ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗନ୍ଧର୍ବର ବିସ୍ମୟ

                ତପସ୍ୱୀ ତାଙ୍କ ଆଖି ଖୋଲି ଭୀଷଣ କ୍ରୁଦ୍ଧ ହୋଇ କହିଲେ, “ମୂଢ! ଦଶବର୍ଷରେ ଥରେ ଏପରି ଯୋଗ ପଡିଥିଲା, ଯେତେବେଳେକି ମୁଁ ମୋ ତପସ୍ୟାରେ ସିଦ୍ଧି ଲାଭ କରିଥାନ୍ତି ଆଉ ତା’ପରେ ମୁଁ ମୋ ଶତ୍ରୁ ଉପରେ ବିଜୟ ଲାଭ କରିଥାନ୍ତି । ତୁ ମୋ ତପସ୍ୟା ଭାଙ୍ଗିଦେଲୁ । ଏଣୁ ତୋତେ ମୁଁ ଅଭିଶାପ ଦେଉଛି, ତୁ ଏହି ମୁହୂର୍ତ୍ତରେହିଁ ମୂକ ହୋଇ ଯା!” ଏହା କହି ସେ ତପସ୍ୱୀ ନିଜ କମଣ୍ଡଳୁରୁ ପାଣି ମୁନ୍ଦିଏ ବାହାର କରି ଗନ୍ଧର୍ବ ଉପରକୁ ତାହା ଛାଟିଦେଲେ ।

                ଗନ୍ଧର୍ବ କହିଲେ, “ତୁ ଶିଳା ବନିଯାଇ ଦଶବର୍ଷକାଳ ଏହିଠାରେହିଁ ସେମିତି ପଡି ରହିଥା ।”

                ଚାହୁଁ ଚାହୁଁ ସଙ୍ଗେ ସଙ୍ଗେ ସେ ତପସ୍ୱୀ ଜଣକ ଶିଳା ବନିଗଲେ । ତା’ପରେ ଗନ୍ଧର୍ବ ପାଣି ନେଇ ସେହି ପଥିକଙ୍କୁ ଦେଲେ ।

                ଟିକିଏ ଚୁପ୍ ରହି ବେତାଳ ପୁଣି ପ୍ରଶ୍ନ କଲା: “ରାଜା! ଗନ୍ଧର୍ବମାନଙ୍କର ତ ଅନେକ ଆଶ୍ଚର୍ଯ୍ୟ ଶକ୍ତି ଥାଏ । ଅଥଚ ଏ କ୍ଷେତ୍ରରେ ଗନ୍ଧର୍ବଙ୍କ ଅଭିଶାପ ଶକ୍ତି ସାମାନ୍ୟ ସିପାହୀ ତଥା ରାକ୍ଷସ ଉପରେ ଆଦୌ କାମ କଲା ନାହିଁ, ଅଥଚ ତପସ୍ୱୀଙ୍କ ଉପରେ କାମ କଲା । ତପସ୍ୱୀଙ୍କ ଅଭିଶାପ ତାଙ୍କ ଉପରେ କାମ କଲା ନାହିଁ । ଏହା ଏକ ବିସ୍ମୟକର କଥା ନୁହେଁ କି? ଏପରି କାହିଁକି ହେଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ମଧ୍ୟ ଯଦି ତୁମେ ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

                ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ ଅତିଶୀଘ୍ର ଉତ୍ତର ଦେଲେ, “ପ୍ରାଣୀକୁ ଖାଲି ତା’ର ବ୍ୟକ୍ତିଗତ ବଳ ରକ୍ଷା କରେ ନାହିଁ, ତା’ର ଆଦର୍ଶ, ତା’ର ବ୍ରତ, ତା’ର ଅଧ୍ୟବସାୟର ସ୍ୱତନ୍ତ୍ର ଶକ୍ତି ଥାଏ । ସେ ଶକ୍ତି ପ୍ରାଣର ସହାୟତା କରେ । ଏକଥା ସତ୍ୟ ଯେ ଗନ୍ଧର୍ବ ମାନଙ୍କର କେତେକ ଅସାଧାରଣ ଶକ୍ତି ଥାଏ । କିନ୍ତୁ ଅଭିଶାପର କଥା ଅଲଗା । ଅଭିଶାପ ଫଳିବାକୁ ହେଲେ ଦୁଇଟି ସର୍ତ୍ତ ପୂରଣ ହେବା ନିତାନ୍ତ ଦରକାର । ଯିଏ ଅଭିଶାପ ଦେବ, ସିଏ ବାସ୍ତବରେ କ୍ଷୁବ୍ଧ ହୋଇଥିବ; ତା’ ପ୍ରତି ଅନ୍ୟାୟ କରା ହୋଇଥିବ । ଯାହା ପ୍ରତି ଅଭିଶାପ ଦିଆ ହେବ, ସେ କିଛି ଅନ୍ୟାୟ କରିଥିବ । ସିପାହୀର ସହାୟତା କରୁଥିଲା ତା’ର ନିଜର ଆଦର୍ଶ । ରାଜକୁମାରୀଙ୍କୁ ରକ୍ଷା କରିବାକୁ ସେ ନିଜର ବ୍ରତ ବୋଲି ମନେ କରୁଥିଲା । ତା’ର ସେହି ନିଷ୍ଠାହିଁ ଶକ୍ତି ରୂପେ ତାକୁ ରକ୍ଷା କଲା । ରାକ୍ଷସ ମଣିଟି କାହାଠୁଁ ଛଡାଇ ଆଣି ନଥିଲା; ସେ ମଣିନାଗକୁ ସନ୍ତୁଷ୍ଟ କରି ତାହା ଆଣିଥିଲା । ତେଣୁ କହିବାକୁ ଗଲେ ଏକ ପ୍ରକାର ସାଧନା ଦ୍ୱାରାହିଁ ସେ ତାହା ପାଇଥିଲା । ଉଭୟ କ୍ଷେତ୍ରରେ ଗନ୍ଧର୍ବ କେବଳ ସ୍ୱାର୍ଥଚଳିତ ହୋଇ କାମ କରୁଥିଲେ । ତେଣୁ ତାଙ୍କ ଶକ୍ତି ଅକାମୀ ହୋଇଗଲା । ମାତ୍ର ତୃତୀୟ କ୍ଷେତ୍ରରେ ସେ ନିଜେ ନମ୍ର ଭାବରେ, ଜଣେ ତୃଷାତୁର ପଥିକକୁ ବଂଚାଇବା ନିମନ୍ତେ କାମ କରିବା ଫଳରେ ତାଙ୍କ ଶକ୍ତି ପ୍ରଖର ହୋଇ ଉଠିଲା । ତେଣେ ସେ ତପସ୍ୱୀ ଶତ୍ରୁର ବିନାଶ ଭଳି ଗୋଟାଏ ସ୍ୱାର୍ଥପର କାରଣରୁ ତପସ୍ୟା କରୁଥିଲେ, କୌଣସି ମହତ୍ ଉଦ୍ଧେଶ୍ୟ ପୂରଣ ପାଇଁ ନୁହେଁ । ତେଣୁ ତପସ୍ୱୀଙ୍କ ଶାପ କାର୍ଯ୍ୟକାରୀ ହେଲା ନାହିଁ ।”

                ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ