ଚାହୁଁ ଚାହୁଁ ସେ ସାନପୁଅ ଦେହରେ ଅସୁର ପରି ଅମାପ ବଳ ମାଡିଆସିଲା । ରାଜ୍ୟଯାକର ଲୋକେ ଏସବୁ ତ ଦେଖୁଥାଆନ୍ତି । ସାନପୁଅ ରାଜାଙ୍କର ମଲ୍ଲବୀରକୁ ଅକ୍ଳେଶରେ ଟେକି ଧରି ଭୂଇଁ ଉପରେ କଚାଡି ଦେଲା । ଏସବୁ ଦେଖି ସମସ୍ତେ ସେ ସାନପୁଅକୁ ଖାଲି ବାହାବା’ କରୁଥାଆନ୍ତି । ବଡ ଦୁଇଭାଇ ତ ସେହି ଲୋକ ଗହଳି ଭିତରେ ଥାଆନ୍ତି । ମୂଲ୍ୟବାନ ପୋଷାକ ପିନ୍ଧିଥିବା ନିଜର ସାନଭାଇକୁ ସେମାନେ ଆଉ ଚିହ୍ନିବେ ଅବା କିପରି? ତାହାଛଡା ବଡଭାଇମାନେ ଅବା କିପରି ବିଶ୍ୱାସ କରନ୍ତେ ଯେ, ତାଙ୍କର ବୋକା ଭାଇ ଆସି ଏ ରାଜ ଦରବାରରେ ମଲ୍ଲଯୁଦ୍ଧରେ ଜିଣିପାରିବ !!
ମନ୍ତ୍ରୀ ପୁନର୍ବାର ଆଉ ଏକ ପରୀକ୍ଷା ଲୋଡିଲେ । ସେ କହିଲେ, “ଆମର ପଡୋଶୀ ରାଜ୍ୟର ରାଜା ଆମ ରାଜ୍ୟକୁ ଆକ୍ରମଣ କରିବ ବୋଲି ଗୁପ୍ତଚର ଖବର ଦେଇଛି । ତେଣୁ ତୁମେ ସେ ରାଜାଙ୍କୁ ପରାସ୍ତ କରି ବନ୍ଦୀ ନ କଲା ପର୍ଯ୍ୟନ୍ତ ଏହି ବାହାଘର ଆଦୌ ହୋଇପାରିବ ନାହିଁ ।
ତହୁଁ ସେ ସାନଭାଇ କହିଲା, ଏଇ କଥା ତ ! ଆପଣମାନେ ଅପେକ୍ଷା କରନ୍ତୁ; ମୁଁ ବର୍ତ୍ତମାନ ସେ ଶତ୍ରୁ ପଡୋଶୀ ରାଜାଙ୍କୁ ବନ୍ଦୀ କରି ଆପଣଙ୍କ ଦରବାରରେ ହାଜର କରିଦେବି ।
ତାପରେ ସେ ସାନପୁଅଟି ସଙ୍ଗେ ସଙ୍ଗେ ତା ମନପବନ ଘୋଡାରେ ଚଢି ପଡୋଶୀ ରାଜ୍ୟରେ ଯାଇ ପହଁଚିଲା । ମାଳାକୁ ଜପି କରି ସେ ମାଗିଲା, “ମୋତେ ଏକ ସୈନ୍ୟ ବାହିନୀ ଦିଅ । ଯେପରିକି ସେମାନେ ପଡୋଶୀ ରାଜ୍ୟକୁ ଜୟକରି ସେଠାକାର ରାଜାଙ୍କୁ ବନ୍ଦୀକରି ଆଣିବେ ।”
ଆଖି ପିଛୁଳାକେ ହଜାର ହଜାର ସୈନ୍ୟ ବାହାରିପଡିଲେ । ଘମାଘୋଟ ଲଢେଇ ଚାଲିଲା । ସେହି ରାଜ୍ୟର ସୈନ୍ୟ ଓ ସେନାପତି ପରାସ୍ତ ହୋଇ ସେଠାରୁ ପଳାୟନ କଲେ । ତତ୍ପରେ ସେଠାକାର ରାଜାଙ୍କୁ ବନ୍ଦୀ କରି ଅଣାଗଲା । ସେ ପରାଜିତ ରାଜାଙ୍କୁ ଧରି ସାନଭାଇ ଚାଲିଲା ନଅର ଆଡେ । ନିଜ ରାଜାଙ୍କ ଆଗରେ ପଡୋଶୀ ରାଜାଙ୍କୁ ବନ୍ଦୀ ଅବସ୍ଥାରେ ଠିଆ କରିଦେଲା ସେ ସାନପୁଅ ।
ମନ୍ତ୍ରୀ ଏଥର ଠିକ୍ ବୁଝିଲେ ଯେ, ଦରିଦ୍ର ଚାଷୀର ପୁଅ ହେଲେ ହେଁ ସାନଭାଇ ସବୁ ଗୁଣରେ ପରିପୂର୍ଣ୍ଣ, ସେ ହିଁ ରାଜକୁମାରୀର ଉପଯୁକ୍ତ । ତାପରେ ମହାସମାରୋହରେ ବାହାଘର ହେଲା । ଭୋଜିଭାତ ଖାଇ ସମସ୍ତେ ଯେ ଯାହା ଘରକୁ ଫେରିଗଲେ । ବଡ ଦୁଇଭାଇ ଘରେ ପହଁଚି ଜାଣିଲେ ଯେ, ତାଙ୍କ ସାନଭାଇ ମଧ୍ୟ ସେ ରାଜାଘରକୁ ଯାଇଛି । ତା’ପରେ ସେମାନେ ଜାଣିବାକୁ ପାଇଲେ ଯେ, ମନପବନ ଘୋଡାରେ ଯେଉଁ ଯୁବକ ଓହ୍ଲାଇଲା, ସେ ହେଉଛି ତାଙ୍କର ସାନଭାଇ ।
ରାଜା ବୁଢା ହୋଇଯିବାରୁ ସେ ନିଜର ଜାମାତାକୁ ରାଜା କରିଦେଲେ । ଜାଦୂ ମାଳା ସାହାଯ୍ୟରେ ସାନଭାଇ ତା ରାଇଜକୁ ବେଶ୍ ସୁଖରେ ପାଳନ କଲା ।