ଅସୁରୁଣୀଟି ସଙ୍ଗେ ସଙ୍ଗେ ଗୀତା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା – “ସେ ମୋର ପ୍ରକୃତି । ପେଟ ପୋଷିବା ପାଇଁ ମୁଁ ସେହିପରି ବର ପାଇଛି । ଶତ୍ରୁ ହେଉ କି ମିତ୍ର ହେଉ, ଯିଏ ମୋ ଦୃଷ୍ଟିରେ ପଡିଲେ ମୁଁ ତାକୁ ତୁରନ୍ତ ମୋ ଶୋଷଣ ଲଗାଇ ଟାଣି ଆଣେ ମୋ ମୁହଁ ପାଖକୁ । ତୁ କିଏ, ଆଉ ତୁ ଆଜି କାହିଁକି ଏ ବାଟ ଦେଇ ଯାଉଥିଲୁ ।
ଗୀତା କହିଲା – ‘ମୁଁ ମୋ ଶତ୍ରୁ ପାଖରେ କୌଣସି କଥା କହିବାକୁ ଆଦୌ ରାଜି ନୁହେଁ । ତୁ ଯଦି ବଂଚିବାକୁ ଇଚ୍ଛା କରୁ, ତେବେ ମୋ’ ପାଖରେ କ୍ଷମା ମାଗି ଏହି ପ୍ରତିଜ୍ଞା କର ଯେ, ଆଉ ଏପରି ଜୀବହିଂସା କେବେ କରିବୁନି ।’
ଅସୁରୁଣୀ ପୁଣି ପଚାରିଲା – ‘ତେବେ ମୁଁ ବଂଚିବି କିପରି?’
ଗୀତା କହିଲା – ‘ଭଗବାନଙ୍କ ଉପରେ ଭରସା ରଖି ପଡି ରହିଲେ ସେ ମଧ୍ୟ ନିଶ୍ଚୟ ତୋତେ ଖାଦ୍ୟ ଯୋଗାଇ ଦେବେ । ଯେଉଁମାନେ ଆଦୌ ଜୀବହିଂସା ନ କରୁଛନ୍ତି, ସେମାନେ କ’ଣ ଉପବାସରେ ଅଛନ୍ତି?’
ପୁନଶ୍ଚ ଅସୁରୁଣୀଟି ପଚାରିଲା – ‘ତେବେ ମୋର ବଂଚିବାର ବାଟ କ’ଣ?
ଗୀତା କହିଲା – ‘ମୁଁ ତ ତୋତେ ଏ ବିଷୟରେ କିଛି କହି ପାରିବିନି । ତୋ’ ବାଟ ତୁ ନିଜେ ହିଁ ଠିକ୍ କର । ମୁଁ ଜଣେ ନାରୀ । ପ୍ରାଣୀ ବଧ କରିବା ମୋର ଧର୍ମ ନୁହେଁ । ତେଣୁ ମୁଁ ତୋତେ ଆଦୌ ମାରିବାକୁ ଚାହୁଁନି । ଏଠି ତୋ ସୁଖରେ ତୁ ଥା । ମୋ’ ବାଟରେ ମୁଁ ଚାଲି ଯିବି । ତୁ ଯଦି ମୋତେ ଖାଇବାକୁ ଚାହିଁବୁ, ତେବେ ମୁଁ ବି ତୋତେ ମାରିବାକୁ ଚାହିଁବି ।
ଅସୁରୁଣୀ ପଚାରିଲା – ‘ତୁ କୁଆଡେ ଯିବୁ?’
ଗୀତା କହିଲା – ‘ଗଣ୍ଡମାଳିଆ ତୀର୍ଥକୁ ।’
ଅସୁରୁଣୀ ପଚାରିଲା – ‘ଆଚ୍ଛା ତୁ ମୋର ଗୋଟିଏ କାମ କରି ପାରିବୁ?’
ଗୀତା କହିଲା – ‘କାହିଁକି ନୁହେଁ ଯଦି ପାରେ ମୁଁ ତାହା ନିଶ୍ଚୟ କରିବି ।”
ଏଥର ସେହି ଅସୁରୁଣୀ–ମନରେ ଟିକେ ଆନନ୍ଦ ଦେଖା ଦେଲା । ତେଣୁ ସେ ଖୁସି ହୋଇ କହିଲା – ମୁଁ କେବେହେଲେ ତୋତେ ଖାଇବିନି । ଯଦି ପାରୁ, ଏହି ପର୍ବତର ଗୋଟିଏ ଗୁମ୍ଫାରେ ନଅ ଜଣ ବନ୍ଦୀ ଅଛନ୍ତି, ତୁ ସେମାନଙ୍କୁ ମୁକ୍ତ କରି ଦେଇ ଯା’ ।
ଏଥର ଗୀତା ପଚାରିଲା – ‘ଗୁମ୍ଫାଟି କେଉଁଠି ଅଛି କହ ।’
ଅସୁରୁଣୀ କହିଲା – ‘ଅଳ୍ପ ଟିକିଏ ଦକ୍ଷିଣ ଆଡେ ଗଲେ ଦେଖିବୁ ଗୋଟାଏ କଳା ମୁଗୁନି ପଥରର ସିଂହ ଅଛି । ତାକୁ ଟେକି ଦେଲେ ସେହି ଗୁମ୍ଫାଟି ଦେଖାଯିବ । ସେହି ବନ୍ଦୀ ଗୁଡିକ ବହୁ କାଳରୁ ଗୁମ୍ଫା ଭିତରେ ପଡି ସଢୁଛନ୍ତି । ମଲେଣି କି ବଂଚିଛନ୍ତି, ସେକଥା ତ ମୁଁ କହି ପାରିବିନି । କାରଣ ଯୁଗ ଯୁଗ ଧରି ମୁଁ ତ ଅଚଳ ଅବସ୍ଥାରେ ଏଇଠି ପଡି ରହିଛି । ଉଠିବାର କି ଚାଲିବାର ମୋର ଯେହେତୁ ଆଉ କୌଣସି ପ୍ରକାର କ୍ଷମତା ନାହିଁ । ସତ କହିବାକୁ ଗଲେ ଏକ ପ୍ରକାର ମାଦଳ ମୁଁ ।
ଗୀତା କହିଲା – ତୋ ପାଇଁ ମୁଁ ନିଶ୍ଚୟ ଥରେ ଚେଷ୍ଟା କରିବି । ତେଣିକି ଦେଖାଯାଉ କ’ଣ ହେଉଛି । ଏହା କହି ଗୀତା ସଙ୍ଗେ ସଙ୍ଗେ ଆଗେଇ ଗଲା ସେହି ଦକ୍ଷିଣ ଦିଗକୁ । ମାୟା ରଥଟି ଯାଇ ରହିଲା ଯଥା ସ୍ଥାନରେ ।
ଅସୁରୁଣୀଟି ମନେ ମନେ ଭାବୁଥିଲା, ଟୋକୀ ଯାଇ ସିଂହ ଦେହରେ ହାତ ଦେଲା ମାତ୍ରେ ତ ମରିବ । ଆଉ ସେ ଥିବ ନା ମୋତେ ଏତେ ଛେଚା ଛେଚି କରିବ?
ଫଳ କିନ୍ତୁ ଓଲଟା ଘଟିବ ବୋଲି ସେହି ଅସୁରୁଣୀର ମୋଟେ ଧାରଣା ନ ଥିଲା । କଥାରେ ଅଛି –
ଯାହାକୁ ସହାୟ ଦେବ ଦୀନବନ୍ଧୁ
ଜଗତେ ତାର କି ଊଣା?
ଆପଦେ ବିପଦେ ପ୍ରାଣ ପ୍ରାତଃକାଳେ
ଢାଳି ଦିଅନ୍ତି କରୁଣା ।
ଚକ୍ର କୂଟ କରି ଅଗତି ପାଂଚଇ
(ଯେବେ) କରିବାକୁ ସର୍ବନାଶ
ଚକ୍ରଧାରୀ ଚକ୍ର ଧୀରେ ନିବାରନ୍ତି
ସୁଖୀ ହୁଏ ପଦ ଦାସ ।
କୋଟିଏ ଆପଦ ଘୋଟି ଆସୁ ପଛେ
ଗୋଟିଏ ପରେ ଗୋଟିଏ
ଆପଦ ତାରଣ କରନ୍ତି କାରଣ
କରୁଣାର ଦେଇ ଖିଏ ।
ଚକ୍ରୀ ନାଶ ଯାଏ ଆପଣା ଚକ୍ରରେ
ହିଂସା କରି ନିର୍ଧୋଷକୁ
ଦୁର୍ଦ୍ଦଣ୍ଡ ମରଇ ନାସ୍ତିକ ପଣରେ
ଜଳାଇ ଦୁଃଖେ ବିଶ୍ୱକୁ ।
ସେହି ଅସୁରୁଣୀର ତ ଦୁଷ୍ଟ ବୁଦ୍ଧି । ନିଜେ ପରାସ୍ତ ହୋଇ ଗୁଡାଏ ତାଡନା ଭୋଗିବାରୁ ମନରେ ତାର ପ୍ରବଳ ହିଂସା ଓ ରାଗ ଜାଗି ଉଠିଲା । କିପରି ସେ ଗୀତା ଠାରୁ ପ୍ରତିଶୋଧ ନେବ, ଏଥି ପାଇଁ ସେ ନାନା ପ୍ରକାର ଉପାୟ ପାଂଚି ମଧ୍ୟ ଶେଷରେ ସେ କିଛି ସ୍ଥିର କରି ପାରିଲାନି । ତେଣୁ ସେ ଏକ ଚକ୍ରକୂଟ ବୁଦ୍ଧି ରଚନା କରି ତାକୁ ପଠାଇଲା ସେହି ମରଣ ଗୁମ୍ଫା ପାଖକୁ । ଅସୁରୁଣୀଟି ମନେ ମନେ ଭାବିଲା ଏଥର ଗୀତା ନିଶ୍ଚୟ ମରିବ ହିଁ ମରିବ ।