ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଜୟପୁର ରାଜାଙ୍କ ଝିଅର ନାମ ବନଲତା । ଦେଖିବାକୁ ଭାରି ଗମ୍ଭୀର ସେ । କିନ୍ତୁ ତାର ଗୋଟିଏ ବଡ ଅଦ୍ଭୁତ ଗୁଣ ଥାଏ । ଯିଏ ଯେତେ ତାକୁ ଥଟ୍ଟା ତାମସା ଓ ରହସ୍ୟ କଥା କହିଲେ ମଧ୍ୟ ସେ ମୋଟରୁ ହସି ଉଠେନି । ଏହାର କାରଣ କିନ୍ତୁ କେହି କିଛି ବୁଝି ପାରନ୍ତିନି ।

ବନଲତା କିନ୍ତୁ ଠିକ୍ ବୁଝି ଥାଏ । କାହିଁକିନା ସେ ଥରେ ହସିଲେ ସଙ୍ଗେ ସଙ୍ଗେ ତା ହସରୁ ଝରି ପଡେ ତିନୋଟି ମଣି ପଥର । ଗୋଟିଏ ନୀଳ, ଗୋଟିଏ ହଳଦୀ ଏବଂ ଅନ୍ୟଟି ଧୋବ ଫରଫର । ଜଣେ ସାଧୁ ପୁରୁଷ ତାକୁ କହିଥିଲେ – ଦେଖ ଝିଅ! ତୁ ମାସକ ମଧ୍ୟରେ ଥରକରୁ ବେଶିଥର ହସିଲେ ମଣିରାଜ ତୋ’ ପ୍ରତି ଖୁବ୍ ଅସନ୍ତୋଷ ହେବେ । ସେହି କଥାକୁ ମନେ ରଖି ବନଲତା ହସିବା ପାଇଁ ମୋଟେ ଭଲ ପାଏନି ।

ଆଳି ରାଜାଙ୍କ ଝିଅର ନାମ ପୁଷ୍ପାକୁମାରୀ । ତା’ର ବି ଗୋଟିଏ ବଡ ଅଦ୍ଭୁତ ଗୁଣ ଥାଏ । ଇଚ୍ଛା କରିଲେ ଶୋଇ ସେ ଗଛ ହୋଇ ଉଠେ । ସେ ଗଛରେ ତିନୋଟି ଶାଖା ଥାଏ । ଗୋଟିଏ ଶାଖାରେ କେଳି କଦମ୍ବ, ଆଉ ଗୋଟିଏ ଶାଖାରେ ରଙ୍ଗଣୀ ଚମ୍ପା ଓ ଅନ୍ୟ ଶାଖାଟିରେ କେବଳ ସୁଗନ୍ଧରାଜ ଫୁଲ ଫୁଟେ ।

କୁଜଙ୍ଗ ରାଜାଙ୍କ ଝିଅର ନାମ ନନ୍ଦିତା । ସେ ଦେଖିବାକୁ ଯେପରି ସୁନ୍ଦରୀ ଠିକ୍ ସେମିତି ଗୁଣବତୀ ମଧ୍ୟ । ମହାଦେବଙ୍କୁ ସେବା କରି ସେ ମଧ୍ୟ ଏହି ବର ପାଇଥାଏ ଯେ, ସେ ଇଚ୍ଛା କଲେ ଗୋଟିଏ ଯେକୌଣସି ଭଲବୃକ୍ଷ ହୋଇ ଶହ ଶହ ଲୋକ ଖାଇଲା ଭଳି ପାଚିଲା ଫଳ ଯୋଗାଇ ଦେଇ ପାରିବ ।

ଏହି ସବୁ ହେଲା ସେହି ଚାରୋଟିଯାକ ରାଜକୁମାରୀଙ୍କ ଗୁଣ ।

ସମୁଦ୍ର କୂଳେ ବୁଲାବୁଲି କରୁ କରୁ ଏହି ଚାରି ରାଜ କୁମାରୀ ମାନଙ୍କ ମଧ୍ୟରେ ହଠାତ୍ ଦେଖା ସାକ୍ଷାତ ଓ ଚିହ୍ନା ପରିଚୟ ହୋଇଅଛି । ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବଢିଛି । ସେମାନେ ସମସ୍ତେ ପରସ୍ୱର ମଧ୍ୟରେ ସଖୀ ବସିବାର ସୁଯୋଗକୁ ବି ମୋଟେ ହାତ ଛଡା କରି ନାହାଁନ୍ତି । ସେମାନଙ୍କର ମନରେ ମନ, ପ୍ରାଣରେ ପ୍ରାଣ ଯେମିତି ମିଶି ଯାଇଛି । ଚାରିକି ଚାରିହେଁ ଏକାଠି ହୋଇ ବସିଛନ୍ତି, ହସିଛନ୍ତି, ମନ ଖୋଲା ଖୋଲି ଭାବେ ଖୁବ୍ ଗପିଛନ୍ତି ମଧ୍ୟ । ଜଣେ କହୁଛି – “ଆଗୋ’ ଭାବକୁ ନିକଟ ଅଭାବକୁ ଦୂର ।”

ଆଉ ଜଣେ ଫିକା ହସ ଟିକିଏ ଉକୁଟାଇ ଦେଇ କହୁଛି – ମନରେ ମନ ମିଶିଲେ ଆଉ କ’ଣ ଭୁଲି ହୁଏ?

ଅନ୍ୟ ଜଣକ ହସି ହସି ଗଡିଯାଏ ଓ କହେ – “ସମ୍ପର୍କ ଯେତେ ନିକଟତର ହେବ, ମଣିଷ ସେତେ ଆପଣାର ହୋଇଯିବ । ସମ୍ପର୍କ ଦୂରେଇ ଗଲେ ଆପଣାର ଯେ ବି ଥିବ ସେ ମଧ୍ୟ ତୁରନ୍ତ ପର ହୋଇଯିବ ।”

ଶେଷ ଜଣକ କହେ – “ଜଗତରେ ସମସ୍ତେ ନିଜର, ସମସ୍ତେ ବି ପର……

ପ୍ରାଣରେ ପ୍ରାଣ, ମନରେ ମନ ମିଶି ପାରିଲେ ଆଉ କ’ଣ ଛାଡି ହୁଏ?

ଶେଷରେ ଏହି କଥାଟି ସମସ୍ତଙ୍କୁ ମନକୁ ବେଶ୍ ପାଇଲା ଏବଂ ସମସ୍ତେ ତାଙ୍କୁ ସମର୍ଥନ ମଧ୍ୟ କଲେ । ସତକୁ ସତ ସେ ଝିଅ ଚାରୋଟି ଦିନକୁ ଦିନ ଏପରି ମିଶି ଗଲେ ଯେ କେହି କାହାଠୁ ଦଣ୍ଡେ ଛଡାଛଡି ହେବାକୁ ଯୁଗ ଯୁଗ ପରି ମନେ କଲେ । ସେମାନଙ୍କ ବସାଘର ଗୁଡିକ ଦୂରଛଡା ହୋଇଥିଲେ ମଧ୍ୟ ପ୍ରତ୍ୟେକ ପ୍ରତ୍ୟେକଙ୍କ ଘରକୁ ଯିବା ଆସିବା ଓ ଅବାଧ ମିଳାମିଶା କରିବା ଦିଗରେ କେହି ସେମାନଙ୍କୁ ବାଧା ଦେଉ ନଥିଲେ । ବରଂ ସେମାନଙ୍କ ବାପ, ମା’ ଆନନ୍ଦ ହେଉଥିଲେ ଏହି ଝିଅ ଚାରୋଟିଙ୍କ ଏଭଳି ମଧୁର ସମ୍ପର୍କ ଦେଖି ।

ଦିନକର କଥା । ଦୈବର କୁଟଚକ୍ର ଆସି ସେମାନଙ୍କ ଆଗରେ ଠିଆ ହେଲା କରାଳ ରୂପରେ । କଥାରେ ଅଛି – ଦେବୋ ନ ଜାନାତି କୁତୋଃ ମନୁଷ୍ୟ ।” ଦେବତା ମାନେ ଯେଉଁ କଥା ନ ଜାଣନ୍ତି ସେ କଥା ମନୁଷ୍ୟ କ’ଣ ଏତେ ସହଜେ ଜାଣିବ? ସରଳା ରାଜକୁମାରୀ ମାନେ ଆଜୀବନ ଅଲିଅଳି ହୋଇ ବଢିଛନ୍ତି ଅନ୍ତଃପୁର ମହଲର ବିଳାସ ବ୍ୟସନ ଭିତରେ । ଅଭାବ କ’ଣ, ଅଭିଯୋଗ କ’ଣ, ନିୟତି କ’ଣ ସେମାନେ ତ ଏସବୁ କିଛି ଜାଣି ନାହାଁନ୍ତି । ଶୋକ ଦୁଃଖ ବି କେବେବି ସେମାନଙ୍କ ପାଖ ମାଡି ନାହିଁ । ବିପଦ ଏମିତି ଆସେ ଅଚାନକ ଭାବରେ ବୋଲି କେହି କେବେ କଳ୍ପନା ମଧ୍ୟ କରି ନାହାଁନ୍ତି । ତେଣୁ କ’ଣ ବା ଜାଣନ୍ତେ ସେ?

ଦୈବାତ୍ ଆସି ବିପଦର ଗଗନଭେଦୀ ଗିରିଚୂଡା ଚାପି ହୋଇଗଲା ସେମାନଙ୍କ ବୁକୁ ଉପରେ । ସେମାନେ ନିଜତ୍ୱ ବଂଚାଇବେ କ’ଣ? କେହି ଧୈର୍ଯ୍ୟବି ଧରି ପାରିଲେନି । କଥାରେ ଅଛି –

ଯେତେବେଳେ ଆସେ                        ବିପଦ ବତାସ

ଅଣଚାଶ ମୂର୍ତ୍ତି ଧରି,

ମହାବୀର ମହା-                             ସୁର ହେଲେ ମଧ୍ୟ

ଉଡି ଯାଏ ତୁଳା ପରି ।

ଦିନକର ଏକ ସୁମଧୁର ସଂନ୍ଧ୍ୟା । ରାଣୀଫୁଲ ପରି ଜହ୍ନ ପଡି ଥାଏ । ସାମୁଦ୍ରିକ ଶୀତଳ ପବନ ଜୀବନରେ ଖେଳାଇ ଦେଉ ଥାଏ ଶାନ୍ତିପୂତର ମନ୍ଦାକିନୀ ଧାରା । ଲହରୀ ଉଠୁଥାଏ ପର୍ବତ ଶୃଙ୍ଘପରି ଉଚ୍ଚରୁ ଆହୁରି ଉଚ୍ଚକୁ । ପୁଣି ଭାଙ୍ଗି ପଡୁ ଥାଏ ଝର ଝର ହୋଇ । ଛୋଟ ଛୋଟ ଅସଂଖ୍ୟ ଶୁଭ୍ର ଜଳକଣା ଜଳରେ ପତିତ ହୋଇ ଧାଇଁ ଆସୁ ଥାଏ ତୀର ଛୁଇଁବାକୁ । ଜହ୍ନର ରୌପ୍ୟ ଆଲୋକରେ ତାହା ଖୁବ୍ ସୁନ୍ଦର ଦିଶୁ ଥାଏ । ଘୁ’ ଘୁ’ ସୁ’ ସୁ’ ଗର୍ଜନର ଆଦୌ ବିରାମ ନାହିଁ । ଅସଂଖ୍ୟ ନାରୀ ପୁରୁଷ ସିକତାମୟ ପୁଲିନ ପ୍ରଦେଶରେ ବସି ଅନୁଭବ କରୁଥାନ୍ତି ଏହି ଲୀଳାୟିତ ସମୁଦ୍ରର ପ୍ରାକୃତିକ ଖେଳ ।

ଝିଅ ଚାରୋଟି ହସ ଖୁସୀ ହୋଇ ଚାଲିଥାନ୍ତି ତା ପଛକୁ ତାପଛ । କେତେବେଳେ ସେହି ଉଚ୍ଛୃଙ୍ଖଳ ଢେଉର ଧନମାନ ଜଳରାଶି ଆସି ସେମାନଙ୍କ ପାଦ ସ୍ପର୍ଶ କରି ପୁଣି ଫେରି ଯାଉ ଥାଏ । ବେଳେ ବେଳେ ବାଲି କଙ୍କଡାର ଦଉଡା ସେମାନଙ୍କ ମନ ଭିତରେ ଜଗାଇ ଦେଉଥାଏ ଅଫୁରନ୍ତ ଆନନ୍ଦରେ ଗୋଟିଏ ଗୋଟିଏ ଝରଣା । ସେମାନେ ଆତ୍ମହରା ହୋଇ ମାଡି ଚାଲିଥାନ୍ତି ପଶ୍ଚିମ ଦିଗକୁ । ସେମାନଙ୍କ ସାଙ୍ଗରେ ଦାସୀ ପରିବାରୀ ନ ଥାନ୍ତି କି ଚାକର ବାକର ବି କେହି ନ ଥାନ୍ତି । କେବଳ ଥାନ୍ତି ସେହି ଚାରୋଟି ଝିଅ ।

ଏଣୁ ଗଣିଲେ ଚାରି, ତେଣୁ ଗଣିଲେ ବି ଚାରି । ସମସ୍ତେ ଦେଖିବାକୁ ଖୁବ୍ ସୁନ୍ଦରୀ, ହାସ୍ୟମୟୀ ଓ ଲାସ୍ୟମୟୀ ମଧ୍ୟ । ଦୁଃଖ, ଅବସାଦ ଓ ଦୁଶ୍ଚିନ୍ତା ଇତ୍ୟାଦି ସେମାନଙ୍କ ଜୀବନରେ କେବେବି ଦିନକ ପାଇଁ ମଧ୍ୟ ଛାୟାପାତ କରିନି । ବିପଦ କ’ଣ, ବିଷାଦ କ’ଣ କେବେହେଲେ ମଧ୍ୟ ସେମାନଙ୍କ ଅନୁଭବକୁ ଆସିନି । ତେଣୁ ସେମାନଙ୍କୁ ଏ ସବୁ ଲାଗୁ ଥାଏ ପିଲା ଖେଳ ପରି ।


ଗପ ସାରଣୀ

ତାଲିକାଭୁକ୍ତ ଗପ