ଏକଥା ଶୁଣି ସେ କେଉଟ ବାବୁ ହଠାତ୍ ରାଗି ଉଠି ଚିହିଁକି ପଡିଲେ । କହିଲେ ଯା ଯା’ ଆଜିକାଲି କିଏ ଭିକ ମାଗୁଛି । ଖଟି ଖାଇବାକୁ ତୋର କ’ଣ ବଳ ନାହିଁ । ତୁ କାଲିଠାରୁ ଆମ ଦାଣ୍ଡ ଓଳାଇବାକୁ ଆସିବୁ । କାମଧନ୍ଦା ବି କିଛି କରିବୁ । ମଜୁରୀ ନେଇ ଚଳିବୁ । ସେ ଭିକାରୁଣୀଟି ପୁଣି ନେହୁରା ହୋଇ ମାଗିବାରୁ, ତାକୁ ସେଠାରୁ ଗଳା ଧକ୍କାଦେଇ ବାହାର କରିବା ପାଇଁ ଏଥର ନିଜେ ସେ କେଉଟ ବାବୁ ଉଠିଗଲେ । ହଠାତ୍ ଭିକାରୁଣୀଟି ପୂର୍ବର ସେହି ଜଳପରୀ ରୂପରେ ସେ ଜାଗାକୁ ଝଲସାଇ ଦେଲେ । ତାପରେ ସେ ଜଳପରୀ ଭୀଷଣ ରାଗିଯାଇ କହିଲେ –
ଧନରେ ତୁ ଧନୀ ହୋଇଗଲୁ ବୋଲି,
କରୁ ଗରବ,
ଉଡାଇ ନେଉଛି ତାଟିଆ ଗୋଟିକ,
ଏବେ ହୁଅ ଗରିବ ।
ଦୁଃଖି ଦରିଦ୍ରଙ୍କ ପେଟ ତୁ ଚିହ୍ନିନୁ,
କି ବଡ ଲୋକି ।
ଖଟିଲେ ଜାଣିବୁ ଅନ୍ୟର ଆତ୍ମାକୁ,
ନିଶ୍ଚେ ପରଖି ।
ସେହିକ୍ଷଣି ହଠାତ୍ ସେହି ତାଟିଆଟି ସେ କେଉଟଘରୁ ଉଡିଆସିଲା ଜଳପରୀଙ୍କର ହାତକୁ । ଏବେ କେଉଟ ଯେତେ କାନ୍ଦି କାନ୍ଦି ଗଡିଲେ ବି ତାଟିଆକୁ ସେ ଜଳପରୀ ଆଉ ଦେଲେ ନାହିଁ । ସେ କେବଳ ଏତିକି କହିଲେ, ଯେଉଁ ଦିନ ତୋର ପ୍ରକୃତି ବଦଳିବ, ତୁ ସେହିଦିନ ହିଁ ମୋଠାରୁ ଏହି ତାଟିଆଟି ପାଇବୁ । ସମସ୍ତଙ୍କ ଉପରେ ତୋର ସହାନୁଭୂତି ନ ଆସିଲେ ହୃଦୟକୁ ଜିଣିପାରିବୁ କାହୁଁ?
ସ୍ନେହ ଶ୍ରଦ୍ଧା, ସଦ୍ଦିଚ୍ଛା, ପରୋପକାର, ଭାତୃଭାବାପନ୍ନ, ପରିଶ୍ରମୀ, ହୋଇପାରିଲେ, ତୋ ମନରେ ଥିବା ଗର୍ବ, ଅହଙ୍କାର ସବୁ ଭାଙ୍ଗିଯିବ । ତାପରେ ତୁ ଭଲ ମଣିଷଟିଏ ନିଶ୍ଚୟ ହୋଇପାରିବୁ । ଯେଉଁ କୋଠା ଜମିବାଡି କରିଛୁ, ସେ ସବୁକୁ ବି ମୁଁ ଉଭାଇ ଦେଇପାରେ । କିନ୍ତୁ ମୋର ତୋ ପ୍ରତି ଟିକେ ଦୟା ଆସୁଥିବାରୁ ଏପରି କାମ ମୁଁ ଆଦୌ କରୁନାହିଁ । ଯେଉଁଦିନ ମୋ ଉପଦେଶ ଗୁଡିକ କାର୍ଯ୍ୟକାରୀ କରି ପ୍ରକୃତିକୁ ତୋର ପରିଷ୍କୃତ କରିବୁ, ମୁଁ ସେହିଦିନ ତାଟିଆଟିକୁ ଆଣି ତୋତେ ଫେରାଇ ଦେବି । ତାଟିଆଟି ହିତ ପାଇଁ ଲାଗେ କିନ୍ତୁ ଅହିତକର କାର୍ଯ୍ୟପାଇଁ ତ ମୋଟେ ନୁହେଁ । ତୁ ତୋର ବ୍ୟବହାର ମାର୍ଜିତ କରି ପାରିଲେ ମୁଁ ନିଶ୍ଚୟ ଆସି ତୋତେ ଦେଖା ଦେବି ଓ ସେ ତାଟିଆଟି ତୋତେ ହିଁ ଫେରାଇ ଦେବି । ଏହା କହି ଜଳପରୀ ହଠାତ୍ ସେଠାରୁ ଶୂନ୍ୟ ହୋଇଗଲେ ।
କେଉଟ ଯେତେ ଡାକିଲା ଆଉ ସେ ଜଳପରୀ ମୋଟେ ତାକଥା ଶୁଣିଲେ ନାହିଁ । ତାପରେ ସେ କେଉଟ ଜଳପରୀଙ୍କ ସମସ୍ତ ଉପଦେଶକୁ ମାନିଲା । ସେ ନିଜେ ଆଗରୁ ପରିଶ୍ରମ କରି ଯେମିତି ଧନ ରୋଜଗାର କରୁଥିଲା, ଠିକ୍ ସେମିତି ରୋଜଗାର କଲା । ଭଲ ବ୍ୟବହାର ଲୋକମାନଙ୍କୁ ମଧ୍ୟ ସେ କେଉଟ ଦେଖାଇଲା । ଏହିପରି ଭାବେ ସେ ତା’ର ପ୍ରକୃତିକୁ ମାର୍ଜିତ କରିବାରେ ଲାଗିଲା । ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା ଓ ଦାନ ଧର୍ମ କରି ତାଟିଆଟି ଫେରି ପାଇବା ଉଦ୍ଧେଶ୍ୟରେ ସେ ଖଟି ଚାଲିଲା । ଏବେ ମଧ୍ୟ ତାଟିଆଟି ପାଇଁ ସେ କେଉଟ ଜଣକ ଜଳପରୀଙ୍କ ସବୁ ଉପଦେଶକୁ ମାନି ଚଳୁଛି ।