କିଛି ପିଠା ସାଙ୍ଗରେ ଧରି ସେ ମଝିଆଁପୁଅ ବି ବାଟ ଚାଲିଲା । ବଣ, ପାହାଡ, ନଦୀ, ନାଳ ଅତିକ୍ରମ କରି ସେ ଚାଲିଥାଏ । ଶେଷରେ ଗୋଟିଏ ଗଛ ମୂଳରେ ସେ ଯାଇ ଥକା ମାରିଲା । ମୁଣିରୁ ପିଠା କାଢି ଖାଇବାକୁ ଯାଉଛି, ପୂର୍ବର ସେହି ପକ୍ଷୀଟି ଛୋଟେଇ ଛୋଟେଇ ଆସି ସେଠାରେ ପହଁଚିଲା ଓ କିଛି ଖାଇବାକୁ ମାଗିଲା । ତହୁଁ ସେ ମଝିଆଁପୁଅ କହିଲା, ‘ତୁ ମୋ ସହିତ ଭାଗ ହେଲେ ବାଟରେ ମୁଁ ପୁଣି ଖାଇବି କ’ଣ? ତୋ କଥା ତ ଆଦୌ ହୋଇ ପାରିବ ନାହିଁ ।”
ପକ୍ଷୀଟି ଏପରି କଥା ଶୁଣି ସେଠାରୁ ଉଡି ଉଡି ଚାଲିଗଲା । ମଝିଆଁପୁଅ ବି ଏସବୁ ଦେଖି ଭାରି ଆଶ୍ଚର୍ଯ୍ୟ ହେଲା । ସେ ବୁଝିନେଲା ଯେ, ତାହା ହେଲେ ଚଢେଇଟି ତା ସହିତ କପଟତା କରୁଥିଲା । ସେ ମଧ୍ୟ ଠିକ୍ ତା ବଡ ଭାଇ ପରି ବଣ ଭିତରେ ବାଟ ଭୁଲି ଇଆଡେ ସିଆଡେ ବୁଲିବାକୁ ଲାଗିଲା ।
ବାପା ମାଆ ଏଣେ କିଛି ଦିନ ଅପେକ୍ଷା କଲେ । ହେଲେ ତାଙ୍କ ଦୁଇ ପୁଅ ଆଦୌ ଫେରିଲେ ନାହିଁ । ତେଣୁ ସେମାନେ ଖାଲି ବ୍ୟସ୍ତ ହେଉ ଥାଆନ୍ତି । ଦିନକୁ ଦିନ ଅଭାବ ଅସୁବିଧା ବି ବଢି ଚାଲିଥାଏ । ଏହିପରି ସମୟରେ ସାନ ପୁଅ କହିଲା, “ମା ଏବେ ମୋତେ ଅନୁମତି ଦିଅ ସେଠାକୁ ଯିବାକୁ । ମୁଁ ନିଶ୍ଚୟ ମୋ ଭାଇମାନଙ୍କୁ ଖୋଜି କରି ନେଇ ଆସିବି ।” ଏକଥା ଶୁଣି ପ୍ରଥମେ ପ୍ରଥମେ ତା ବାପା ମା’ ତ ଖୁବ୍ ଅମଙ୍ଗ ହେଉଥିଲେ । କାଳେ ଆଉ କଅଣ ବିପଦ ପଡିବ । ଶେଷରେ ସେ ବାପା ମା ଦୁହେଁ ତାଙ୍କ ସାନ ପୁଅର ପ୍ରସ୍ତାବରେ ରାଜି ହେଲେ । ବାଟରେ ସାନ ପୁଅର ଖାଇବାପାଇଁ ତା ବାପା ମା ବି ପିଠା ବାନ୍ଧିଦେଲେ ।
କେତେ ବଣ, ପାହାଡ, ନଈ, ନାଳ ଅତିକ୍ରମ କରି ଶେଷରେ ଗୋଟିଏ ଗଛ ମୂଳରେ ଯାଇ ସେ ସାନପୁଅଟି ବିଶ୍ରାମ କଲା । ତାକୁ ଭୋକ ଲାଗିବାରୁ ସେ ସାନପୁଅଟି ତା ପିଠା ଗଣ୍ଠିଲିଟି ଖୋଲିଲା । ଏହି ସମୟରେ ସେ ସାନପୁଅଟି ଦେଖିଲା, ବଣ ଭିତରୁ ଛୋଟ ଗଣ୍ଡଭୈରବ ଚଢେଇଟିଏ ଛୋଟେଇ ଛୋଟେଇ ଆସୁଛି । ସେ ଆସି ସାନପୁଅକୁ କିଛି ଖାଇବାକୁ ମାଗିଲା । ସାନ ପୁଅ ସେ ଚଢେଇକୁ ଖୁବ୍ ଆଦର କରି ତାକୁ ନିଜ ପାଖରେ ବସାଇଲା ଏବଂ କିଛି ଖାଇବାକୁ ମଧ୍ୟ ଦେଲା । ସେ ଚଢେଇ ବି ଅତ୍ୟନ୍ତ ଖୁସି ହୋଇ ସେସବୁ ଖାଇଲା ଏବଂ କହିଲା, “ତୁମେ ଭାରି ଭଲ । ତୁମ ହୃଦୟରେ ଦୟାଭାବ ବି ଅଛି । ତେଣୁ ତୁମେ ଅନ୍ୟର ଦୁଃଖ ଠିକ୍ ବୁଝିପାର । ଏବେ ମୋତେ କହ, ଏହି ବଣ ରାଜ୍ୟକୁ ତୁମେ ଆସିଛ କାହିଁକି?”
ସାନପୁଅ ସେ ଚଢେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା, “ମୁଁ ତୁମମାନଙ୍କର ରାଜାଙ୍କ ନଅରକୁ ଯିବା ପାଇଁ ହିଁ ଆସିଛି । ସେ ଆମ ବଳଦ ବଦଳରେ ଆମକୁ କିଛି ଧନ ଦେବେ ବୋଲି କହିଥିଲେ ।
ଚଢେଇଟି ଏସବୁ ଶୁଣି କହିଲା, “ଚାଲ, ମୁଁ ତୁମକୁ ବାଟ କଢାଇ ସେଠାକୁ ନେଇଯିବି ଏବଂ ତୁମକୁ ଆମ ରାଜାଙ୍କ ନଅର ପାଖରେ ଛାଡିଦେବି । ହଁ ମନେରଖ, ତୁମକୁ ରଜା ଯେତେବେଳେ ଧନ ମାଗିବା ପାଇଁ କହିବେ, ତୁମେ ତାଙ୍କୁ ସୁନାରୂପା କିଛି ବି ମାଗିବ ନାହିଁ । ତୁମେ କହିବ, ଆପଣ ରାତିରେ ଶୋଇଲାବେଳେ ମାଣ୍ଡିତଳେ ଯାହା ରଖନ୍ତି, ତାହା ହିଁ ମୋତେ ଦିଅନ୍ତୁ ।”
ଦୁହେଁ ଚାଲି ଚାଲି ଶେଷରେ ରାଜ ନଅର ପାଖରେ ଯାଇ ପହଁଚିଲେ । ରୂପେଲି ପାହାଡ ଉପରେ ସେ ଚଢେଇ ରାଜାଙ୍କର ନଅର ଦେଖି ସେ ସାନପୁଅଟିର ଖାଲି ଆଖି ଝଲସି ଯାଉଥାଏ । ସିଂହ ଦରଜାରେ ସିପାହୀ ମାନେ ତ ଜଗିଥିଲେ । ସେମାନେ ଏ ସାନପୁଅକୁ ଅନ୍ଦରମହଲକୁ ନେଇଗଲେ । ତାହା ବଡ ହଲ୍ଟିଏ । ରୂପାର ସିଂହାସନରେ ଚଢେଇମାନଙ୍କର ରାଜା ବସି ଥାଆନ୍ତି । ତାଙ୍କୁ ତାଙ୍କ ପାତ୍ର ମନ୍ତ୍ରୀମାନେ ମଧ୍ୟ ଘେରି କରି ଥାଆନ୍ତି । ସାନପୁଅ ଯାଇ ଚଢେଇମାନଙ୍କର ରାଜାଙ୍କୁ ନମସ୍କାର କରି ତାଙ୍କୁ ନିଜର ସମସ୍ତ ଦୁଃଖ ଜଣାଇଲା ।
ଚଢେଇ ରାଜା ପଚାରିଲେ, “ତୁ ଏହି ନଅର ଦେଖିଲୁ କିପରି?” ସେ ସାନପୁଅ କହିଲା, “ଜଣେ ଦୟାଳୁ ଲୋକ ମୋତେ ଏଠିକୁ ଆସିବା ପାଇଁ ବାଟ ବତାଇ ଦେଲେ । ତେଣୁ ମୋର ଆଉ କିଛି ବି ବିଶେଷ ଅସୁବିଧା ହୋଇ ନାହିଁ ।” ଚଢେଇମାନଙ୍କର ରାଜା କହିଲେ, “ତାହା ହେଲେ ତୁ ମୋ ନଅରଯାକ ବୁଲି ଯାଆ । ତାପରେ ତୁ ମୋତେ ଯାହା ମାଗିବୁ ମୁଁ ତୋତେ ତାହା ନିଶ୍ଚୟ ଦେବି ।”
ସାନପୁଅ କହିଲା, “ମଣିମା, ମୁଁ ଆସିଲାବେଳେ ଆପଣଙ୍କର ନଅର ଦେଖି ଆସିଛି । ଚାରିଆଡେ ତ ଖାଲି ମଣିମାଣିକ ଭରପୂର ହୋଇ ରହିଛି । ହେଲେ ଆମର ଗରିବ ଘରେ ସେ ସବୁ ଆଦୌ ଶୋଭା ପାଇବ ନାହିଁ । ମଣିମା ରାତିରେ ଶୋଇଲାବେଳେ ମାଣ୍ଡିତଳେ ଯେଉଁ ଜିନିଷଟି ରଖନ୍ତି, ତାହା ହିଁ ମୋର ଦରକାର ।”
ଏକଥା ଶୁଣି ସେ ଗଣ୍ଡଭୈରବ ଚଢେଇ ହଠାତ୍ ଚମକି ପଡିଲା । ଏ ଗୁପ୍ତ କଥା ଏ ପିଲା ଜାଣିଲା କିପରି? ତେଣୁ ସେ ପକ୍ଷୀ ରାଜ କଥା ବଦଳାଇ କହିଲା, “ତାହା ତ ଅତି ସାମାନ୍ୟ ତମ୍ବା ମୁଦିଟାଏ । ତାବଦଳରେ ତୋତେ ମୁଁ ମହଣ ମହଣ ସୁନା ଦେବି । ତୁ ବହୁତ ସୁଖରେ ରହିବୁ । ମାମୁଲି ତମ୍ବା ମୁଦିଟାଏ ତୋ’ର କ’ଣ ହେବ?”
ସାନପୁଅ କିନ୍ତୁ ବହୁତ ଜିଦ୍ କଲା ସେହି ମୁଦିଟି ପାଇବା ପାଇଁ । ସେ ଗଣ୍ଡଭୈରବ ଚଢେଇ ଆଗରୁ ତ କଥା ଦେଇଛି । ତେଣୁ ସେ ବାଧ୍ୟ ହୋଇ ନିଜ ହାତରୁ ତମ୍ବା ମୁଦିଟି କାଢି ସେ ସାନପୁଅ ହାତରେ ଦେଲା ।
ସାନପୁଅ ସେ ମୁଦିଟି ନିଜ ହାତରେ ପିନ୍ଧି ଜଙ୍ଗଲବାଟେ ଫେରୁଥାଏ । ମନେ ମନେ ସେ ଭାବୁଥାଏ, ସେ କଅଣ ଠିକ୍ କାମ କଲା? ଏହି ସାମାନ୍ୟ ମୁଦିଟି ସେ ଆଣିଲା ବା କାହିଁକି? ଏବେ ତା’ର ଏହା କେଉଁ କାମରେ ଲାଗିବ? ବାଟରେ ସେ ସାଥୀ ଚଢେଇଟି ଆଉ ତାକୁ ଠକି ଦେଇ ନାହିଁ ତ?
ଏହି ସମୟରେ ସେ ସାନପୁଅକୁ ଭୀଷଣ ଭୋକ ହେଲା । ସେ ତାର ଖାଲି ହାତକୁ ଘଷୁ ଘଷୁ ଭାବିଲା, ରାଜାଘର ଟେବୁଲ୍ ଉପରେ କେତେ ପ୍ରକାର ଫଳ ଆଉ ମିଠା ଥୁଆ ହୋଇଥିଲା । ତା ଭାଗ୍ୟରେ କ’ଣ ତାହା ସବୁ ଅଛି?
ଭାବି ସାରିଲା ପରେ ଅଚାନକ ତା ପାଖରେ ଗୋଟେ ଟେବୁଲ୍ ପଡିଗଲା, ଆଉ ତା ଉପରେ କେତେ ପ୍ରକାର ଫଳ ଆଉ ମିଠା । ସେ ସାନପୁଅଟି ହଠାତ୍ ଏସବୁ ଦେଖି ଏକଦମ୍ ତାଜୁବ୍ ହୋଇଗଲା । ତାପରେ ସେ ଜାଣିଲା, ଏହା ନିଶ୍ଚୟ ମେଜିକ୍ ମୁଦି । ପୁଣି ସେ ଭାବିଲା, ମୋର ବାପା ବୋଉ, ଭାଇ ଦୁହେଁ ଆସିଲେ ଏକାଠି ଆମେ ଖାଆନ୍ତେ । ଆଖି ପିଛୁଳାକେ ସେମାନେ ଆସି ସେଠାରେ ପହଁଚିଗଲେ । ତାପରେ ସମସ୍ତେ ଏକାଠି ହୋଇ ଖୁସି ହେଲେ ଓ ଖାଇଲେ ।
ଘରକୁ ଫେରି ସମସ୍ତେ ସୁଖରେ ରହିଲେ । ମେଜିକ୍ ମୁଦି ଯୋଗୁଁ ଆଉ ଧନର ଅଭାବ ରହିଲା ନାହିଁ । ଏଣିକି ଘରଦ୍ୱାର, ଜମିବାଡି ଖାଲି ହସି ଉଠିଲା । ତାଙ୍କ ଦୁଆରୁ ଦୁଃଖୀରଙ୍କି କି ଆଉ କେହି କେବେ ବି ନିରାଶରେ ଫେରିଲେ ନାହିଁ ।