ଲୀଳାୟିତ ସାଗରର ଶୋଭା ଦେଖୁ ଦେଖୁ ସାବଲୀଳା ଗତିରେ ସେମାନେ ଆଗେଇ ଗଲେ ବହୁତ ଦୂରକୁ । ସେମାନେ ଯାଇ ଯେଉଁଠି ପହଁଚିଲେ ତାହା ଥିଲା ଅତି ନିର୍ଜନ ସ୍ଥାନ । କେହି ଜନ ମନୁଷ୍ୟ ସେଠାରେ ମୋଟେ ଦେଖା ଯାଉ ନଥାନ୍ତି । ସାମୁଦ୍ରିକ ବାୟୁ ଉପଭୋଗୀ ଜନତା ରହିଲେଣି ସେମାନଙ୍କ ଠାରୁ ଅନେକ ଦୂରରେ । ଯେମିତି ଡାକିଲେ ସେମାନଙ୍କୁ ଶୁଭିବା ଆଉ ସମ୍ଭବପର ନୁହେଁ । ଏତିକି ବେଳେ ସେହି ସାତ ଲହଡି ଆରପଟେ କଳା ହୋଇ ଦେଖା ଗଲା ଗୋଟାଏ ବିରାଟ ଜିନିଷ । କ’ଣଟାଏ ବୋଲି ଏମାନେ ସମସ୍ତେ ସେହି ଆଡେ ଏକ ଲକ୍ଷଙ୍କର ଅନାଇ ରହିଲେ । କ୍ଷୀଣ ଆଲୋକର ଶିଖାଟିଏ କେବଳ ସେଠାରେ ଦିଶୁ ଥିଲା । ଏହା ଛଡା ଅଧିକ କିଛି ଜାଣବାର ସେମାନଙ୍କ ପାଖେ କୌଣସି ଉପାୟ ନାହିଁ ।
ଗୀତା ପଚାରିଲା – “ସଙ୍ଗାତେ? ସେଇଟା କ’ଣ ମ?”
ବନଲତା କହିଲା – “ଜାହାଜ ହୋଇଥିବ ।”
ନନ୍ଦିତା କହିଲା – “ସେଥିରେ କ’ଣ କେହି ମଣିଷ ନାହାଁନ୍ତି?”
ପୁଷ୍ପା କହିଲା – “ସେଥିରେ ମଣିଷ ନଥିଲେ ତାହା ଚାଲୁଥାନ୍ତା କିପରି ଯେ ଏଠିକି ଆସନ୍ତା?”
ଏହିପରି ଭାବେ କଥାବାର୍ତ୍ତା ହେବା ସମୟରେ ହଠାତ୍ ଖଣ୍ଡେ ପଢୋଉ ତୀର ବେଗରେ ଛୁଟି ଆସିଲା ସେହି ବାଲି ଉପରକୁ । ଝିଅମାନେ ଏହି ସବୁ ଘଟଣା ଦେଖି ହଠାତ୍ ଚମକି ପଡିଲେ । ଲହଡୀ ଯୋରରେ ସେହି ପଢୋଉ ଖଣ୍ଡିକ ରହିଗଲା ସେହି ବାଲି ଉପରେ । ମାତ୍ର ପାଣି ସବୁ ଖସି ଗଲା ତଳେ ତଳେ । ଖପ ଖାପ ହୋଇ ସେହି ପଢୋଉ ଦେହରୁ ତଳକୁ ଖସିଲେ ଆଠ ଜଣ ଲୋକ ।
ସମସ୍ତଙ୍କ ଦେହରେ କଳା କଳା ପୋଷାକ । ମୁଣ୍ଡରେ ସେମାନଙ୍କର ପୁଣି ଲାଲ୍ ରଙ୍ଗର ଟୋପି । ସେମାନଙ୍କର ଅଂଟାରେ ଝୁଲୁ ଥାଏ କେବଳ ଛୁରୀ ଓ ଖଣ୍ଡା । ଦେଖିବାକୁ ଖୁବ୍ ତୀକ୍ଷ୍ନ ସେହି ଛୁରୀ ଓ ଖଣ୍ଡା । ଚାରି କୁମାରୀ ମାନେ ସେମାନଙ୍କୁ ହଠାତ୍ ଦେଖି ଖୁବ୍ ଡରି ଗଲେ । ସେମାନଙ୍କୁ କ’ଣ ପଚାରିବେ ବୋଲି ଏହି କୁମାରୀ ମାନଙ୍କ ତୁଣ୍ଡରୁ କିଛି ମଧ୍ୟ କଥା ଆଉ ବାହାରି ଲାନି । ତେଣୁ କେହି କାହାକୁ କିଛିବି ପଚାରିଲେନି । କେବଳ ଚକୁଆ ଚକୀ ଭଳି ପରସ୍ପର ପରସ୍ପରର ମୁହଁକୁ ଖାଲି ଅନାଇଲେ ।
ପଢୋଉରୁ ଓହ୍ଲାଇଥିବା ଲୋକ ମାନଙ୍କ ମଧ୍ୟରୁ ଜଣେ ଏହି ଝିଅ ମାନଙ୍କୁ ଆସି ପଚାରିଲା – “ତୁମେମାନେ କିଏ?”
ଗୀତା କହିଲା – “ଆମେ ଚାରି ଜଣ ଚାରୋଟି ଯାକ ରାଜ କୁମାରୀ । ଏହି ସମୁଦ୍ର କୂଳେ ବୁଲାବୁଲି କରିବାକୁ ଆମେମାନେ ଏଠାକୁ ଆସିଛୁ । କିନ୍ତୁ ତୁମେ କିଏ?”
ଲୋକଟି ଉତ୍ତର ଦେଲା – “ଆମେ ସମୁଦ୍ରଯାତ୍ରୀ । ଜାହାଜରେ ବସି ଦେଶ ବିଦେଶ ଭ୍ରମଣ କରିବା ଓ ବ୍ୟବସାୟ ବାଣିଜ୍ୟ କରିବା ହେଉଛି ଆମର କାର୍ଯ୍ୟ ।
ଗୀତା ପଚାରିଲା – “ତୁମେ ମାନେ ଏଠାରେ ଓହ୍ଲାଇଛ କାହିଁକି?
ଲୋକଟି କହିଲା – “ପୁରୀ କ୍ଷେତ୍ରରେ ଶ୍ରୀଜୀଉଙ୍କୁ ଆମେ ଦର୍ଶନ କରିବୁ । ମହାପ୍ରସାଦ ଟିକେ ପାଇବୁ । ତାଛଡା ଆମକୁ ମଧ୍ୟ ଏଠାରେ କିଛି ବ୍ୟବସାୟ ବାଣିଜ୍ୟବି କରିବାର ଅଛି ।
ଠିକ୍ ଏତିକି ବେଳେ ସେହି କୁମାରୀ ମାନଙ୍କ ପାଖରେ ଫୋଟକା ଭଳି କ’ଣ ଗୋଟିଏ ଫୁଟିଲା । କ’ଣ କ’ଣ ବୋଲି ସେମାନେ ଏଣେ ତେଣେ ଖୋଜା ଖୋଜି କରୁ କରୁ ଏହି ସମୟରେ କୁଆଡୁ ଗୋଟେ ତୀବ୍ର ଧୂଆଁ ଗୁଡାକ ଆସି ସେମାନଙ୍କ ନାକରେ ବାଜିଲା । ହଠାତ୍ ସେମାନଙ୍କ ମୁଣ୍ଡ ବି ବୁଲାଇ ଉଠିଲା । ସେମାନଙ୍କୁ ବାନ୍ତି ମଧ୍ୟ ମାଡିଲା । ସେମାନେ କେହି ପଦେ ହେଲେ ବି କିଛି କଥାବାର୍ତ୍ତା କରି ପାରିଲେନି । ହଠାତ୍ ସେମାନେ ସମସ୍ତେ ବ୍ୟସ୍ତ ହୋଇ ଗଡି ପଡିଲେ ସେହି ବାଲି ଉପରେ । ଦଣ୍ଡକ ପରେ ସେମାନଙ୍କ ଚେତନା ମଧ୍ୟ ସମ୍ପୂର୍ଣ୍ଣ ବୁଡି ଗଲା ।
ଏହି ସବୁ ଘଟଣା ଦେଖି ହସି ଉଠିଲା ସେହି ପ୍ରଥମ ଲୋକଟି । ସେ ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ କହିଲା – “ଏମାନଙ୍କୁ ସାବଧାନରେ ଘେନି ଚାଲ ଆମ ଜାହାଜକୁ । ଶେଷରେ ତାହାହିଁ ହେଲା । ଚେତନାହୀନା କୁମାରୀ ମାନଙ୍କୁ ସେହି ପଢୋଉରେ ଲଦି ଦୁର୍ବୁତମାନେ ସେମାନଙ୍କୁ ନେଇ ଗଲେ ସେମାନଙ୍କ ଜାହାଜ ଭିତରକୁ । ତାର କିଛି ସମୟ ପରେ ସେହି ଜାହାଜଟି ପୁଣି ଚାଲିବାକୁ ଆରମ୍ଭ କଲା ।”
ଏଣେ ବେଳକୁ ବେଳ ରାତି ବଢିଲା ଏବଂ ସେହି କୁମାରୀ ମାନେ ଆଉ ତାଙ୍କ ଘରକୁ ଫେରିଲେନି । ଏହି ସବୁ ଦେଖି ଚାରି ରାଜାଙ୍କ ପରିବାର ମଧ୍ୟରେ ଅଚାନକ ପଡିଗଲା ଭାଳେଣି । ସେମାନଙ୍କୁ ଖୋଜିବା ପାଇଁ ଲୋକମାନେ ଛୁଟିଲେ । ସମୁଦ୍ର କୂଳଠାରୁ ଆରମ୍ଭ କରି ସାରା ପୁରୀ ସହରଟା ଖୋଜା ହେଲା । ହେଲେ କୌଣସି ସ୍ଥାନରେ ସେହି ଚାରି ରାଜକୁମାରୀଙ୍କର କିଛିବି ପତା ମିଳିଲା ନାହିଁ । ଏସବୁ ଶୁଣି ରାଣୀମାନେ ଖାଲି କାନ୍ଦିଲେ । ରାଜା ମାନେ ମଧ୍ୟ କେବଳ ମୁହଁ ଶୁଖାଇ ବସିଲେ । ଦାସୀ ମାନେ ବି ଏଣେ ତେଣେ ବୁଲି ଜଳଘଟ ପର୍ଯ୍ୟନ୍ତ ଦରାଣ୍ଡିଲେ । ସେହି ରାଜ କୁମାରୀ ମାନଙ୍କର ହୁଲିଆ ଜାରି ହେଲା । ପଣ୍ଡା ପଡିହାରୀ ମାନଙ୍କ ମଧ୍ୟରେ ଘୋଷଣା କରି ଦିଆଗଲା । ଯିଏ ସେହି ରାଜ କୁମାରୀ ମାନଙ୍କୁ ଖୋଜି ଆଣି ଦେବ, ସେ ପାଇବ ଚାରି ହଜାର ଟଙ୍କା ପୁରସ୍କାର ।
ପୁରୀ ରାଜା ମଧ୍ୟ ଏକଥା ଜାଣିଲେ । ସେ ବି ରାଜକୁମାରୀ ମାନଙ୍କୁ ଖୋଜାଇଲେ । ଏଥି ପାଇଁ ପୁରୀ ରାଜା ମଧ୍ୟ ବହୁତ ସିପାହୀ ନିଯୁକ୍ତ କଲେ । ଦୀର୍ଘ ସାତ ଦିନ ମଧ୍ୟରେ ସେହି ରାଜ କୁମାରୀ ମାନଙ୍କର କୌଣସି ପ୍ରକାର ସନ୍ଧାନ ନ ମିଳିବାରୁ ସମସ୍ତେ ହତାଶ ହୋଇ ରହିଲେ । ଏହି କଥା ଶୁଣିବା ମାତ୍ରେ ଆଳି ପ୍ରଭୃତି ଚାରି ରାଜାଙ୍କ ମନ ଭାଙ୍ଗି ପଡିଲା । ଅଲିଅଳି କୁମାରୀ ମାନଙ୍କ ଚିନ୍ତାରେ ରାଣୀମା ମାନେ ଆଉ ସେମାନଙ୍କ ବିଛଣାରୁ ଉଠିଲେନି କି ନିଜ ପାଟିକୁ ଦାନା ମଧ୍ୟ ଖାଇଲେନି । ସବୁବେଳେ ସେମାନଙ୍କ ଆଖିରୁ କେବଳ ଅଶ୍ରୁର ଝରଣା ଛୁଟିଲା । ସେମାନଙ୍କ ଏପରି ଅବସ୍ଥା ଦେଖି ରାଜାମାନେ ଆଉ ସେଠାରେ ପବନ ଖାଇବେ କ’ଣ ବିଛଣା ପତ୍ର ବନ୍ଧାବନ୍ଧି କରି ସ୍ଥିର କଲେ ତୁରନ୍ତ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ।