ତହିଁ ଆରଦିନ ସକାଳେ ଅଜା ନାତି ଦୁହେଁ ଖାଇବସିଛନ୍ତି । ଠିକ୍ ଏତିକିବେଳେ ସେ ବୁଢା ତା’ମନରେ ବିଚାରିଲା, ପିଲାଟା ତ କାହିଁ କିଛି ବି ଜବାବ୍ ଦେଲା ନାହିଁ – କଥା କ’ଣ? ନାତିର ମନ ବିଡିବା ପାଇଁ ଅଜା କହି ବସିଲେ, “ବୁଝିଲୁରେ ନାତି, ଏପରି ପରମା ସୁନ୍ଦରୀ, ଏପରି ପାଠୋଈ ପାତ୍ରୀ, ଏପରି ଭଲ ଘର ଭାଗ୍ୟରେ ଥିଲେ ମିଳେ । ହେବ ନାହିଁ କିଆଁ – ବାପସାଆନ୍ତ ଯେପରି ପୁଣ୍ୟବନ୍ତ, ଆଉ ତୁ ଯେପରି ପିତୃଭକ୍ତ ଧାର୍ମିକ ପିଲା, ତୋତେ ଏପରି କନ୍ୟା ମିଳିବ ନାହିଁ ତ ଆଉ କାହାକୁ ମିଳିବ? ଦିନେ ହେଲେ ବାପାସାଆନ୍ତଙ୍କ କଥାରେ ନା-ପଦ ତୁ ତ ତୋ ମୁହଁରୁ କେବେବି କାଢି ନାହୁଁ । ଖାସ୍ ଏଥିଲାଗି ଦେଶଯାକ ତୋର ଭୂରିଭୂରି ପ୍ରଶଂସା । ତୁ ପିଲାଟା ହେଲେ କ’ଣ ହେଲା, ସବୁ ଶାସ୍ତ୍ର ବୁଝୁ, ଜାଣୁ! ଶାସ୍ତ୍ରରେ ପରା ଲେଖା ଅଛି; ବାପ ଯେଉଁ ପୁଅ ପ୍ରତି ସନ୍ତୁଷ୍ଟ, ସେ ସବୁ ଦେବତାଠାରୁ ବି ବର ପାଏ । ଆଉ ଗୋଟିଏ କଥା ବୁଝିଥା, ଏପରି ପାତ୍ରୀ ହାତରୁ ଥରେ ବାହାରିଗଲେ ଆଉ କେବେବି ମିଳିବ ନାହିଁ । ବାପା ସେଥିପାଇଁ ଚଂଚଳ ହୋଇପଡିଛନ୍ତି । ସ୍ୱୀକୃତି ହୋଇଗଲାଣି । ଆସନ୍ତା ମକର ସତର ଦିନ ଶୁକ୍ଳ ଦଶମୀକୁ ଲଗ୍ନ, ତେଣିକି ଆଉ ଲଗ୍ନ ନାହିଁ, ଆଉ ତା’ପରେ ତୋର ଯୋଡା ବୟସ ପଡିବ, ତେଣୁ ବର୍ଷେ ବିଭା ବନ୍ଦ । ଯା, ସ୍କୁଲମାଷ୍ଟରକୁ କହିବୋଲି ତୋ ପୋଥିପତ୍ର ଘେନି ଚାଲିଆ । କାଲି ସକାଳେ ଆମେ ଏଠାରୁ ଚାଲିଯିବା । ଆଉ ଦିନ ନାହିଁ । ମଝିରେ ରହିଲା ମାତ୍ର ଯୋଡାଏ ମାସ ।” ସବୁଶୁଣି ସେ ମଦନବାବୁ ଆପଣା ମୁଣ୍ଡପୋତି ଧୀରେ ଧୀରେ କହିଲେ, “ବାପା କହିଛନ୍ତି, ମୁଁ ଭଲକରି ଇଂରାଜୀ ପାଠଟା ପଢିବି । ବି.ଏ. ପାସ୍ ଯାଏଁ ପଢିବାକୁ ମୋର ଭାରି ଇଚ୍ଛା । ତେଣୁ ଏହି ସମୟରେ ବାହା ଫା ହେଲେ ମୋର ଆଉ ପାଠ ହେବ ନାହିଁ ।”
ଅଜା – ହଁ ହଁ, ସେକଥା ବି ଉଆସରେ ପଡିଥିଲା । ବାପା କହିଛନ୍ତି, ତୋର ଆଉ ଅଧିକ ପଢିବା କିଛି ବି ଦରକାର ନାହିଁ । ଆଉ ପୁଣି ତୋର ବି.ଏ. ଫିଏ ପାସ୍ ଫାସ୍ ହେବା ଦରକାର କ’ଣ ରେ? ତୁ କ’ଣ ସରକାର ଘରେ ଚାକିରି କରିବୁ?
ଏତିକିରେ ସେ ମଦନବାବୁଙ୍କ ସଙ୍ଖାଳି ସରିଲା । ତା’ପରେ ଫଁ କରି ନିଃଶ୍ୱାସଟାଏ ପକାଇ ସେ ତୁନି ହୋଇ ବସିଲେ । ମାନେ ଅଜା କଥା ଶୁଣି ଜୋକ ମୁହଁରେ ଲୁଣ ଦେଲାପରି ତୁନି ହୋଇ ସେ ମଦନ ବସିଲେ ।
ଜମିଦାରଙ୍କ ଉଆସର ଚାରିଟା ପୁର – ବାହାଦିନଠାରୁ ସାନସାଆନ୍ତଙ୍କ ପୁର ଅଲଗା ହୋଇଯାଇଛି । ମଝି ଦୁଆରଟି କିଳିଦେଲେ ଦୁଇ ପୁର ସମ୍ପୂର୍ଣ୍ଣରୂପେ ଅଲଗା ହୋଇଯାଏ । ମଦନବାବୁଙ୍କ ବିଭା କାଲିପରି ଚାରିମାସ ହୋଇଗଲାଣି । ଦିନ ରାତି ପୁର ମଧ୍ୟକୁ ଯା-ଆସ କରିବାକୁ ସେ ମଦନବାବୁଙ୍କର ଭାରି ଇଚ୍ଛା; କିନ୍ତୁ ରାତି ପହରକ ଆଗରୁ ସିଏ ସେ ପୁର ମଧ୍ୟକୁ କେବେବି ଯାଇପାରନ୍ତି ନାହିଁ । ବାହାର କଚେରିଘରଲଗା ଆପଣା ବୈଠକଖାନାରେ ମଦନବାବୁ ବସି ପଢାପଢି କରୁଥାନ୍ତି । ମଦନମୋହନଟି ତ ବଡ ଲାଜକୁଳିଆ ପିଲା । ଦିନବେଳେ ଭିତର ଉଆସକୁ ଯିବା ସମୟରେ ପୋଇଲୀପରିବାରୀଗୁଡାକ କେହି ହସନ୍ତୁ ବା ନ ହସନ୍ତୁ ସେ ମଦନ କିନ୍ତୁ ମନେ ମନେ ଭାବନ୍ତି ଯେମିତି ଏ ପୋଇଲୀଗୁଡାକ ହସୁଛନ୍ତି । ଆଉ ଜମିଦାରଙ୍କ ଘର ପରି ଏହାଙ୍କ ଉଆସରେ ଅକର୍ମା ଅସଭ୍ୟା ପୋଇଲୀଗୁଡାଏ ବି ଢେର୍ । ସେଗୁଡାଙ୍କର ଆଉ ପାଇଟି କ’ଣ?
ଏ ତ ଗଲା ଗୋଟାଏ କଥା । ବଡ କଥାଟା ଏହି ଯେ, ପଦୀଟା ବୋହୂ ପାଖେ ପାଖେ ଜୋକ ପରି ଲାଗିରହିଛି । ପଦୀଟା ପୋଇଲୀ ହେଲେ କଅଣ ହେଲା, ତାହାର ଢେର୍ ଗୁଣ । ଗାଁରେ ପୁଣି ତାହାର ନାମଡାକ ବି ଅଛି । ଗାଁ ମଧ୍ୟରେ କୌଣସି ସାଆନ୍ତଙ୍କ ଝିଅ ବିଭାଘର, ଦଶ ପନ୍ଦର ଦିନ ଆଗରୁ ମା-ସାଆନ୍ତାଣୀ ସେ ପଦୀକୁ ଡକାଇ ଝିଅ ପାଖରେ ତାକୁ ରଖିଦିଅନ୍ତି । ଶାଶୁଘରକୁ ଯିବାବେଳେ ଝିଅ କାହାକୁ ଧରି କି କଥା କହି କିପରି ବାହୁନିବ, ଶାଶୁଘରେ କେତେ ଓଢଣା ପକାଇ କିପରି ସେ ନଇଁ ନଇଁ ଚାଲିବ, କିପରି ଚୁ ଚୁ କଥା କହିବ, ଏସବୁ ସଦ୍ଗୁଣ ଶିଖାଇବାରେ ପଦୀକୁ କେହି ବି ବଳିଯିବ ନାହିଁ । ନିତାନ୍ତ ପରିତାପର ବିଷୟ, ଶିକ୍ଷାର ବିଶେଷରେ ସ୍ତ୍ରୀଶିକ୍ଷାର ବହୁଳ ପ୍ରଚାର ଯୋଗୁଁ ପଦୀ-ଶ୍ରେଣୀ ଗୁଣବତୀମାନଙ୍କ ଦାନାପାଣି ପ୍ରାୟ ଉଠିଗଲାଣି । ଝିଅ ବିଭା ହୋଇ ଆସିବାବେଳେ ମଙ୍ଗଳପୁର ତାଲୁକର ଜମିଦାରଣୀ ପଣତକାନିରେ ଆଖି ପୋଛି ପକାଇ କହିଲେ, “ଶୁଣ ପଦୀ, ମନୀ ତୋତେ ଲାଗିଲା । ବୁଝି ସାବଧାନ! ଝିଅର ଢଙ୍ଗଢାଙ୍ଗ ଲାଜ-ସରମ କଥାରେ ଯେମନ୍ତ କେହି ତୁଣ୍ଡ ନ ଫିଟାଏ, ଆମ ବଂଶକୁ ନିନ୍ଦା ବୋଲଣା ନ ଆସେ । ସବୁ ଶୁଣି ସେ ପଦୀ ଖୁବ୍ ଗର୍ବରେ ମୁରୁକି ହସଟାଏ ହସି କହିଲା, “ଆଜ୍ଞା ମଣିମା! ଏ କଥା କଣ ଆଜି ପଦୀକୁ ଶିଖାଇଦେବେ?”
ସେ କନ୍ୟାଟିର ନାମ ମୋହିନୀ । ରୂପରେ, ଗୁଣରେ ବି ଠିକ୍ ସେହିପରି ସେ ମୋହିନୀ । ମଦନବାବୁଙ୍କ ମନକୁ ସେ ବଡ ଲାଗିଗଲାଣି । ଭାରି ଇଚ୍ଛା, ବୋହୂଟିକୁ ଭଲକରି ପଢାଇବେ, ସବୁବେଳେ ଦୁଇଜଣ ବସି କଥାଭାଷା ହେବେ, ସଞ୍ଜବେଳେ ତୋଟାରେ ବୁଲିବେ – ହେଲେ ଉପାୟ କ’ଣ? ପଦୀଟା ତ ତା’ ପାଖା ପାଖି ଲାଗି ରହିଛି । ତାକୁ ସେ କ’ଣ ମନ୍ତ୍ର ପଢାଉଛି କେଜାଣି, ସେହି ମୂର୍ଖ ବୋହୂଟା ବି ଆଖି ଫିଟାଉ ନାହିଁ କି କଥା କହୁ ନାହିଁ । ଦିନେ ମଦନବାବୁ ଆପଣା ପଢାଘରେ ବସି କ’ଣ ଭାବୁଥିଲେ, ହଠାତ୍ ଖୁସିଟାଏ ହୋଇ ସେ ପାଟିକରି କହିପକାଇଲେ, “ବେଶ୍ ଏକ ଉପାୟ ମନରେ ପଡିଛି, ବେଶ୍ କଥା – ବେଶ୍ କଥା ।”