ସେ କେଉଟ ଜଣକ କଇଁଛଠୁଁ ଏପରି କଥା ଶୁଣି ବଡ ଆଚମ୍ବିତ ହେଲା । ତହୁଁ କେଉଟଟି ସେ କଇଁଛକୁ କହିଲା –
“ସବୁଦିନେ ମାଛ ଧରି ମୁଁ ବିକେ,
ଯେଉଁ ଦିନ ନାହିଁ ରହେ ମୁଁ ଭୋକେ ।
ଆଜି ତ ମୁହିଁ ମାଛ ପାଇଲି ନାହିଁ,
ତେଣୁ ଧରିଛି ତୁମକୁ ବିକିବି ନେଇ ।
କଇଁଛଟେ ହୋଇ କହୁଛ କଥା,
ଏକଥା ଶୁଣି ମୋର ଘୂରିଯାଉଛି ମଥା ।”
ଏହା ଶୁଣି ସେ କଇଁଛ କହିଲା, ସତ କହୁଛି, ତୁ ଯାହା କହିବୁ ମୁଁ ତୋତେ ତାହା ନିଶ୍ଚୟ ଦେବି । ହେଲେ ପାଣି ଭିତରକୁ ମୋତେ ଛାଡିଦେ ।
ହେଲେ ସେ କେଉଟ ତ ମୋଟେ ଛାଡିବାର ଜନ୍ତୁ ନୁହେଁ । ତେଣୁ ସେ କହିଲା –
ତୁହି ଯଦି ଜଳ ପରୀ ବୋଲି କହୁ,
ଋୂପ ତୋର ମୋତେ ଦେଖା ।
ମୁହିଁ ଚାହେଁ ଖାଲି ଟଙ୍କା, ପଇସା,
ଧନ ମୋର ଖାଲି ସଖା ।
ଦେବୁ ଧନ ମୋତେ ଅମାପ ଭାବରେ,
ଚଳିବେ ମୋ ପିଲା ଛୁଆ ।
ମାଛ ଧରି ଆଉ ବିକି ପାରିବିନି,
ଖୁସୀରେ ରହିବି ଆହା ।”
ଏକଥା ଶୁଣି ସେ କଇଁଛ ହଠାତ୍ ଅନ୍ୟରୂପ ନ ହୋଇ ଗୋଟିଏ ତେଜ ଭରା ପକ୍ଷଯୁକ୍ତ ସୁନ୍ଦରୀ ଝିଅଟିଏ ହୋଇଗଲା । ସେତେବେଳେ ନଦୀ ଜଳରେ ତାର ଆଲୋକ ସବୁ ବିଛାଡି ହୋଇପଡିଲା । ସତେ ଯେମିତି ସପ୍ତରଙ୍ଗର ତେଜ ସେ କେଉଟର ଆଖିକୁ ଝଲସାଇ ଦେଲା । ତାପରେ ସେ କେଉଟ ଜଳପରୀର ପାଦ ତଳେ ପଡି ତାଙ୍କଠାରୁ କ୍ଷମା ପ୍ରାର୍ଥନା କଲା । ତା’ର ଅବିଶ୍ୱାସୀତାକୁ ମଧ୍ୟ ସେ ନିଜେ ନିଜେ ବହୁତ ଧିକ୍କାର କଲା ।