ଜମିଦାର ଗୋଲାପଲୋଚନ ପଟ୍ଟନାୟକେ ଆପେ ପାଠୁଆ ନ ହେଲେ କ’ଣ ହେଲା, ପାଠର ମର୍ଯ୍ୟାଦା ସେ କିନ୍ତୁ ଠିକ୍ ବୁଝନ୍ତି, ଏଥିସକାଶେ ସେ ଆଖି କାନ ବୁଜି ଇଁରାଜୀ ପାଠ ପଢିବା ସକାଶେ ତାଙ୍କ ପୁଅକୁ ବିଦେଶକୁ ପଠାଇ ଦେଇଛନ୍ତି । ମଦନ ଉଛୁଣିକା କଲେଜର ସବା ଉପର କ୍ଲାସରେ ପଢେ । କଲେଜପଢା ବହି ଛାଡି ବାହାର ବହି ଢେର୍ ପଢିଗଲାଣି ସେ । ଭେଣ୍ଡିଆମାନେ ତ ଉପନ୍ୟାସ ପଢିବାକୁ ଭାରି ସୁଖ ମଣନ୍ତି । ତେଣୁ ମଦନ ବି ଢେର୍ଗୁଡାଏ ଉପନ୍ୟାସ ପଢିଗଲାଣି । ଏହି ମଦନ ପିଲାଟା ଖୁବ୍ ଗମ୍ଭୀର, ମନମରା ଲୋକ । ହେଲେ କ’ଣ –
“ଯୋଗୀକା, ରୋଗୀକା, ଭୋଗୀକା ନିଶାନ୍
ଆଁଖସେ ଜାନ ଅଉର ଆଁଖସେ ପଇଛାନ ।”
ପାଟି ଫିଟାଇ ନ କହିଲେ ବି, ମଣିଷ ମନର କଥା ଆଖିରୁ ହିଁ ଧରାପଡେ । ଦେଖାଗଲାଣି, ମଦନ ଉପନ୍ୟାସ ବହି ଖଣ୍ଡ ହାତରେ ଧରି ଏକଧ୍ୟାନରେ ଭକ୍ଭକ୍ କରି ସେ ଉପରକୁ ଅନାଇ ଢେର୍ବେଳ ଯାଏଁ କଣ ଗୋଟେ ଭାବେ । ସଞ୍ଜବେଳେ ନଈକୂଳରେ ବସି ତାକୁ ଏହିପରି ଭାବୁଥିବାର ଦେଖାଯାଏ । ମଦନ ସାଙ୍ଗ ପଢୁଆ ହୃଦୟର ବନ୍ଧୁ ଗୋକୁଳିବାବୁ ମଦନର ଏହିପରି ଭାବ ଦେଖି ତାଙ୍କୁ ପଚାରିଲେଣି, ‘ମଦନ! ଏପରି ବସି କଣ ଗୋଟାଏ ଭାବୁଚୁରେ? ବନ୍ଧୁ ପାଖରେ ମନର କଥା ଫେଇ କହିଲେ ମନ ଟିକିଏ ହାଲୁକା ହୁଏ ।’ ଏପରି ଭାବି ଦିନେ ସେ ମଦନ ହଠାତ୍ କହି ପକାଇଲା, “ଗୋକୁଳି! ଏହି ଉପନ୍ୟାସ ଖଣ୍ଡ ପଢିଲ, ନାୟକ ନାୟିକାଙ୍କର କେମନ୍ତ ମଧୁର ପ୍ରଣୟ ପଢିଲ ।” ଏହା ଶୁଣି ଗୋକୁଳି ହସି ହସି କହିଲେ, “ଓହୋ! ମୁଁ ଏଥର ବୁଝିଲି, ତୁମେ ଏହିପରି ନାୟିକାଟିଏ ଖୋଜୁଛ ପରା?” ତା’ପରେ ସେ ଦୁଇବନ୍ଧୁ ଖୁବ୍ ହସାହସି ହେଲେ ।
ମନୁଷ୍ୟ କୌଣସି କାର୍ଯ୍ୟରେ ଲାଗିପଡିବା ଆଗରୁ ତାହା ମନରେ ତିନୋଟି ଅବସ୍ଥା ଘଟେ । ପ୍ରଥମେ ଅନୁଭୂତି, ଦ୍ୱିତୀୟ ଭାବନା, ତୃତୀୟ ଇଚ୍ଛା । ଗୀତାକାର ମଧ୍ୟ ଠିକ୍ ସେହିପରି କଥାଟାଏ କହିଛନ୍ତି, “ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୁ ପଜାୟତେ ।” ତରୁଣ ବୟସର ତରଳ ମନ ତ ପ୍ରଣୟ ଆଡକୁ ଅତି ସହଜରେ ଢଳିପଡେ । ମଦନ ସେ ଉପନ୍ୟାସରେ ନାୟକ-ନାୟିକାଙ୍କ ପ୍ରଣୟ କଥା ପଢି ପଢି ଶେଷରେ ସ୍ଥିର କଲାଣି, ସେ ଏହିପରି କନ୍ୟାଟିଏ ପାଇଲେ ନିଶ୍ଚୟ ତାକୁ ବିଭା ହେବ । ସେହି ସମୟରେ ସଙ୍ଗେ ସଙ୍ଗେ ତା’ର ମନରେ ପଡିଗଲା –
“କୁଜ୍ଜୀ ପରି ନଇଁ ନଇଁ ଗୋଡ ଟିପି ଗମନା,
ମୁଖଚନ୍ଦ୍ର ଆବୃତ ହାତେ ଲମ୍ବ ଓଢଣା,
ଚୁ ଚୁ – କଥା କହେ ହାଉଡୀ ସମାନା,
ଘରକୋଣବାସିନୀ ବିରସବଦନା,
ମାର୍ଜାର ଶିଶୁପରି ମୁଦ୍ରିତ ନେତ୍ରା,
ତୈଳହରିଦ୍ରାବିଲେପିତ ଗାତ୍ରା ।”
ହାୟ ହାୟ! ଦରଫୁଟିଲା ପଦ୍ମଟିକୁ ବୋରଝାଞ୍ଜିରେ ଘୋଡାଇ ପକାନ୍ତି! ଦେଶର ଇଏ କି ପ୍ରକାର କୁପ୍ରଥା! କି କୁସଂସ୍କାର! ଛି ଛି ଛି! ଏପରି କାଠ କଣ୍ଢେଇଟାକୁ କିଏ ବାହା ହେବ ମ! ମୁଁ ବାହା ନ ହେଲେ ପଛେ ନାହିଁ!
ଚାରି ଛ’ମାସ ଉତାରେ ଦିନେ ଫୁଲସଞ୍ଜ ସମୟ, ମୁଣ୍ଡରେ ଗାମୁଛା ଖଣ୍ଡେ ପାଗକରି ଗୁଡିଆ, ଅଂଟାରେ ପାଛୋଡା ଖଣ୍ଡ ଭିଡା ଆଣ୍ଠୁଯାଏଁ ଧୂଳି, ଅଳ୍ପ ନଇଁ ନଇଁ ଗୋଟିଏ ବୁଢା ବାଡି ଖଣ୍ଡିଏ ଠୁକ୍ ଠୁକ୍ କରି ସେ ବସାଘର ଦୋମହଲା ଉପରକୁ ଉଠିଗଲେ । ହାତରେ ଢାଳଟିକୁ ଧରି ପିଠିରେ ସାନ ବୋକଚାଟିଏ ପକାଇ ତାଙ୍କ ପଛରେ ଜଣେ ଭଣ୍ଡାରି ଚାଲିଛି । ମଦନବାବୁ ତାଙ୍କୁ ଦେଖି ହଠାତ୍ ଚମକି ପଡିଲା ପରି ହୋଇ ପଚାରିଲେ, “ଇଏ ଅଜା ଇଏ ଅଜା! ଆପଣ କୁଆଡେ ଅଇଲେ? ଆପଣ କୁଆଡେ ଅଇଲେ? ଆରେ ଅଜାଙ୍କୁ ଗୋଡ ଧୋଇବାକୁ ପାଣି ଦେ ରେ । ଧାଇଁ ଯା ଧାଇଁ ଯା, ବଜାରରୁ ଯାଇ କିଛି ଜଳଖିଆ କିଣି ଆଣ ରେ ।”