ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ତେଣେ ସାଇଁ ସାଇଁ ଶୀତଳ ପବନରେ ଗଛଲତା ସବୁ ଥରି ଉଠୁଥାନ୍ତି । ଶ୍ୱାନଶ୍ୱାପଦଙ୍କ ରଡି ଓ ବଜ୍ରଧ୍ୱନି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୂନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ଶବଟିକୁ ସେ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ଭୂମି ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ଏ ଭୟଙ୍କର ରାତିରେ ତୁମେ ଯେ ଏଠାରେ ଏଭଳି କଷ୍ଟସାଧ୍ୟ କାର୍ଯ୍ୟ ହାତକୁ ନେଇଛ, ଏହା ପଛରେ ତୁମର ଉଦ୍ଧେଶ୍ୟ କ’ଣ? ତମେ କ’ଣ କିଛି ଶକ୍ତି ବା ସିଦ୍ଧି ଚାହଁ? ମନେ ରଖ, ଶକ୍ତି ବା ସିଦ୍ଧି ଯେ ସବୁ କ୍ଷେତ୍ରରେ କାମ ଦେବ, ସେକଥା ନୁହେଁ । ତମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ମୋ କଥା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”
ଏଥିଉତାରେ ସେ ବେତାଳ ଗପିଲା : ଗନ୍ଧର୍ବ ଲୋକର ଚିତ୍ରବର୍ଣ୍ଣ ନାମକ ଜଣେ ଗନ୍ଧର୍ବ ଥିଲେ । ସେ ଥରେ ଭୂଲୋକକୁ ଆସି ପୃଥିବୀର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ମନେ କଲେ ।
ସେ ଆକାଶମାର୍ଗରେ ପୃଥିବୀ ଉପର ଦେଇ ଉଡି ଯାଉଁ ଯାଉଁ ଗୋଟିଏ ସୁନ୍ଦର ଉଦ୍ୟାନ ଓ ଜଳାଶୟ ଦେଖି ତହିଁ ଅବତରଣ କଲେ । ସେତେବେଳେ ସଂନ୍ଧ୍ୟା ସମୟ । ଉଦ୍ୟାନର ଗୋଟିଏ ଅଂଶରୁ ହାସ୍ୟରୋଳ ଭାସି ଆସି ତାଙ୍କ କାନରେ ପଡିବାରୁ ସେ ଦୃଷ୍ଟିପାତ କରି ଦେଖିଲେ ଦଳେ ଯୁବତୀ ସେଠାରେ ଖେଳି ବୁଲୁଛନ୍ତି ।
ସେ ଅବାକ୍ ହୋଇ ସେମାନଙ୍କ ସୌନ୍ଦର୍ଯ୍ୟ ନିରୀକ୍ଷଣ କରିବାକୁ ଲାଗିଲେ । ସେମାନଙ୍କ ଭିତରେ ଜଣେ ବିଶେଷ ଭାବରେ ତାଙ୍କ ଦୃଷ୍ଟି ଆକର୍ଷଣ କଲା । ନକ୍ଷତ୍ରମାଳା ଭିତରେ ଚନ୍ଦ୍ରମା ଭଳି ଝଟକୁଥିବା ସେ ଯୁବତୀ ଉପରେ ଦୃଷ୍ଟି ନିବଦ୍ଧ ରଖି ସେ ସେମାନଙ୍କ ଆଡେ ଅଗ୍ରସର ହେଲେ ।
ହଠାତ୍ ସୁରକ୍ଷୀତ ରାଜ ଉଦ୍ୟାନ ଭିତରେ ଜଣେ ଅପରିଚିତ ଯୁବକକୁ ଦେଖି ସେ ଯୁବତୀମାନେ ହତଚକିତ ହୋଇଗଲେ । ଗନ୍ଧର୍ବ ଯାଇ ସେମାନଙ୍କୁ ପ୍ରଶ୍ନ କଲେ, “ଏ ସୁନ୍ଦରୀ ଜଣକ କିଏ?”
ତହୁଁ ଜଣେ ଯୁବତୀ କହିଲେ, “ସେ ହେଉଛନ୍ତି ଏ ପୂର୍ଣ୍ଣଚନ୍ଦ୍ରପୁର ରାଜ୍ୟର ରାଜକୁମାରୀ ପ୍ରିୟଦର୍ଶିନୀ ।”
“ଆଃ, କି ଅପୂର୍ବ ସୁନ୍ଦରୀ! ଇଏ ସିନା ମୋ ଭଳି ଜଣେ ଗନ୍ଧର୍ବଙ୍କୁ ବିବାହ କଲେ ଠିକ୍ ହେବ । ତାହେଲେ ଯାଇ ମୁଁ ଏହାଙ୍କୁ ଗନ୍ଧର୍ବ ଲୋକକୁ ନେଇଯିବି ।” ଏହା କହି ସେ ରାଜକୁମାରୀଙ୍କ ହାତ ଧରି ଟାଣିଲେ ।
ରାଜକୁମାରୀ ଓ ତାଙ୍କ ପରିଚାରିକାମାନେ ଚିତ୍କାର କରି ଉଠିଲେ । ଉଦ୍ୟାନ ବାହାରେ ଜଗି ରହିଥିବା ଜଣେ ଦେହରକ୍ଷୀ ତୁରନ୍ତ ଦୌଡି ଆସି ନିଜ ତରବାରୀ ବାହାର କଲା ।