର ପତ୍ନୀ ଉପବାସରେ ତୁମକୁ ଅପେକ୍ଷା କରି ଶେଷରେ ମୃତ୍ୟୁବରଣ କଲେ” । ଏହା ଶୁଣି କୁମ୍ଭୀର ପ୍ରଥମେ ସ୍ତମ୍ଭୀଭୂତ ହୋଇଗଲା । ସ୍ତ୍ରୀର ଗୁଣ କୀର୍ତନ କରି କାନ୍ଦିବାକୁ ଲାଗିଲା । କୁମ୍ଭୀର କାନ୍ଦି କାନ୍ଦି କହୁଥାଏ, ଗୃହରେ ଗୃହିଣୀ ନଥିଲେ ସେ ଗୃହ ଗୃହ ନୁହେଁ, ଏକ ଅରଣ୍ୟ ସହିତ ସମାନ । ସାଙ୍ଗରେ ଯଦି ଗୃହିଣୀ ଥିବ, ଏକ ବୃକ୍ଷ ମୂଳରେ ବାସ କଲେ ମଧ୍ୟ ତାହା ଗୃହ ପରି ଲାଗିବ । ଯେଉଁ ଗୃହରେ ମଧୁର ବଚନ କହୁଥିବା ପତ୍ନୀ ନଥିବ ସେ ଗୃହ ଗୃହ ପରି ଲାଗିବ ନାହିଁ । ତେଣୁ ‘ହେ ବନ୍ଧୁ’! ତୁମେ ମୋତେ କ୍ଷମା କରିଦିଅ । ମୁଁ ପତ୍ନୀଙ୍କୁ ହରାଇଥିବାରୁ ମୁଁ ଅଗ୍ନିରେ ନିଜ ଦେହକୁ ଜାଳି ଆତ୍ମ ବିସର୍ଜନ କରିବାକୁ ସ୍ଥିର କରିଛି ।

       କୁମ୍ଭୀରର କଥା ଶୁଣି ମାଙ୍କଡ ହସି ଉଠି କହିଲା, ରେ କୁମ୍ଭୀର! ତୁ ହେଉଛୁ ଏକ ମୂର୍ଖ । ମୁଁ ଠିକ୍ ଭାବରେ ଜାଣି ପାରୁଛି ତୁ ପତ୍ନୀର ଅଧୀନରେ ରହୁଥିବା ଏକ ପ୍ରାଣୀ । ମୁଁ ବର୍ତ୍ତମାନ ଅନୁଭବ କରୁଛି ତୁ କେଡେ ମାରାତ୍ମକ? ତୋର ପତ୍ନୀ ତୋରି ମାଧ୍ୟମରେ ଯାବତୀୟ କୁକାର୍ଯ୍ୟ କରାଉଥିଲା । ତେଣୁ ପତ୍ନୀର ବିୟାଗରେ ତୁ ଦୁଃଖ ନକରି ଆନନ୍ଦ ଉତ୍ସବରେ ମାତିବା ଉଚିତ୍ । ମାଙ୍କଡର କଥା ଶୁଣି କୁମ୍ଭୀର କହିଲା, ‘ବନ୍ଧୁ’! ତୁମେ ଯାହା କହୁଛ ତାହା ତ’ ଠିକ୍ । କିନ୍ତୁ ବର୍ତ୍ତମାନ ମୁଁ କରିବି କ’ଣ? ଦୁଇ ଦୁଇଟା ବିପଦ ଏକ ସଂଗେ ମୋର ଦମ୍ଭ ଭାଙ୍ଗି ଦେଇଛି । ପ୍ରଥମେ ମୁଁ ମୋର ପତ୍ନୀଙ୍କୁ ହରାଇଲି । ଦ୍ୱିତୀୟରେ ତୁମପରି ଜଣେ ବନ୍ଧୁଙ୍କର ବନ୍ଧୁତ୍ୱ ମଧ୍ୟ ହରାଇଲି । ତେଣୁ ଭାଗ୍ୟ ହିଁ ମୋ ପ୍ରତି ଶତ୍ରୁତା ଆଚରଣ କରୁଛି । ମାଙ୍କଡକୁ ଏହି କଥା କହିସାରି କୁମ୍ଭୀର ଏକ କାହାଣୀ କହିବାକୁ ଆରମ୍ଭ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ