ସାନପୁଅ ହାତରେ ତ ମାଳି । ପାଖରେ ତାର ତ ଆଉ କେହି ନାହିଁ । ଏସବୁ ଦେଖି ସେ ନିଜର ଆଖିକୁ ଆଦୌ ବିଶ୍ୱାସ କରିପାରିଲା ନାହିଁ । ସତରେ ଏହା କ’ଣ ଏକ ଜାଦୂ ମାଳି? ତେଣୁ ସେ ସେହି ମାଳାକୁ ତିନିଥର ଜପକରି କହିଲା, “ମୋତେ ଭଲ ପୋଷାକ ଦିଅ, ଭଲ ଖାଇବାକୁ ବି ଦିଅ ।”
ସତକୁ ସତ ଆଖି ପିଛୁଳାକେ ତା ପାଖରେ ଆସି କେତେ ପ୍ରକାର ସୁମିଷ୍ଟ ଖାଦ୍ୟ ସବୁ ଥୁଆ ହୋଇଗଲା । ସେ ସାନପୁଅଟି ତ ତା ଜୀବନରେ ଏପରି ଜିନିଷ କେବେହେଲେ ବି ଦେଖିନାହିଁ । ଚମତ୍କାର ଜରିଦିଆ ପୋଷାକ ଓ ମୁକୁଟ ମଧ୍ୟ ସେଠାରେ କିଏ ରଖି ଦେଇଗଲା । ସାନପୁଅ ଏଥର ସେସବୁ କଥା ବିଶ୍ୱାସ କଲା । ତହୁଁ ସେ ସାନପୁଅଟି ପେଟପୂରାଇ ଖାଇଲା ଏବଂ ତାପରେ ଜରିଲୁଗା ପୋଷାକ ପିନ୍ଧି ପକାଇଲା । ମନରେ ଭାବିଲା, ଯଦି ମନପବନ ଘୋଡାଟିଏ ମିଳିବ, ତାହାହେଲେ ସେ ରାଜାଝିଅକୁ ବାହା ହେବାରେ ମୋର ଆଉ ଅସୁବିଧା କ’ଣ?
ଏହା ଚିନ୍ତାକରି ମାଳାକୁ ତିନିଥର ଜପିସାରି ସେ ସାନପୁଅଟି ମନପବନ ଘୋଡାଟିଏ ମାଗିଲା । ଚାହୁଁ ଚାହୁଁ ତା ପାଖରେ ଗୋଟିଏ କାଠର ଘୋଡା ଆସି ଠିଆ ହୋଇଗଲା । ସାନପୁଅଟି ସେ ଘୋଡା ଉପରେ ଚଢି ଆଦେଶ ଦେଲା, “ଚଲ୍ ମୋର ଘୋଡା, ରଜା ନଅରକୁ ।”
ସତକୁ ସତ, ସେ ଘୋଡାଟି ଆକାଶରେ ଉଡି ଉଡି ଯାଇ ରାଜାଙ୍କର ଦରବାର ଆଗରେ ଓହ୍ଲାଇ ପଡିଲା । ରାଜା ଝିଅକୁ ବାହାହେବା ପାଇଁ ତ ସେଠାକୁ କେତେ ରାଇଜର ରାଜାପୁଅ ଆସି ଥାଆନ୍ତି । ହେଲେ ମନପବନ ଘୋଡା କହାରି ବି ନ ଥାଏ । ରାଇଜଯାକର ପ୍ରଜା ବାହାଘର ଉତ୍ସବ ଓ ଭୋଜି ପାଇଁ ବି ସେଠାରେ ଏକାଠି ହୋଇ ଥାଆନ୍ତି ।
ଠିକ୍ ଏହି ସମୟରେ ସେ ସାନ ପୁଅଟି ତା ମନପବନ ଘୋଡାରୁ ଓହ୍ଲାଇ ପଡି ସେଠାକାର ରାଜାଙ୍କୁ ପ୍ରଣାମ କଲା । କହିଲା, “ମହାରାଜ, ରାଜକୁମାରୀଙ୍କ ସର୍ତ ମୁଁ ହିଁ ପୂରଣ କରିଛି । ତେଣୁ ମୋତେ ତାଙ୍କ ସହିତ ବିବାହ ଦିଆଯାଉ ।
ଏପରି କଥା ଶୁଣି ସେଠାକାର ମନ୍ତ୍ରୀ ତୁରନ୍ତ ସେ ସାନପୁଅ ପାଖକୁ ଆସି ତାର ପରିଚୟ ପଚାରିଲେ । ମନ୍ତ୍ରୀ ଜାଣିଲେ, ସେ ଜଣେ ସାଧାରଣ ଗରିବ କୃଷକର ପୁଅ । କୌଣସି ବିଦ୍ୟା ବୁଦ୍ଧି ବି ତାର ଆଦୌ ନାହିଁ । ତେଣୁ ସମସ୍ତେ ମନେ ମନେ ଏ ସାନପୁଅଟିକୁ ଖୁବ୍ ତାଚ୍ଛଲ୍ୟ କଲେ ।
ଏପରି ଏକ ଅବସ୍ଥାରେ ମନ୍ତ୍ରୀ କହିଲେ, “ଠିକ୍ କଥା, ରାଜକୁମାରୀଙ୍କ ସର୍ତ ଥିଲା ମନପବନ ଘୋଡା; କିନ୍ତୁ ଯେଉଁ ପୁରୁଷ ରାଜକୁମାରୀଙ୍କୁ ବିବାହ କରିବ, ସେ ଜଣେ ଉତ୍ତମ ଯୋଦ୍ଧା ହେବା ନିହାତି ଆବଶ୍ୟକ । କାରଣ ଭବିଷ୍ୟତରେ ସେ ହିଁ ଏ ରାଜ୍ୟର ଉତ୍ତରାଧିକାରୀ ହୋଇ ଶତ୍ରୁମାନଙ୍କୁ ଜବତ୍ କରିବ । ତୁମେ ଯଦି ଆମ ରାଜ୍ୟର ମଲ୍ଲବୀର ସହିତ ଯୁଦ୍ଧ କରି ସେମାନଙ୍କୁ ଜିଣିବ, ତାହାହେଲେ ଯାଇ ତୁମ କଥା ବିଚାର କରିବା ।”
ସାନପୁଅ ବି ମନ୍ତ୍ରୀଙ୍କ କଥାରେ ରାଜି ହୋଇଗଲା । ତାପରେ ସେ ସାନପୁଅ ଲୁଚାଇ ରଖିଥିବା ମାଳାକୁ ଜପି କହିଲା, “ମୋତେ ସିଂହର ବଳ ଦିଅ । ଯେପରି ମୁଁ ଏ ମଲ୍ଲବୀରକୁ ପରାସ୍ତ କରି ପାରିବି ।”