ବିନାୟକ ଏହା ଶୁଣି ତତ୍କ୍ଷଣାତ୍ ହସିଦେଲା ଏବଂ କହିଲା – ‘ଦୋଷ ମୋର ତୁ ଓଲଟି ମୋତେ କ୍ଷମା କରିବୁ ଭଉଣୀ?’
ସେହି ମାୟା ରଥରେ ବସି ଗୀତା ଥରେ ଧର୍ମ ଦେବତାଙ୍କୁ ଓ ଆଉ ଥରେ ଭଗବାନଙ୍କୁ ନମସ୍କାର କରି କହିଲା –
“ଉଡିବୁ ରଥ ଶୂନ୍ୟ ଚକର କାଟି ଧୀରେ
ପହଁଚି ଯିବ ବେଏଗି ଗଣ୍ଡମାଳିଆ ତୀର୍ଥ ତୀରେ ।
ପିଶାଚ ଆଜ୍ଞା ମାନିଣ ମୁହିଁ ସତ୍ୟରେ ରଖି ମତି
ପରୋପକାରେ ସମ୍ପିଛି ପ୍ରାଣ ମନାସି ସଦଗତି ।
ମରେ କି ବଂଚେ ଶୋଚନା ନାହିଁ କରିବି ଧର୍ମ କାମ
ଦେଶ ଦେଶରେ ରହିବ ଗୀତା ଓଡିଆଣୀର ନାମ ।
ବିନାୟକ ମଧ୍ୟ ଏହି ସମୟରେ କହିଲା – “ଉଡି ଯା ମାୟା ରଥରେ
କ୍ଷେପିଣ ଦୁରୁହ ପଥରେ ।”
ମାୟାରଥ ମଧ୍ୟ ଚଢେଇ ପରି ଉଠିଲା ଉପରକୁ । ଦେବ ବିମାନ ସେ, କଥା ଅନୁସାରେ ଚାଲେ, ପୁଣି କଥା ଅନୁସାରେ ତାହା ମଧ୍ୟ ଅଟକେ । ତେଣୁ ତାକୁ ମନଯାନ ବି କୁହା ଯାଏ । କାରଣ ମନର ଗତି ଉପରେ ତାଳ ଦେଇ ଗତି କରେ ସେ ରଥଟି । ଆରୋହୀର ସମସ୍ତ ପ୍ରକାର କଥା ମାନିଥାଏ ସେହି ରଥଟି । ଗୀତା ସେହି ରଥ ଉପରେ ବସି ଉଡିଯିବା ବେଳେ ହଠାତ୍ ତାକୁ ଦେଖିଲା ଗୋଟିଏ ଅସୁରୁଣୀ ।
ପର୍ବତ ଉପରେ ବସା ସେହି ଅସୁରୁଣୀର । ସବୁବେଳେ ସେ ସେହି ଶୃଙ୍ଗ ଉପରେ ବସି ଉପରକୁ ଅନାଇ ଥାଏ । ସେ ଅସୁରୁଣୀ ପୁଣି ବହୁ ତପସ୍ୟା କରି ପାଇଛି ଶୋଷକ ବିଦ୍ୟା । ତେଣୁ ପଶୁ, ପକ୍ଷୀ, କୀଟ, ପତଙ୍ଗ ଯିଏ ତା’ ଆଖିରେ ପଡେ, ତାକୁ ଆଉ ସେ ନିଷ୍କୃତି ଦିଏନି ।
ଅଜଗର ସାପ ଯେପରି ନିଜ ଶିକାରକୁ ଧରିବା ପାଇଁ ଶୋଷକ ଦେଲା ପରି ଶୋଷକ ଲଗାଇ ଜଳସ୍ଥଳ ଆକାଶରୁ ଜୀବ ମାନଙ୍କୁ ଟାଣି ଆଣି ସେମାନଙ୍କୁ ନିଜ ଉଦରସ୍ଥ କରେ । ଯାହା ଭାଗ୍ୟରେ ବଳ ନଥିବ କି ତାକୁ ପ୍ରଭୁ କରୁଣା ଦୃଷ୍ଟିରେ ଅନାଇ ନଥିବେ, ସେଭଳି ଜୀବ ତ ତା’ ମୁଖରୁ ବଂଚିବା ପୁରାପୁରି ଅସମ୍ଭବ କଥା ।
ଦୈବାତ୍ ଗୀତା ଆଜି ତା’ର ଦୃଷ୍ଟିରେ ପଡିଗଲା । ସେହି ଅସୁରୁଣୀର ମୁହଁଟା ଦେଖିବାକୁ ଠିକ୍ ସିଂହମୁଖା ଭଳି । ଦେହଟା ପୁଣି ତା’ର ଦେଖିବାକୁ କୁମ୍ଭୀର ପରି । ସେହି ଅସୁରୁଣୀର ହାତ ଯୋଡିକର ଲମ୍ବ ସିନା ପୂରା ଷାଠିଏ ହାତ । ମାତ୍ର ତାର ଗୋଡ ଯୋଡିକ ଚାଖଣ୍ଡକରୁ ଯମା ବେଶି ନୁହେଁ । ରାଗରେ ସେ ଅସୁରୁଣୀ ଯେତେବେଳେ ରଡି କରେ, ସେତେବେଳେ ବନ କନ୍ଦର, ସବୁ କେବଳ କମ୍ପି ଉଠେ ଦୁଲ୍ ଦୁଲ୍ ହୋଇ ।
ମାୟା ରଥରେ ବସି ଉଡି ଯାଉଥିବା ଗୀତାକୁ ଦେଖି ସେ ଅସୁରୁଣୀଟି ନିଜର ଶୋଷକ ଆରମ୍ଭ କଲା । ଯାହାର ଫଳ ସ୍ୱରୂପ ଏହା ହେଲା କି ରଥ ସେଠାରୁ ଆଉ ଇଂଚେ ମାତ୍ର ଆଗକୁ ଯାଇ ନ ପାରି ସେହିଠାରେ ହିଁ ଅଟକି ଗଲା । ଗୀତା ତାର ସେହି ମାୟା ରଥକୁ ଯେତେ ପ୍ରକାର କୁହାବୋଲା କଲେ ବି କିଛି ଲାଭ ହେଲାନି । ଏ କଥା ଦେଖି ହଠାତ୍ ଗୀତାର ମନରେ ଟିକେ ସନ୍ଦେହ ହେଲା । ତେଣୁ ସେ ସଙ୍ଗେ ସଙ୍ଗେ ପିଶାଚ ମଣିକୁ କହିଲା – “ବିପଦ ପଡିଲା ମଣିରାଜ! ଏତେ ବେଳେ ମୋତେ ଭରସା ଦିଅ ।”
ସେହି କ୍ଷଣି ଶୂନ୍ୟରେ ଥାଇ ତାକୁ କିଏ ଜଣେ କହିଲା – “ଟୁଙ୍ଗୁଣୀ ମୁଙ୍ଗୁଣୀ” ଠେଙ୍ଗା ଚାଲୁ ।
ଗୀତାର ମଧ୍ୟ ସଙ୍ଗେ ସଙ୍ଗେ ମନେ ପଡିଗଲା । ତେଣୁ ସେ କହିଲା –
ଟୁଙ୍ଗୁଣୀ ମୁଙ୍ଗୁଣୀ ଠେଙ୍ଗା ଚାଲୁ ଗଣି ଗଣି ମାଡ ଲକ୍ଷ ଲକ୍ଷ ।
ଶତ୍ରୁ ପଣେ ଯିଏ ବାଟ ଓଗାଳିଲା ଭାଙ୍ଗି ପକା ତାର ଡଙ୍କ ।
ଏତିକି କହିବା ମାତ୍ରେ ସାଇଁ ସାଇଁ ଗର୍ଜ୍ଜନ କରି ଦଉଡିଲା ସେହି ଟୁଙ୍ଗୁଣିଆ ଠେଙ୍ଗା ଖଣ୍ଡିକ । ସେହି ଅସୁରୁଣୀର ଦିହରେ ମୁଣ୍ଡରେ ନାକରେ କାନରେ ଆଖିରେ ଚଣ୍ଡା ଚଣ୍ଡା କରି କସି ଦେଇ ଗଲା ହଜାର ହଜାର ପାହାର । ଦେହକୁ ବାଧିବାରୁ ସେହି ଅସୁରୁଣୀଟି ଖାଲି ଗର୍ଜ୍ଜନ ଛାଡିଲା ଭେରଣ୍ଡା ଭଳି । ତାରି ସେହି ଗର୍ଜ୍ଜନରେ ବନଭୁମି ଖାଲି ଥରି ଉଠିଲା । ଜୀବ ଜନ୍ତୁ ଗୁଡାକ ଭୟରେ କେବଳ ନିଜର ପ୍ରମାଦ ଗଣିଲେ । ଏଣେ ଅସୁରୁଣୀ ତ ରାଗି ଗଲାଣି, କାଳେ ତାକୁ କିଏ ଖାଇଯିବ ବୋଲି, ଯିଏ ଯୁଆଡେ ପଳାଇ ଗଲେ ଛାଟିପିଟି ହୋଇ । ଅସୁରୁଣୀ କିନ୍ତୁ ଏସବୁ ଦେଖି ଭାରି ଅଥୟ ହୋଇ ଉଠିଲା ।
ଛୋଟ ଠେଙ୍ଗା ଖଣ୍ଡିକର ଗରମା ଗରମ ପାହାରଏତେ ଭୀଷଣ ଓ ଏତେ ମାରାତ୍ମକ ଯେ ତା’ ଭଳି ଗୋଟାଏ ଜନ୍ତୁ ସହି ପାରିଲାନି । ତେଣୁ ବିକଳରେ ସେ ଖାଲି ଗଁ ଗଁ ରଡି ପକାଇଲା । ପୁଣି ସେ ରାଗରେ ସେହି ଠେଙ୍ଗାଟିକୁ ଧରି ଗିଳି ଦେଲା । ଉପର ମାଡ ସିନା କମିଗଲା? କିନ୍ତୁ ଏବେ ତ ସେହି ବିଷମ ଠେଙ୍ଗା ଖଣ୍ଡକ ଅସୁରୁଣୀର ପେଟ ଭିତରକୁ ଗଲା; ମାତ୍ର ସେହି ଠେଙ୍ଗାଟି ପୁଣି ଆହୁରି ଅମାନିଆ ହୋଇ ଉଠିଲା । ପେଟ ସାରା ଘରର୍ ଘରର୍ ବୁଲି ବୁଲିକା ସେ ଲଗାଇଲା ମାଡ । ସେହି ଅସୁରୁଣୀର କୋଉଠି ଅନ୍ତ ଛିଡିଲା, ପିତ ଛାଡିଲା, ତ କୋଉଠି କଲିଜା ମଧ୍ୟ ଖଣ୍ଡିଆ ହେଲା । ଅସୁରୁଣୀର ଆମାଶୟ ପାକାଶୟ ସବୁ କିଛି ସେହି ଠେଙ୍ଗା ମାଡରେ ଦରଜ ହୋଇଗଲା ।
ଏବେ ସେ ବିଚାରିଣୀ ଆଉ କରେ ବା କ’ଣ? ତେଣୁ ବାଧ୍ୟ ହେଲା ସେ ବାନ୍ତି କରିବାକୁ । ଏହା କରିବା ଦ୍ୱାରା ତନ୍ମଧ୍ୟରୁ ଠେଙ୍ଗା ବାହାରିଲା, ତା ସହିତ ରକ୍ତ ବି ବାହାରିଲା । ଅସୁରୁଣୀଟି ଭାବିଲା ସେ ଏଥର ବାଡିକୁ ଧରି ଭାଙ୍ଗି ପକାଇବ । ମାତ୍ର ସେ ତାହା କରି ପାରିଲାନି । ପବନକୁ ଧରି ରଖିବା ଯେମିତି ଅସମ୍ଭବ, ଠିକ୍ ସେମିତି ସେହି ଠେଙ୍ଗାକୁ ମଧ୍ୟ ଧରି ରଖିବା ଅସୁରୁଣୀ ପକ୍ଷେ ପୁରାପୁରି ଅସମ୍ଭବ ହୋଇ ଉଠିଲା । ଠେଙ୍ଗାଟି ବିଜୁଳି ଭଳି ସେହି ଅସୁରୁଣୀ ହାତରୁ ଖସିଯାଇ ପୁଣି ସେ ଆରମ୍ଭ କରି ଦେଲା ତା’ କାମ ।
ମା’ଲୋ ବାପଲୋ, ମରିଗଲି, ମରିଗଲି ବୋଲି କହି ଖୁବ୍ ପାଟି କଲା ସେ ଅସୁରୁଣୀ । ତାର ସେ ବିକଳ କାନ୍ଦଣା ଶୁଣି ଗୀତା ଧୀରେ ଧୀରେ ଆସିଲା ସେହି ଅସୁରୁଣୀ ପାଖକୁ । କାଳେ ସେ ଅସୁରୁଣୀ ପୁଣି ତାକୁ ଶୋଷଣ ଲଗାଇବ, ଏଥି ପାଇଁ ସେ ଠେଙ୍ଗାକୁ କହିଲା…… “ତୁ ଆଗେ ଯାଇ ସେହି ଅସୁରୁଣୀର ମୁହଁ ପାଖରେ ଜଗ ।”
ଠେଙ୍ଗା ମଧ୍ୟ ତୁରନ୍ତ ଗୀତାର ଆଜ୍ଞା ପାଳନ କରିବା ସ୍ୱରୂପ ସେହି ଅସୁରୁଣୀର ମୁହଁ ପାଖରେ ଜଗି ରହିଲା ଓ ତାକୁ ପୁଣି ଭୀଷଣ ଭାବରେ ମାଡ ଦେଇ ତାର ଦାନ୍ତ ଗୁଡାକ ମଧ୍ୟ ଭାଙ୍ଗି ପକାଇଲା । ଅସୁରୁଣୀଟି ଅନ୍ୟ କିଛି ଉପାୟ ନପାଇ କେବଳ ବିକଳ ହୋଇ କାନ୍ଦୁ ଥାଏ । ଏହି ସମୟରେ ଗୀତା ତାକୁ ପଚାରିଲା – “ତୁ କିଏ?”
ସେ (ଅସୁରୁଣୀ) କହିଲା – “ମୁଁ ଘୁଡକା ଅସୁରୁଣୀ ।”
ଗୀତା ପଚାରିଲା – “ମୋ’ ପ୍ରତି ତୋର ହିଂସା କରିବା ମାନେ କ’ଣ?