ଜଳପରୀ ସେ କେଉଟକୁ ଗୋଟିଏ ସୁନ୍ଦର ସୁନା ତାଟିଆ ଧରାଇ ଦେଲେ ଓ କହିଲେ –
କେଉଟ ଭାଇ, କେଉଟ ଭାଇ,
ସୁନା ତାଟିଆଟି ତୁ ରଖିବୁ ।
ଯେତେବେଳେ ଯେଉଁ ଜିନିଷ ଲୋଡା,
ଦୁଇ ହାତେ ତାକୁ ଘଷିବୁ ।
ତାଟିଆ ଭିତରେ ଆସିବ ଚିଜ,
ଯତନରେ ତାକୁ କାଢିବୁ ।
ଧରମ ନକରି ଗରବ କରିଲେ,
ତାଟିଆଟି ତୁ’ ହରାଇବୁ ।
ତାପରେ କେଉଟ ଜଣକ ସେ ତାଟିଆଟି ନେଇ ତା ଘରକୁ ମନ ଆନନ୍ଦରେ ଆସିଲା । ଏଣେ କଇଁଛ ରୂପ ଧରି ସେ ଜଳପରୀଟି ଜଳ ଭିତରେ କୁଆଡେ ଉଭାନ୍ ହୋଇଗଲେ । ତେଣେ ସେ କେଉଟ ତ ତାଟିଆଟି ତା ବ୍ୟାଗ୍ରେ ପୂରାଇ ଘରକୁ ନେଇଥାଏ । ତାକୁ ଦେଖି ତା ସ୍ତ୍ରୀ ଓ ପୁଅଝିଅ, କ’ଣ ଆଣିଛ ବୋଲି ପଚାରିଲେ । କାରଣ ସେଦିନ ସମସ୍ତେ ସକାଳୁ ଉପବାସରେ ରହିଥିଲେ । କେଉଟ ତା ହାତଗୋଡ ଧୋଇ ତିନି ଜଣଙ୍କୁ ପାଖକୁ ଡାକିଲା । ଏଥୁଉତାରେ ବ୍ୟାଗ୍ ଭିତରୁ ତାଟିଆ କାଢି ତାକୁ ଦୁଇ ହାତରେ ଘଷି ସେ କେଉଟ କହିଲା –
“ପୁଅ ମୋ ଖାଇବ କ୍ଷୀରି ଖେଚୁଡି,
ଝିଅ ମୋ ଖାଇବ ପୁରୀ ।
ସ୍ତୀରୀ ମୋ’ ଖାଇବ ବରା ତରକାରୀ,
କୋବି ଗାଜର ପକୁଡି ।
ଦେ’ ରେ ତାଟିଆ ଦେ’ ରେ ସବୁ,
ଗରିବଙ୍କ ଭୋକ ପାଇଁ ।
ପରିବାର ମୋର ଭୋକେ ବସିଛନ୍ତି,
ଦେଲେ ସେ ଖାଇବେ ନେଇ ।”
ସଙ୍ଗେ ସଙ୍ଗେ ତାଟିଆ ତାଟିଆ ହୋଇ କେତେ ଯେ ତାଟିଆ ଖାଦ୍ୟ ସେଥିରୁ ବାହାରିଲା ତାହା ଆଦୌ କଳନା କରିହେବ ନାହିଁ । କେଉଟ ଯାହା କହିଥିଲା ସବୁ ସେ ତାଟିଆରୁ ବାହାରିଲା । ମା’ ବାପା, ପୁଅ ଝିଅ ସେସବୁ ଖାଇ ସାରି ବଳକା ଖାଦ୍ୟକୁ ରାତି ପାଇଁ ରଖି ଶୋଇ ପଡିଲେ ।
ଆଉ ସେ କେଉଟ ମାଛ ଧରିବାକୁ କେବେବି ଗଲା ନାହିଁ । ଖାଲି ବସି ବସି ଖାଇ ଖାଇ ସେ ତା ମେଦ ବଢାଇଲା । ଏହିପରି ଭାବେ ସମସ୍ତେ ମୋଟୁ ହୋଇଗଲେ । ସେ କେଉଟର ପୁଅଟି ମଧ୍ୟ ଦିନକୁ ଦିନ ବଡ ଅଳସୁଆ ହୋଇଗଲା । ଏଣେ ସେ କେଉଟ କେବଳ ତାଟିଆକୁ ଘଷି ସେଥିରୁ ସୁନା, ରୂପା, ଟଙ୍କା, ଲୁଗା, ଅଳଙ୍କାର ଇତ୍ୟାଦି ବାହାର କଲା । କୋଠା, ଜମି, ବାଡି ଇତ୍ୟାଦି କେତେ କ’ଣ କରିଗଲା ସେ । ଏହିପରି ଭାବେ ବହୁତ ବଡ ଲୋକ ହୋଇଗଲା ସେ । ଏମିତିକି ସେ ଆଉ ଜଳପରୀ କଥା ମୋଟେ ଭାବିଲା ନାହିଁ କିମ୍ବା ସେ ନଈକୁ ଆଦୌ ଗଲା ନାହିଁ । ଦିନେ ତା’ର ଅହଂକାରକୁ ଦମନ କରିବା ପାଇଁ ଜଳପରୀ ଏକ ଭିକାରିଣୀ ବେଶ ଧରି ସେ କେଉଟ ଘରକୁ ଆସିଲେ । ସେତେବେଳେ ସେ କେଉଟ ଜଣକ ଗଜଦନ୍ତ ପଲଙ୍କରେ ବସି ସେବା ପାଉଥାଏ । ଠିକ୍ ଏତିକିବେଳେ ସେ ଭିକାରୁଣୀଟି ବଡ ପାଟିରେ କହିଲା, ବାବୁ ଭିକ୍ଷା ଗଣ୍ଡିଏ ମିଳୁ ।