ତାପରେ ସେମାନେ ଆଗକୁ ଚାଲିଲେ । ମରୁଭୂମି ପାର ହୋଇ ସେପାର ସହରରେ ସେମାନେ ବ୍ୟବସାୟ ଶେଷ କରି ପୁଣି ସେହି ମରୁଭୂମି ବାଟଦେଇ ଫେରି ଆସିଲେ । ଏବେ ମଧ୍ୟ ଦୁହିଁଙ୍କୁ ବାଟରେ ଶୋଷ ହେଲା । ସାଙ୍ଗରେ ଯାହା ପାଣି ଆଣିଥିଲେ ତାକୁ ପିଇ ଶେଷ କରି ଦେଇଥିଲେ ।
ଏଥର କ’ଣ କରାଯିବ? ପୂର୍ବଥର ଭଳି ଏଥର ବି ପୁରୁଣା ଲୋକଟି ପାଣିପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ । ହେଲେ ଏଥର ଭଗବାନ ତା’ର ଡାକ ଆଉ ଶୁଣିଲେ ନାହିଁ । ସେ ହତାଶ ହୋଇ କହିଲେ, “ଏମିତି କେମିତି ହେଲା? ସବୁବେଳେ ସାହାଯ୍ୟ ମିଳୁଥିଲା ବେଳେ ଏବେ କାହିଁକି ମିଳିଲା ନାହିଁ?”
ଠିକ୍ ଏତିକିବେଳେ ନୂଆ ଲୋକଟି କହିଲା, “ବନ୍ଧୁ ! ଏବେ ମୁଁ ଚେଷ୍ଟା କରୁଛି । ଦେଖିବା କ’ଣ ହେଉଛି?”
ନୂଆ ଲୋକଟି ଭଗବାନଙ୍କଠାରେ ପୂର୍ଣ୍ଣ ସମର୍ପିତ ହୋଇ ଡାକିଲା । ଭଗବାନ ତା’ ଡାକ ଶୁଣିଲେ, ସଂଗେ ସଂଗେ ଜଳ ଆସି ପହଂଚିଗଲା ।
ଏହା ଦେଖି ପୁରୁଣା ଲୋକଟି ଆଶ୍ଚର୍ଯ୍ୟ ହୋଇ କହିଲା, “ହେ ଭଗବାନ ! ତୁମେ ଯଦି ସତରେ ଥାଅ ତେବେ ମୋତେ କହ ଏମିତି କେମିତି ହେଲା?”
ଈଶ୍ୱର ସଂଗେ ସଂଗେ ଉଭାହୋଇ କହିଲେ, “ବାବୁରେ ! ମୁଁ ତୋ ପ୍ରାର୍ଥନା ଶୁଣିଛି । ହେଲେ ଏଇବାଟେ ଗଲାବେଳେ ତୁ ମୋତେ ପ୍ରାର୍ଥନା କରି ଜଳ ପାଇଥିଲୁ । ତା’ପରେ ତୋ ମନରେ ଗର୍ବ ପଶିଗଲା । ସୁତରାଂ ତୁ ତୋର ବନ୍ଧୁକୁ ତୋର କାରନାମା ଦେଖାଇ ଛାତି ଫୁଲାଇ ଦେଲୁ । ଯାହା ଫଳରେ ତୋର ବନ୍ଧୁ ତୋ’ଠାରୁ ପ୍ରେରଣା ପାଇ ଈଶ୍ୱରବିଶ୍ୱାସୀ ହୋଇଗଲା । ସୁତରାଂ ଏଇ ରାସ୍ତା ଦେଇ ଫେରିଲା ବେଳେ ତୋର ବନ୍ଧୁର ପ୍ରାର୍ଥନା ମୁଁ ଶୁଣି ପାରିଲି । ହେଲେ ତୋ ପାଇଁ ତୋର ଗର୍ବ ହିଁ କାଳ ହେଲା ।
ସୁତରାଂ ମନେରଖ ଯେ, ଯିଏ ଗର୍ବ କରେ ଈଶ୍ୱର ତା’ ପାଖରେ ନଥାନ୍ତି । ଫଳରେ ସେ ଈଶ୍ୱରଙ୍କ କୃପା ପାଏ ନାହିଁ, ବରଂ ଈଶ୍ୱର ତା’ର ଗର୍ବକୁ ଖର୍ବ କରିଥାନ୍ତି ।”