ଏବେ ସେହି ସ୍ଥାନଟା ଏକ ପ୍ରକାର ନିରାପଦ ଜଣା ଯିବାରୁ ଗୀତା ଆହୁରି ତା ଆଗକୁ ବଢିଲା; ମାତ୍ର ସେ ଜାଣି ପାରିଲା ନାହିଁ ଗୋଟିଏ ସାପ ତା ଉପର ଦେଇ ଯାଉଛି ବୋଲି । କିଛି ଦୂର ଗଲା ପରେ ସାପଟା କଡ ଲେଉଟାଇ ତା’ର ସେହି କୋରଡ ଭିତରେ ପଶିଥିବା ମୁହଁଟାକୁ କାଢି ଯେତେବେଳେ ଆକ୍ରମଣ କଲା ଗୀତାକୁ, ଠିକ୍ ସେତିକିବେଳେ ଚେତନା ଆସିଲା ଗୀତାର । ମାତ୍ର ଏବେ ତା’ପାଖରେ ଉପାୟ କ’ଣ?
ଠେଙ୍ଗା ତ ଏବେ ଅଛି ସେହି ଅସୁରୁଣୀ ପାଖରେ । ଏବେ ସେହି ସାପକୁ ମାରିବ ବା କିଏ? ଏହି କଥା ଭାବି ଭାବି ଥକ୍କା ହୋଇ ଠିଆ ହୋଇଥାଏ ଗୀତା । ଗୀତା ଦେହର ସବୁ ରକ୍ତ ଗୁଡିକ ଯେପରି ବରଫ ପାଲଟି ଯିବା ପରି ଜଣା ପଡୁ ଥାଏ । ଏତିକି ବେଳେ ପାତାଳ ପରି ଗୋଟାଏ ଆଁ ମେଲାଇ ଦେଇ ସେହି ସାପଟି ଦଉଡି ଆସିଲା ଗୀତାକୁ ଗିଳି ଦେବାକୁ ।
ଠିକ୍ ଏହି ସମୟରେ ଗୀତାର ମୁଣ୍ଡଟା ଚକର ଦେଉଥାଏ । କ’ଣ କରିବ ନ କରିବ ଭାବି ଭାବି ସେ କଚାଡି ହୋଇ ପଡିଗଲା ବେଳକୁ ହଠାତ୍ ମୁହଁରୁ ତା’ର ବାହାରି ପଡିଲା – “ପିଶାଚର ନାମ ।”
ସତକୁ ସତ କୋଉଠି ଆଖ ପାଖରୁ ଦଉଡି ଆସିଲା ପରି ସେହି ସାପ ଆଗରେ ଦେଖା ଦେଲା ସେହି ବୁଢା ପିଶାଚ । ସେହି ବୁଢା ପିଶାଚ ହସ ହସ ମୁହଁ ଓ ରୋଷ କଷାୟିତ ଆଖିରେ ଅନାଇ ସେହି ସାପକୁ କହିଲା – “ଏଠାରୁ ତୁ ବାହାରିଯିବୁ ନା ମରିବୁ?”
ସାପଟା ଏହା ଶୁଣି ଦଣ୍ଡକ ପାଇଁ ନିଜ ମୁଣ୍ଡଟେକି କ’ଣ ସବୁ ଭାବିଲା । ତା’ପରେ କୋଚିଆ ଯେମିତି ତା ଗାତରେ ପଶେ, ସେମିତି ସେହି ସାପଟି ମଧ୍ୟ ପଶି ଗଲା ଗୋଟାଏ ବିରାଟ ଗାତ ଭିତରେ । ତାପରେ ପିଶାଚ ମଧ୍ୟ ସେଠୁ ଉଭାନ୍ ହେଲା । ଗୀତା ତାବାଟେ ଆଗେଇ ଗଲା ଆହୁରି ଆଗକୁ । ସେହି ସମୟରେ ଗୀତାର ମନଟା ଖାଲି ଆଶ୍ଚର୍ଯ୍ୟରେ ଉବୁଟୁବୁ ହେଉ ଥାଏ ।
ତେଣିକି ଆଗକୁ ତ ଆଉ ସ୍ଥଳ ପଥ ନାହିଁ । ଆଗରେ ଯାହା ଖାଲି ଦୁଧ ପରି ଗୁଡାଏ ପାଣି । ସେ ପାଣି ଉପରେ ଫୁଟିଥାଏ ଶହ ଶହ ନୀଳ କଇଁ । ସେହି କଇଁଫୁଲର ଜଙ୍ଗଲ ଭିତରେ ଶୋଇ ଥାଏ ଗୋଟିଏ ଛୋଟିଆ ପିଲା । ସେ ପିଲାଟି ତାର ଗୋଡହାତ ହଲାଇ ଆନନ୍ଦରେ ଖେଳୁ ଥାଏ । ସେ ପିଲାଟି ତାର ପାଟିରେ ଆଙ୍ଗୁଠି ପୁରାଇ ଚୁଚୁମୁ ଥାଏ । ସେହି ପିଲାଟିକୁ ଦେଖି ଗୀତା ମନରେ ଭାରି ଶ୍ରଦ୍ଧା ହେବାରୁ ସେ ଗଲା ସେହି ପିଲାଟିକୁ ନିଜ କୋଳକୁ ଆଣିବା ପାଇଁ । ପିଲାଟି କିନ୍ତୁ ହଠାତ୍ ଗୀତାକୁ ଦେଖି ଅଚିହ୍ନା ବାରିଲା କି କ’ଣ ପିଲାଟି ଖୁବ୍ ବିକଳ ହୋଇ କାନ୍ଦି ଉଠିଲା । ତା’ର କାନ୍ଦଣା ଶୁଣି ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ଦୌଡି ଆସିଲା ଗୋଟିଏ ସୁନ୍ଦରୀ ରମଣୀ ।
ସେ ରମଣୀ ଜଣକ ତା ପିଲାଟିକୁ ନିଜ କୋଳକୁ ନେଇ ତାକୁ ସାନ୍ତ୍ୱନା ଦେବ କ’ଣ, ଓଲଟା ସେ ଗୀତାକୁ ସେଠାରେ ଅନାଇ ଏକବାରେ ଅଶ୍ଚର୍ଯ୍ୟ ହୋଇଗଲା । ଦଣ୍ଡକ ପାଇଁ ସେହି ରମଣୀର ଆଖିର ପଲକ ପଡିଲାନି କି ତା ପାଦ ବି ଚଳିଲାନି । ଗୀତା ମଧ୍ୟ ଅନୁରୁପ ଭାବରେ ଚାହୁଁଥାଏ ସେହି ରମଣୀଙ୍କୁ । କାହାରି ମୁହଁରେ କିଛି ଭାଷା ନାହିଁ କି କାହାରି ଆଖିରେ ପଲକ ମଧ୍ୟ ପଡୁ ନାହିଁ । ମୁହୂର୍ତଟାଏ ଏହିପରି ନୀରବତାରେ କଟିଗଲା ପରେ ଆସିଥିବା ରମଣୀଟି ନିଜର ନୀରବତା ଭଙ୍ଗ କରି ହଠାତ୍ ଗୀତାକୁ ପଚାରିଲା – “ତୁମେ କିଏ ଭଉଣୀ? ଏ ମରଣ ଗୁମ୍ଫାକୁ ତୁମେ କାହିଁକି ପଶିଲ?”
ଗୀତା ମଧ୍ୟ ସଙ୍ଗେ ସଙ୍ଗେ ଟିକେ ବିଚଳିତ ହୋଇ ପଚାରିଲା – “ଏ ମରଣ ଗୁମ୍ଫା କ’ଣ?
ରମଣୀଟି ଗୀତାର ଉତ୍ତର ଦେବାକୁ ଯାଇ ସଂକ୍ଷିପ୍ତରେ କହିଦେଲା – “ୟା ଭିତରକୁ ଭୁଲ୍ରେ ଯେ କେହି ବି ପ୍ରାଣୀ ପାଦ ପକାଇବ, ସେ କଦାପି ଆଉ ତା ଜୀବନ ଘେନି ଏଠାରୁ ଫେରେନି । ତେଣୁ କାହିଁ କେଉଁ ଆବାହମାନ କାଳରୁ ଏହାର ନାମ ରଖାଯାଇଛି “ମରଣ ଗୁମ୍ଫା ।”
ଏବେ ଗୀତା ପଚାରିଲା – “ତୁମେ କିଏ?”
ରମଣୀ ଜଣକ କହିଲା – “ମୁଁ ଗୋଟିଏ ନାଗ କୁମାରୀ । ସ୍ୱାମୀ ମୋର ତୀର୍ଥ ଦେବତା । ଏହି ମରଣ ଗୁମ୍ଫା ଶେଷରେ ଘର ବାନ୍ଧି ଆମେ ସେଠାରେ ରହିଛୁ ।”
ଗୀତା ପୁଣି ପଚାରିଲା – “ଏ ତୀର୍ଥ ଦେବତା କ’ଣ?”
ଏହା ଶୁଣି ରମଣୀ ଜଣକ କହିଲା – “ଏଠାରୁ ଆଉ ଥୋଡାଏ ଦୂର ଗଲାପରେ ଗଣ୍ଡ ମାଳିଆ ବୋଲି ଗୋଟିଏ ତୀର୍ଥ ପଡିବ । ସେହି ତୀର୍ଥର ଦେବତା ସେ ।
ରମଣୀ ମୁହଁରୁ ଏହି କଥା ପଦକ ଶୁଣି ଗୀତାର ମୁହଁ ହଠାତ୍ ଉଜ୍ଜ୍ୱଳ ହୋଇ ଉଠିଲା । ‘ଯେଉଁ ସ୍ଥାନକୁ ଗଲେ ତା’ର ଉଦ୍ଧେଶ୍ୟ ନିଶ୍ଚୟ ପୂରଣ ହେବ ତାହା ଏହି ନିକଟରେ ଅଛି’ ଏହା ସେ ଜାଣିପାରିବାରୁ , ମନେ ମନେ କହିଲା –
ବିପଦ ରୂପରେ ଦେଖାଦିଏ ସିଦ୍ଧି
କର୍ମି ତା ନ ପାରେ ଜାଣି ।
ସହି ନାନା କଷ୍ଟ ଝସାଇ ପଶିଲେ
ହାତେ ଦିଏ ବିଧି ଆଣି ।
ମନ ଭିତରେ ଉକୁଟି ଆସୁଥିବା ତାର ଆନନ୍ଦକୁ ଚପାଇ ରଖି ଗୀତା ପୁଣି ଥରେ ପଚାରିଲା ସେହି ରମଣୀକୁ । ମୁଁ ଏଠିକି ଆସିଛି ସେହି ତୀର୍ଥ ଦେବତାଙ୍କ ପାଖକୁ । ଦୟାକରି ମୋତେ ଟିକିଏ ତାଙ୍କ ସହିତ ସାକ୍ଷାତ କରାଇ ଦେବ କି?
ରମଣୀ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଗୀତାକୁ ପଚାରିଲା – “ତାଙ୍କ ପାଖରେ ତୁମର କାମ କ’ଣ?”
ଏବେ ଆଉ କୌଣସି ପ୍ରକାର ଅବିଶ୍ୱାସ ନିଜ ମନରେ ନରଖି ଗୀତା ତା ଜୀବନର ସମସ୍ତ କାହାଣୀ ପ୍ରକାଶ କଲା ସେହି ରମଣୀ ନିକଟରେ । ସମସ୍ତ କଥା ଶୁଣି ସାରି ରମଣୀଟି ଗୀତାର ଦୁଃଖରେ ସମବେଦନା ଜଣାଇଲା ଏବଂ ଗୀତାକୁ କହିଲା – “ଭଉଣୀ! ନାରୀ ହୋଇ ମୁଁ ଯଦି ଆଉ ଏକ ନାରୀକୁ ସାହାଯ୍ୟ ନ କରିବି, ତେବେ ଭଗବାନ ନିଶ୍ଚୟ ମୋ ଉପରେ ଅସନ୍ତୋଷ ହେବେ । ତେଣୁ ମୁଁ ମୋ ଜୀବନ ଦେଇ ତୁମକୁ ନିଶ୍ଚୟ ସାହାଯ୍ୟ କରିବି । ଆଉ ହେଳା ନ କରି ତୁମେ ସିଧା ମୋ ପାଖକୁ ଚାଲି ଆସ । ମୁଁ ତୁମକୁ ମୋ ସାଥିରେ ନେଇ ତୀର୍ଥ ଦେବତାଙ୍କ ସଙ୍ଗେ ତୁମର ଦେଖା କରାଇ ଦେବି ।
ଗୀତା ପଚାରିଲା – “ଆଚ୍ଛା ମୁଁ ଏବେ ସେଠାକୁ ଯିବି କିପରି?”
ରମଣୀ ସଙ୍ଗେ ସଙ୍ଗେ ଗୀତାକୁ କହିଲା – “ତୁମେ ଆଖିବୁଜି ସିଧା ଡେଇଁପଡ ।”
ଗୀତା ଏଥର ରମଣୀ କଥା ମାନି ନିଜ ଆଖି ବୁଜିଲା । ଡେଇଁ ପଡିବାକୁ ପାଦ ଉଠାଇବାରୁ ହଠାତ୍ ଗୀତାକୁ ଏକ ଶୂନ୍ୟବାଣୀ ଶୁଣାଗଲା – “ତୋର ଆଉ ପରିଶ୍ରମ କରିବା କିଛି ଦରକାର ନାହିଁ । ତୁ ଆସି ଠିକ୍ ଜାଗାରେ ପହଁଚି ଯାଇଛୁ ।
ଏହି କଥା ଶୁଣି ଗୀତା ସାଙ୍ଗେ ସାଙ୍ଗେ ନିଜ ଆଖି ଫିଟାଇ ଅନେଇ ଦେଲା ଚାରି ଆଡକୁ । ଦେଖିଲା ସେଠାରେ ସେହି ରମଣୀ ନାହିଁ କି ସାଙ୍ଗରେ ତାଙ୍କର ଶିଶୁପୁତ୍ର ବି ନାହିଁ । ଯେପରି ମାୟା ସବୁ ମାୟାରେ ମିଳାଇ ଯାଇଛି । କେବଳ ତା ଆଖି ଆଗରେ ଅଛି ସେହି ଦୁଧପରି ଜଳରାଶି ଓ ନୀଳକଇଁ ଗୁଡିକ ।
ପିଲାଟି ଆଗେ ଯେଉଁ ଜାଗାରେ ଶୋଇଥିଲା, ଠିକ୍ ସେହି ଜାଗାରେ ବସିଥିଲା ଗୋଟିଏ କଳା ଭାଲୁ । ସେହି ଭାଲୁଟିର ମୁହଁଟି ଦେଖିବାକୁ ଠିକ୍ ମଣିଷ ମୁହଁ ପରି ।
ଗୀତା ଅତି ଭକ୍ତିରେ ସେହି ଭାଲୁଙ୍କୁ ନମସ୍କାର କଲାରୁ ସେ ପଚାରିଲେ – “ତୁ ଏଠାକୁ କାହିଁକି ଆସିଛୁ ଝିଅ? ପ୍ରକୃତରେ ମୋ ପାଖରେ ତୋର କାମ କ’ଣ?
ଗୀତା ହଠାତ୍ ତାଙ୍କୁ ପଚାରିଲା – “ତୁମେ ତୀର୍ଥ ଦେବତା?”
ଭାଲୁ ରୂପୀ ଦେବତା କହିଲେ – “ହଁ ।”
ଏଣିକି ଗୀତା ତା ଜୀବନର ସମସ୍ତ କାହାଣୀ ସେହି ତୀର୍ଥ ଦେବତାଙ୍କ ଆଗରେ ବର୍ଣ୍ଣନା କଲା ଓ ତାଙ୍କୁ କହିଲା – ମୋତେ ଦୟାକରି ସେହି ଉପାୟ ବତାଇ ଦିଅ ଯଦ୍ୱାରାକି ଆମେ ଚାରି ସଖୀ ପୁର୍ନବାର କିପରି ଏକତ୍ର ହେବୁ ଓ ନିଜ ନିଜ ଘରକୁ ଯାଇ ବାପ ମା’କୁ ଦେଖା କରି ପାରିବୁ।
ଦେବତା ଏହା ଶୁଣି କହିଲେ – “ସବୁ କିଛି ଠିକ୍ ହୋଇଯିବ । ଗୋଦାବରୀ ନଦୀ ତୀରରେ ଚାରୋଟି ରାଜ କୁମାର ଆଜକୁ ବର୍ଷେ ହେଲା ତପସ୍ୟା କରୁଛନ୍ତି । ସେମାନଙ୍କ ତପସ୍ୟା ପୂର୍ଣ୍ଣ ହେବାର ଠିକ୍ ସାତଦିନ ପରେ ଯାଇ ତୁମ ସମସ୍ତଙ୍କର ମିଳନ ହେବ । ତା ପରେ ଯାଇ ତୁମେ ମାନେ ତୁମ ମାନଙ୍କର ବାପ ମା’ଙ୍କୁ ସାକ୍ଷାତ କରିବାରେ ଆଉ କିଛି ବାଧାବିଘ୍ନ ନାହିଁ । ତୁ ଏଠାରୁ ଶୀଘ୍ର ଚାଲିଯା ଗୋଦାବରୀ ତୀରସ୍ଥ ସେହି ମାଣ୍ଡି ମଠକୁ ।
ଗୀତା ପଚାରିଲା – “ଏହି ପର୍ବତ ଉପରେ ଯେଉଁ ଅସୁରୁଣୀ ଅଛି, ସିଏ ଯଦି ମୋତେ କିଛି ପଚାରେ, ତାହେଲେ ତାକୁ ମୁଁ କ’ଣ କହିବି?”
ଦେବତା କହିଲେ – “ତା କଥା ତୁ ତୋ ମୁଣ୍ଡକୁ ନେବା ମୋଟେ ଦର୍କାର ନାହିଁ । ଗଲାବେଳେ କେବଳ ତୁ ତୋ ଠେଙ୍ଗାଟି ଘେନି ଏଠାରୁ ଚାଲିଯିବୁ । ଏତିକି କଥା ଶୁଣିବା ପରେ ଗୀତା ମଧ୍ୟ ସେହି ଦେବତାଙ୍କୁ ନମସ୍କାର କରି ସିଧା ଚାଲିଗଲା ସେହି ମାଣ୍ଡି ମଠକୁ ।