ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗାରୁଡି ମନ୍ତ୍ର

ମଦନବାବୁ ପ୍ରତିଦିନ ରାତି ପହରକ ସରିକି ସେ ଉଆସ ଭିତରକୁ ଆସୁଥିଲେ । ଏଣିକି ଢେର୍ ଥର ମଠ ହୋଇଗଲାଣି, ଦିନେ ଦିନେ ଦେଢ ପହର ବି ଗଡିଯାଏ । ଦିନେ ପଦୀ ପଚାରିଲା, “ହୋଇ ଲୋ ଶୁକ୍ରୀ! ସାଆନ୍ତ-ମଣିମା’ଙ୍କର ଉଆସ ଭିତରକୁ ବିଜେ ହେବାକୁ ଦିନେ ଦିନେ ମଠ ହୁଏ କିଆଁ? ସେ ବଡ ଉଆସରେ ତ ଢେର୍ ଗୁଡାଏ ପୋଇଲୀ, ମାତ୍ର ସାନସାଆନ୍ତଙ୍କ ଉଆସକୁ ତ କେହି କେବେବି ଯାଆନ୍ତି ନାହିଁ । କାହିଁକିନା ପୁଅ ଗୋଳମାଳକୁ ମୋଟେ ଭଲ ପାଏ ନାହିଁ । ଏଥିପାଇଁ ମା-ସାଆନ୍ତାଣୀଙ୍କର କଡା ହୁକୁମ୍, କେହି ପୋଇଲୀ ଯେମିତି ସେ ସାନସାଆନ୍ତଙ୍କ ଉଆସ ଭିତରକୁ ଯିବେ ନାହିଁ । କେବଳ ଶୁକ୍ରୀ ପୋଇଲୀକୁ ନମୋଦ କରି ଦେଇଚନ୍ତି – ତେଣୁ ସେ ସବୁବେଳେ ବୋହୂ ପାଖରେ ଥାଏ । ପାଠ ଘରେ ସାନସାଆନ୍ତ ଓ ଶୁକ୍ରୀ ନିରୋଳାରେ ବସି ଢେର୍ ବେଳଯାଏଁ କ’ଣ ଫୁସରଫାସର ହେଉଥିବାର କେତେଥର ଦେଖାଗଲାଣି । ପଦୀ ପଚାରିବାରୁ ଶୁକ୍ରୀ ତାକୁ କହିଲା, “ତୁ ଶୁଣି ନାହୁଁ କିଲୋ ପଦୀଅପା! ସାଆନ୍ତମଣିମା ଗାରିଡିମନ୍ତ୍ର ଫୁଙ୍କିବାକୁ ଯା’ନ୍ତି ପରା!”

ପଦୀ – ଏ ଗାରିଡିମନ୍ତ୍ର କ’ଣ ଲୋ?

ଶୁକ୍ରୀ – କଥା କଣ କି, ଏ ଦେଶରେ ଏହି ଖରାଦିନିଆ ଚିତ୍ରାନାଗ ଢେର୍ ବାହାରି ମଣିଷଙ୍କୁ ଦଂଶି ଦିଅନ୍ତି । ଆମ ସାଆନ୍ତଙ୍କୁ ତ ଗାରିଡିମନ୍ତ୍ର ଜଣା; ତେଣୁ ସେ ଫୁଙ୍କି ଦେଲେ ବିଷ ଉଡିଯାଏ । ପଣକୁ ପଣ ରୋଗୀ ଭଲ ହୋଇଗଲେଣି । ଆଉ କଣ କହିବି ପଦୀଅପା, ଏହି ପାଖ ଗାଁ ମିଛପୁର ପୁଞ୍ଜାଏ ବୋହୂ ଠକ୍ ଠକ୍ କରି ମରିଗଲେ! କେଡେ ସୁନ୍ଦର ବୋହୂଗୁଡାକ, ଆହା! ଆହା!

ପଦୀ – ହଁ ଲୋ ଶୁକ୍ରୀ! ସେଗୁଡାକ ସାନସାଆନ୍ତ ମଣିମା’ଙ୍କୁ କିଆଁ ବାତିନ ଦେଲେ ନାହିଁ?

ଶୁକ୍ରୀ – ହଁ, ସାନସାଆନ୍ତ ବିଜେ କରିଥିଲେ, ଢେର୍ ଫୁଙ୍କାଫୁଙ୍କି ବି ସେମାନଙ୍କୁ କଲେ – ହେଲେ କଣ ହେବ, ବୋହୂଗୁଡାକ ଶେଷରେ ଆପଣା ଦୋଷରୁ ହିଁ ମଲେ ମ! କଥା କଣ କି, ସାଆନ୍ତ ଆଗ ମନ୍ତ୍ରପାଣିରେ କାଠିମରା ରୋଗୀର ମୁହଁ ଧୋଇ ଦିଅନ୍ତି, ଆଉ ଜୁଡା ଫିଟାଇ ଦିଅନ୍ତି, ଆଉ ଗାରିଡିମନ୍ତ୍ର ଡାକିବାବେଳେ ରୋଗୀ ମୁହଁରୁ ଲୁଗା କାଢି ସାଆନ୍ତଙ୍କ ମୁହଁକୁ ଚାହିଁ ରହିବା ବିଧି । ବୋହୂଗୁଡାକ ମନ୍ତ୍ର ପଢିବାବେଳେ ଯେମିତି ମୁହଁ ଢାଙ୍କି ପକାଇଲେ, ଠକ୍ ଠକ୍ କରି ଢଳି ପଡିଲେ ।

ପଦୀ – ଆହା! ପାଖରେ କଣ କେହି ପୁରୁଖା ମାଇପେ ନ ଥିଲେ? ବୋହୂ ମୁହଁ ଢାଙ୍କିବାବେଳେ ତା ହାତ ଧରିପକାଇଲେ ନାହିଁ କିଆଁ? ଜୀବନ ବଡ ନା ଲାଜ ବଡ? ଆପଣା କିଆକୁ ଇଲାଜ କିଆଁ! ହଁ ଲୋ ଶୁକ୍ରୀ, କାଠିମରା ରୋଗୀର ମୁଣ୍ଡବାଳ ଫିଟାଇ ଦିଅନ୍ତି, ତାହା ତ ମୁଁ ବି ଜାଣେ ।

ଶୁକ୍ରୀ – ପଦୀଅପା, ତୁ ତ ରୋଜିନା ସଞ୍ଜବାଦେ ନୀତି ବଢାଇବା ଲାଗି ବୋହୂ ସାଆନ୍ତାଣୀଙ୍କୁ ତୋଟା ଆଡେ ଘେନିଯାଉ । ହାତରେ ଗୋଟିଏ ଆଲୁଅ ଘେନିଗଲେ ଭଲ ହୁଅନ୍ତା ପରା ।

ପଦୀ – କଣ କହିଲୁ ଲୋ ଶୁକ୍ରୀ, କଣ କହିଲୁ! ଏଡେ ମହତ ଘର ପୋଇଲୀଟା ହୋଇ କଣ କଥାଟା ମୁହଁରେ ଧରିଲୁ? ଦେଶରେ ମୁଲକରେ ଗୋଟିଏ ନିନ୍ଦା ଚହଳ ପଡିଯିବ ଯେ, ହାଟୁଆ ଘର ଝିଅଟା ପରି ମଶାଲ ଜାଳି ବାଡିଆଡେ ଯାଏ । ମା-ସାଆନ୍ତାଣୀଙ୍କ କାନରେ ବାଜିଗଲେ କଣ ମୋ ଚୁଟି ପିଠି ରହିବ? ଆମ ଉଆସରେ ତ ବୋଡିକୁ ବୋଡି ପୋଇଲୀ – ମା – ସାଆନ୍ତାଣୀ ବାଛି ବାଛି ମୋତେ ସାଙ୍ଗରେ ଦେଲେ କିଆଁ? ଆଲୋ, ପଦୀ ଯେବେ ସାଙ୍ଗରେ ଅଛି, ଆମ ଜେମାଙ୍କର ଡର ଗୋଟାଏ କଣ?

ସଞ୍ଜ ଗଡିଗଲାଣି । ଏଣେ ସେ ଘର ଭିତରେ ସବୁ କିଛି ଅନ୍ଧାର । ବୋହୂଟି ଓଢଣା ପକାଇ ତୋଟା ଭିତରୁ ଧୀରେ ଧୀରେ ଚାଲିଛି । ପଦୀ ତାଙ୍କ ବାହାଟି ଧରି ତାଙ୍କୁ ଚଳାଇ ଆଣୁଛି । ତୋଟା ଦୁଆର ଦୁଆରବନ୍ଧ ଡେଇଁ ଯେମିତି ସେମାନେ ଘର ଭିତରକୁ ପଶିବେ, କବାଟ କଣରୁ ଦେଢହାତ ଲମ୍ବ ସାପଟିଏ ବାହାରି ବୋହୂ ଆଉ ସେ ପଦୀ ଗୋଡପାଖ ବାଟେ ହଳହଳ କରି ଚାଲିଗଲା । ଏସବୁ ଦେଖି ପଦୀ ତ ସେ ବୋହୂଟାକୁ ପେଲିଦେଇ ‘ବୋପା ଲୋ’ ବୋଲି ରଡିଟାଏ ଛାଡି ସିଧା ଘରେ ପଶି କବାଟ କିଳିଦେଲାଣି । ବୋହୂଟା ହାଉଳି ଖାଇ ଠା ପଡିଗଲା, ତା’ପରେ ତା’ର ଆଉ ଚେତା ନାହିଁ । ଶୁକ୍ରୀ ତ ସେତେବେଳେ ସେଠାରୁ ଅଳ୍ପ ଦୂରରେ ଥିଲା – ସେ ଆସି ବୋହୂଟିକୁ କାଖେଇ ପହଡଘର ଭିତରକୁ ଘେନିଗଲା, ମୁହଁରେ ତା’ର ପାଣି ଛିଂଚିବାରୁ ସେ ବୋହୂର ଚେତା ପଶିଲା । ଶୁକ୍ରୀ କହିଲା, “ଆପଣ ଆଦୌ କିଛି ବି ଡରିବେ ନାହିଁ । ସାଆନ୍ତଙ୍କୁ ଡାକି ଆଣୁଛି, ସେ ଏହିଲାଗେ ତୁମକୁ ନିଶ୍ଚୟ ଭଲ କରିଦେବେ ।”

ସାନସାଆନ୍ତଙ୍କୁ ଦେଖି ସେ ବୋହୂଟାର ଟିକେ ସାହାସ ହେଲାଣି । ବରଡା ପତର ପରି ଥରୁଥିଲା, ଏବେ ସେ ତା’ ଓଢଣାଟି ପକାଇ ତୁନି ହୋଇ ବସିଛି । ସାନସାଆନ୍ତଙ୍କ ତୁଣ୍ଡ ଶୁଣି ପଦୀ ବି ଆସି ସେଠାରେ ପହଁଚିଗଲା । ମାତ୍ର ଏ ପର୍ଯ୍ୟନ୍ତ ତା ଦେହଟା ଟିକିଏ ଥରୁଛି, ପାଟିରୁ ପଦେ କଥା ବି ବାହାରୁ ନାହିଁ! ଦୁଇଖଣ୍ଡ ଆସନ ପଡିଲା, ତା’ପରେ ବୋହୂ ଆଉ ସାନସାଆନ୍ତ ମୁହାଁମୁହିଁ ହୋଇ ବସିଲେ । ସାଆନ୍ତ ପଚାରିବାରୁ ପଦୀ କହିଲା, “ହଁ, ମୁଁ ସେ ସାପଟାକୁ ଦେଖିଛି – ତିନି କି ଚାରି ହାତ ଲମ୍ବ; ଦେହଯାକରେ ତା’ର କଳା ହଳଦିଆ ଡୋରାଡୋରା ଚିତ୍ର ହୋଇଛି । ମୁଁ ତ ଯେମିତି ସେ ସାପଟାକୁ ଦେଖିଲି, ତାକୁ ବାଡେଇବା ପାଇଁ ଜେମାଙ୍କୁ ବସାଇଦେଇ ବାଡି ଖୋଜିବାକୁ ଧାଇଁଲି ।” ଏହା ଶୁଣି ସେ ଦୁଷ୍ଟ ଶୁକ୍ରୀଟା ମୁହଁରେ ଲୁଗାଦେଇ ଟିକିଏ ହସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ