ଗୀତା କିନ୍ତୁ ସେ କଥା ଭାବୁ ନଥିଲା ମୋଟେ । ସେ ଯାହା ଭାବୁଥିଲା, ତାହା ଥିଲା ଅତି ଉଚ୍ଚ କୋଟିର ଭାବନା । ରାକ୍ଷସୀ ତାର ଶତ୍ରୁ ହେଲେ ବି ଗୀତା କିନ୍ତୁ ଚାହୁଁ ଥିଲା ତାର ଉପକାର କରିବ । ନିଜେ ନିଜ ଜୀବନ ଦେବ ପଛକେ, ଯଦି ସେହି ଅସୁରୁଣୀର କିଛି ମଙ୍ଗଳ ହୋଇପାରେ, ତେବେ ପ୍ରଭୁତ ସନ୍ତୋଷ ହେବେ । ପ୍ରବାଦ ଅଛି –
ଶତ୍ରୁ ହେଉ ପଛେ ତା’ର ଉପକାରେ
ଖଟାଅ ଜୀବନ ନିୟତ ଦୁଆରେ ।
ତା’ ଦୁଃଖ ଶୋକକୁ ଆପଣାର ପରି
ମଣି, ନିଅ ଥରେ କୋଳାଗ୍ରତ କରି ।
ସାହାଯ୍ୟ ଦେଇଣ ତା ମଙ୍ଗଳ କର
ସୁଖୀ ହେବେ ନିଶ୍ଚେ ଦେବ ଚକ୍ରଧର ।
ଏହି ଭାବନା ମନ ମଧ୍ୟରେ ରଖି ଗୀତା ଯାଇ ପହଁଚିଲା ସେହି ମୁଗୁନି ପଥର ଗଢା ସିଂହ ପାଖରେ । ତାକୁ ନିଜ ହାତରେ ଧରି ହଲାଇ ଦେବା ମାତ୍ରେ ହଠାତ୍ ଜୀବନ୍ତ ସିଂହ ପରି ଗର୍ଜି ଉଠିଲା ସେହି ପଥର ସିଂହଟା । ସିଂହଟା ତା’ପରେ ଉଠିଗଲା ଉପରକୁ । ବାଘ ହରିଣକୁ ଶିକାର କଲା ଭଳି ସେ ସିଂହଟି ମଧ୍ୟ ଗୀତା ଉପରକୁ ମାଡି ବସିଲା ଖୁବ୍ ଜୋର୍ରେ ।
ବିଚାରିଣୀ ଗୀତା ସେଠାରେ ଆବାକ୍ ହୋଇ ବୋଧହୁଏ ସେହିଦିନ ମରି ଯାଇଥାନ୍ତା । କେବଳ ପିଶାଚ ମଣିଟି ଗୀତାର ଗଳାରେ ଥିବାରୁ ସେ ଯାହା ରକ୍ଷା ପାଇ ଗଲା । ତଥାପି ବି ଗୀତାକୁ ଖୁବ୍ ବାଧା ଲାଗିଲା । ବିକଳରେ ଶେଷରେ କିଛି ଉପାୟ ନପାଇ ଗୀତା କେବଳ ଡାକ ପକାଇଲା ସେହି ଉଦ୍ଦଣ୍ଡ ପିଶାଚକୁ ।
ଗୀତାର ଗଳାରେ ଲଟକିଥିବା ପିଶାଚମଣି ତା’ର ବିକଳ ଡାକରା ଶୁଣି କହିଲା – ‘କିଲୋ ଝିଅ, ମୁଁ ତ ଏଠାରେ ଅଛି, ତୁ ପୁଣି ଉଦ୍ଦଣ୍ଡକୁ ଡାକୁଛୁ କାହିଁକି? ଥୟ ଧର, ମୁଁ ଏବେ ଯାଇ ସେହି ସିଂହଟାକୁ ନେଇ ତୁରନ୍ତ ଫିଙ୍ଗି ଦେଇ ଆସୁଛି ସମୁଦ୍ର ପାଣିରେ ।
ଗୀତା ଏହା ଶୁଣି ଟିକିଏ ଆଶ୍ୱସ୍ତ ହୋଇ ଅନାଇଛି, ଏତିକିବେଳେ ଆସିଲା ଗୋଟିଏ ଖଣ୍ଡିଆଭୂତ (ଚକ୍ରପବନ) କୁଟା କାଠି ଉଡାଇଲା ପରି ସେ ମଧ୍ୟ ଉଡାଇ ନେଲା ସେ ପଥରର ସିଂହଟାକୁ ଶୂନ୍ୟେ ଶୂନ୍ୟେ ।
ଏଣେ ସେହି ଗୁମ୍ଫାର ଦ୍ୱାରଟା ବି ଖୋଲି ଗଲା । ହଠାତ୍ ତା ଭିତରେ ପ୍ରକାଣ୍ଡ ଏକ ଗହ୍ୱର ଦେଖା ଗଲା । ସେହି ଗହ୍ୱର ଭିତର ଦେଖିଲେ ମୋଟେ ଆଖି ପାଇବନି । ତା ଭିତରକୁ ଯିବା ପାଇଁ ପାହାଚକୁ ପାହାଚ ପଡିଛି । କୋଉ ଅନନ୍ତ ଯୁଗର ବିନ୍ଧାଣୀ ତା ନିହାଣ ମୁଗୁର ସାରି ଏହି ପରି ଏକ ଗୁମ୍ଫା ତିଆରି କରିଛି, ସେ କଥା ବା ଜାଣେ କିଏ? ଆଜି ସିନା ଯୋଗ ପଡିବାରୁ ଗୀତା କୁମାରୀ ପାଦ ପକାଇଛି ତା ଭିତରକୁ । କିଛି ବାଟ ଆଗେଇ ଗଲା ପରେ କିନ୍ତୁ ଗୀତାର ପାଦ ଯୋଡାକ ଆପେ ଆପେ ଅଟକି ଗଲା ।
ସେ ଏବେ ଆଗକୁ ଯିବବା କିପରି? କାରଣ ତା ଭିତରଟା ଘୋର ଅନ୍ଧାର । ଯମ ଭୂବନ ଅପେକ୍ଷା ମଧ୍ୟ ଆହୁରି ମାରାତ୍ମକ, ଆହୁରି ଭୀଷଣ ଥିଲା ତା ଭିତରର ଦୃଶ୍ୟ । ଏ ପାଦ ଟେକି ଆର ପାଦ ଉଠାଇଲା ବେଳକୁ ଗୀତାକୁ ମନେ ହେଉଥାଏ ସତେ ଯେମିତି ସେ ଆଉ ଗଳି ପଡିବକି କୋଉ ରସାତଳକୁ । ତଥାପି ସେ ଗୀତା ଦରାଣ୍ଡି ଦରାଣ୍ଡି କରି ପାଦେ ପାଦେ ହୋଇ ଆଗକୁ ବଢୁଥାଏ ।
ହଠାତ୍ ତା ଭିତରୁ ଶୁଣାଗଲା ସମୁଦ୍ର ଗର୍ଜ୍ଜନଠୁ ବଳି ଖାଲି ଘୁ ଘୁ ଗର୍ଜ୍ଜନ ।
ଏହି ପରି ଶୁଣି ଗୀତା ମନରେ ଟିକେ ଚମକ ଲାଗିଲା । ସେ ଆଉ ଆଗକୁ ଗମନ କରିବ କ’ଣ? ଧମକ ଦେଖି ତା’ର ଟମକ କଥା ମନେ ପଡିଲା । ମୁଗୁନି ପଥର ସିଂହ ଭଳି ଏହା ଭିତରେ ଯେ କିପରି ବିପଦ ଅଛି, ସେ କଥା କିଏ ବା ଜାଣେ?
ଗୀତା ଭାବିଲା – ସେହିଠାରୁ ଫେରି ଯିବାକୁ । ପୁଣି ତାକୁ ତାର ବିବେକ ବାଧା ଦେଇ କହିଲା – “ଅସୁରୁଣୀ ଭାବିବ ଡରିଗଲା । କଥାରେ ଅଛି କରିବା ଲୋକ ଡରେନି କି ଡରିବା ଲୋକ କିଛି ବି କରେନି । ମୁଁ ଯେବେ ଏଠାକୁ କିଛି କରିବାକୁ ଆସିଛି, ତେବେ ମୁଁ ଡରିବି କାହିଁକି?
ବରଂ ମରିବି, କାମଟା କିନ୍ତୁ ନିଶ୍ଚୟ ସାରିବି । ନିଜ ପାଇଁ ତ ମୁଁ କିଛି ନା କିଛି ନିଶ୍ଚୟ କରିବି ।
ଏହି ସବୁ କଥା ଭାବି ଭାବି ସେ କିଛି ବାଟ ଆଗେଇ ଗଲା ଖୁବ୍ ଜୋର୍ରେ । କିଛି ଗୋଟାଏ ଜୀବ ପଶି ଆସୁଛି ଭାବି ସେହି ଗହ୍ୱର ଭିତରେ ଯୁଗ ଯୁଗ ଧରି ବାସ କରୁଥିବା ହିଙ୍ଗୁଳା ଦଳ ତାତି ଉଠିଲେ ରାଗରେ ।
ଗୁଁ ଗୁଁ ସୁଁ ସୁଁ ମୁଁ ମୁଁ ଫୁଁ ଫୁଁ କୁଁ କୁଁ ଛୁଁ ଛୁଁ ଟୁଁ ଟୁଁ ହୋଇ ଛୁଟି ଆସିଲେ ତୀର ପରି । ଗୀତା ଭଳି ଗୋଟିଏ ଝିଅର ଜୀବନ ବା କେତେ? ସେହି ଗୁମ୍ଫା ଭିତରେ ବସା ବାନ୍ଧି ଯେଉଁ ହିଙ୍ଗୁଳା ମହୁମାଛି ଥିଲେ, ସେମାନଙ୍କ ନଖ, ଦାନ୍ତ ଓ ଲାଙ୍ଗୁଡ ବାଜିଲେ ଦଣ୍ଡକ ଭିତରେ ଟଳି ପଡିବାର କଥା । ବଡ ବଡ ଓ ଲକ୍ଷ ଲକ୍ଷ ମାଛି ରଡି କରି ଯେତେବେଳେ ଉଡି ଆସିଲେ, ଗୀତା ଭାବିଲା, ସେ ପଡିଯିବ ନା ଗଡିଯିବ?
ହଠାତ୍ ଗୀତାର ବିବେକ ଗୀତାକୁ କହିଲା – “ହଡବଡେଇ ଗଲେ କ’ଣ ଚଳିବ”? ଦମ୍ଭ ଧରି ଖମ୍ବ ପରି ତୁ ଏଠାରେ ଠିଆ ହୁଅ । ଇଲମ ଦେଖ । ଚିଲମ ଟଣା ନିଲମ ବାବାଜୀ ଭଳିଆ ତୁ ହେଉଛୁ କାହିଁକି?
ଗୀତା ନିଜ ମନରେ ଟାଣ ରଖି ସେହି ପିଶାଚ ଆଲୋକକୁ କହିଲା ଜଳିବାକୁ । ଆଲୋକ ମଧ୍ୟ ଗୀତା କଥା ମାନି ସଙ୍ଗେ ସଙ୍ଗେ ଜଳି ଉଠିଲା । ଖୁବ୍ ତେଜ ସେହି ଆଲୋକର । ଯେପରି ତାକୁ ଅନାଇଲେ ଆଖି ଜଳକା ହୋଇଯିବ । ହିଙ୍ଗୁଳା ମାଛି ଗୁଡିକ ସେ ଆଲୋକର ତେଜରେ ଏକ ପ୍ରକାର ଜଳକା ବନି ଗଲେ । ଗୀତାର କିଛି କ୍ଷତି କରିବେ ବା କ’ଣ? ନିଜେ କିପରି ବଂଚିବେ ସେଥିପାଇଁ ସେହି ହିଙ୍ଗୁଳା ମାଛିମାନେ ନିଜ ନିଜ ରାହା ଖୋଜିବାକୁ ଲାଗିଲେ । କାରଣ ଯୁଗ ଯୁଗ ଧରି ଅନ୍ଧାର ଛଡା ଆଲୋକର ଗନ୍ଧ କେବେବି ବାରି ନଥାନ୍ତି ସେହି ହିଙ୍ଗୁଳା ମାଛିମାନେ । ତେଣୁ ହଠାତ୍ ଆଲୁଅର ତେଜ ଲାଗି ସେହି ହିଙ୍ଗୁଳା ମାଛି ମାନଙ୍କର ଆଖି ଏକବାରେ ଜଳକା ହୋଇ ଗଲା । ତେଣୁ ସେମାନେ ଆଶ୍ରୟ ଖୋଜିଲେ ପର୍ବତ କାନ୍ଥିନୀ ଦେହରେ । କାହିଁ କେଉଁ ଆବହମାନ କାଳରୁ ସେହି କାନ୍ଥିନୀ ଦେହରେ ଗୋଟିଏ ଗାତ ଥାଏ । ସେହି ଗାତ ବାଟ ଦେଇ ମହୁ ମାଛି ମାନେ ଯାଆନ୍ତି ଆଉ ଗୋଟିଏ ଗୁମ୍ଫାକୁ । ଆଲୋକ ତେଜ ସହି ନ ପାରି ସେମାନେ ପଳାଇ ଗଲେ ସେହି ବାଟ ଦେଇ ।