ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗନ୍ଧର୍ବର ବିସ୍ମୟ

                ତାହା ଦେଖି ସେ ଗନ୍ଧର୍ବ ହସିଲେ ଓ କହିଲେ, “ମୂର୍ଖ! ମୁଁ ଜଣେ ଗନ୍ଧର୍ବ । ମୋ ଶକ୍ତି ତୋତେ ଜଣା ନାହିଁ । ମୁଁ ଯଦି ଅପମାନ ବୋଧ କରି ଅଭିଶାପ ଦେବି, ତେବେ ତୁ ଏହିକ୍ଷଣି ସବୁଦିନ ଲାଗି ପଙ୍ଗୁ ହୋଇଯିବୁ ।”

                ସିପାହୀ କହିଲା “ରାଜକୁମାରୀଙ୍କୁ ରକ୍ଷା କରିବା ମୋର କର୍ତ୍ତବ୍ୟ । ଯେଉଁ ବିପଦ ଆସୁ ନା କାହିଁକି, ଜୀବନ ଥିବା ଯାଏଁ ମୁଁ ମୋ କର୍ତ୍ତବ୍ୟ କରିବି । ତୁମେ ତାଙ୍କୁ ଛାଡିଦିଅ ।”

                କିନ୍ତୁ ଗନ୍ଧର୍ବ ଅଟ୍ଟହାସ୍ୟ କରି ରାଜକୁମାରୀଙ୍କୁ ଟାଣି ଟାଣି ନେଇଯିବାକୁ ଉଦ୍ୟମ କରିବାରୁ ସିପାହୀ ତା’ ତରବାରୀ ଉଂଚାଇଲା ।

                ଗନ୍ଧର୍ବ ଅଭିଶାପ ଦେଲା “ତୁ ପଙ୍ଗୁ ହୋଇ ଯା!” କିନ୍ତୁ ସେ ସିପାହୀର ଆଦୌ କିଛିବି ହେଲା ନାହିଁ । ସେ ସିପାହୀ ତା’ ତରବାରୀ ଦ୍ୱାରା ଗନ୍ଧର୍ବଙ୍କୁ ଆଘାତ କରିବାକୁ ଚେଷ୍ଟା କଲା । ମାତ୍ର ଠିକ୍ ଆଘାତ ବସିବା ପୂର୍ବରୁହିଁ ଗନ୍ଧର୍ବ ସେଠାରୁ କୁଆଡେ ଅଦୃଶ୍ୟ ହୋଇଗଲେ ।

                ନିଜ ଅଭିଶାପ ବ୍ୟର୍ଥ ହେବାର ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ତେବେ ସେକଥା ଭୁଲିଯାଇ ସେ ପୃଥିବୀର ନାନା ଦୃଶ୍ୟ ଉପଭୋଗ କରୁ କରୁ ସେ ଯାଇ ଗୋଟିଏ ବଣ ଭିତରେ ପଶିଲେ । ବଣ ଭିତରେ ଗୋଟିଏ ଗୁମ୍ଫା ଭିତରୁ କିଛି ଅପୂର୍ବ ଦ୍ୟୁତି ବାହାରୁଥିବାର ଦେଖି ସେ କୌତୁହଳୀ ହୋଇ ତହିଁ ଭିତରକୁ ଉଙ୍କିମାରି ଦେଖିଲେ ଗୁମ୍ଫାର ଶେଷ ପ୍ରାନ୍ତରେ ଖଣ୍ଡିଏ ମଣି ଝଟକୁଛି । “ଏହାକୁ ନେଇଯାଇ ମୁଁ ଗନ୍ଧର୍ବରାଜାଙ୍କୁ ଦେବି ।” ଏହା ଭାବି ସେ ସେହି ଗୁମ୍ଫା ଭିତରେ ପଶୁଛନ୍ତି, ଠିକ୍ ସେହି ସମୟରେ ବାହାରୁ କିଏ ଜଣେ ଗର୍ଜନ କରି ପଚାରିଲେ, “କିଏ ସେ ମୋ ଗୁମ୍ଫାରେ ପ୍ରବେଶ କରୁଛି?”

                ଏହା ଶୁଣି ସେ ଗନ୍ଧର୍ବ ପଛକୁ ଅନାଇ ଦେଖିଲେ, ଗୋଟାଏ ରାକ୍ଷସ ବସି ଆରାମ୍ କରୁଛି ।

                ଗନ୍ଧର୍ବ କହିଲେ “ମୁଁ ଜଣେ ଗନ୍ଧର୍ବ । ଗୁମ୍ଫା ଭିତରେ ଝଟକୁଥିବା ସେ ମଣି ମୋର ଦୃଷ୍ଟି ଆକର୍ଷଣ କଲା । ତେଣୁ ମୁଁ ତାକୁ ଆଣିବାକୁ ଭିତରକୁ ଯାଉଛି ।”

                ତା’କଥା ଶୁଣି ରାକ୍ଷସ କହିଲା “ବାଃ, କେଡେ ଆସ୍ପର୍ଦ୍ଧ! ସେ ମଣି ମୋର । ମୁଁ ବହୁ ପ୍ରକାର ମଣିନାଗଙ୍କୁ ତୁଷ୍ଟ କରି ତାହା ଆଣି ରଖିଛି । ତୋତେ ଲଜ୍ଜା ନାହିଁ, ତୁ ତାକୁ ପୁଣି ଚୋରି କରିବାକୁ ପଶୁଥିଲୁ?”

                “ମୁହଁ ସମ୍ଭାଳି କଥା କହ ରାକ୍ଷସ । ତୁ ମୋତେ ଅପମାନ ଦେଉଛୁ, ତୋର ଏଡେ ସାହସ? ଜାଣୁ ମୋର ଶକ୍ତି କେତେ?” ଏହା କହି ଗନ୍ଧର୍ବ ସେ ମଣି ଆଡକୁ ଅଗ୍ରସର ହେଲେ ।

                ଏସବୁ ଘଟଣା ଦେଖି ସେ ରାକ୍ଷସ ଉଠି ପଡି ତାଙ୍କ ଆଡେ ମାଡିଗଲା । ଏହାପରେ ସେ ଗନ୍ଧର୍ବ ଅଭିଶାପ ଦେଲେ, “ତୁ ଗୋଟାଏ ମାଟି ପିତୁଳାରେ ପରିଣତ ହୋଇ ଯା!”

                ହେଲେ ସେ ରାକ୍ଷସର କିନ୍ତୁ କିଛି ହେଲା ନାହିଁ । ସେ ଗନ୍ଧର୍ବଙ୍କୁ ଧରି ପକାଇବାକୁ ବସିବା ମାତ୍ରେ ଗନ୍ଧର୍ବ ଅଦୃଶ୍ୟ ହୋଇ ପଳାଇ ଗଲେ ।

                ଗନ୍ଧର୍ବ ଏଥର ଆହୁରି ଆଶ୍ଚର୍ଯ୍ୟ ହେଲେ । ତାଙ୍କ ଅଭିଶାପ-ଶକ୍ତି ପୃଥିବୀରେ କିପରି କାମ କରୁନାହିଁ? ସେ ଏହିକଥା ଭାବି ଭାବି ବିମର୍ଷ ବୋଧ କଲେ ଓ ନିଜକୁ କହିଲେ, “ବିଧାତା ସମସ୍ତଙ୍କ ଗର୍ବ ଖର୍ବ କରନ୍ତି । ମୋର ଗର୍ବ ବି ଖର୍ବ ହେଲା!” ଏତିକିବେଳେ ଗୋଟିଏ ଗଛ ମୂଳରେ ଜଣେ ବୃଦ୍ଧ ପଥିକ ପଡିଯାଇ ମୁନ୍ଦିଏ ପାଣି ମାଗୁଥିବାର ସେ ଶୁଣିଲେ । ସେ ଏଣେ ତେଣେ ଅନାଇଲେ । କିନ୍ତୁ ଆଖପାଖରେ ପାଣି ନଥିଲା । ସେ ବୃଦ୍ଧଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାକୁଳ ଭାବରେ ପାଣି ସନ୍ଧାନରେ କିଛି ବାଟ ଦୌଡିଯାଇ ଦେଖିଲେ ଜଣେ ତପସ୍ୱୀ ଗୋଟିଏ ବାଘଛାଲ ଉପରେ ଧ୍ୟାନସ୍ଥ ହୋଇ ବସିଛନ୍ତି । ତାଙ୍କ କମଣ୍ଡଳୁରେ ଜଳ ଅଛି । ସେ କହିଲେ, “ତପସ୍ୱୀ ମହାଶୟ! ଆପଣଙ୍କ କମଣ୍ଡଳୁରୁ ପାଣି ନେଇ ଜଣେ ପିପାସାର୍ତ ପଥିକଙ୍କୁ ଦେଇପାରେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ