ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଭଅଁରର କଥା ଅନୁସାରେ ସେହି ଗଛଟି ଯାଇ ଭଅଁର ରହିଥିବା ମନ୍ଦିର ଦ୍ୱାରେ ରହିଲା । ତାପରେ ସେହି ଭଅଁରଟି ମଧ୍ୟ ଉଡି ଗଲା ନିଜ ବାଟ ଧରି ।

ଏପଟେ ଗୀତା ଯେଉଁ ବିଦ୍ୟାଧର ରଥରେ ପଡିଲା ତା’ର ନାମ ହେଉଛି ବିନାୟକ । ତାର ଘର ପୁଣି ମେରୁ ମେଖଳାରେ । ସେହି ଯୁବକଟି ତ ଏଯାବତ ଅବିବାହିତ ଅବସ୍ଥାରେ ଥାଏ । ସେ ବିନାୟକ ମଧ୍ୟ ନାନା ପ୍ରକାର ହଟଚମଟ ବିଦ୍ୟା ଜାଣେ । କାନ୍ଦିବା ଲୋକକୁ ହସାଏ, ଓ ହସିବା ଲୋକକୁ ପୁଣି କନ୍ଦାଏ । ଗୀତା ତା ରଥରେ ପଡିଲାବେଳୁ, ସେ ଭାବିଥିଲା ଯେ ତାକୁ ସେ ବିଭା ହୋଇ ତା ସହିତ ନୂଆ ସଂସାର କରିବ ।

ହେଲେ ଗୀତାର ମନ ଉଚ୍ଛାଟ ହେଉଥିଲା ସେହି ଜଳପରୀ ମାନଙ୍କ ପାଖକୁ ଯିବା ପାଇଁ । ଏହି ସବୁ ଘଟଣା ଦେଖି ବିନାୟକ ନିଜର ମୋହିନୀମନ୍ତ୍ର ବଳରେ ତାକୁ ସଙ୍ଗେ ସଙ୍ଗେ ମୋହ କରାଇ ଦେଲା । ତେଣୁ ସେମାନଙ୍କର ରାସ୍ତାରେ କୌଣସି ପ୍ରକାର ଅସୁବିଧା ପଡିଲାନି । ଅତି ଖୁସିରେ ସେ ଆସି ପହଁଚିଗଲା ତା ବସାରେ । ଅନ୍ୟାନ୍ୟ କାର୍ଯ୍ୟ କରିବା ପୂର୍ବରୁ ଆଗେ ସେ ଗୀତାକୁ ସଚେତ୍ କରାଇ ତାକୁ ଅନୁରୋଧ କଲା ଯେ କିଛି ଫଳମୂଳ ଖାଇବାକୁ ।

ଗୀତା କହିଲା – “ମୁଁ ଖାଇବିନି ।”

ବିନାୟକ ପଚାରିଲା – “କାରଣ?”

ଗୀତା କହିଲା – “ଦେଖ, ମୋର ଗୋଟିଏ ବ୍ରତ ଅଛି । ତୁମେ ଯେବେ ତାହା ପୂରଣ କରାଇ ପାରିବ, ତେବେ ଯାଇ ମୁଁ ତୁମକୁ ନିଶ୍ଚୟ ବିଭା ହେବି ।”

ବିନାୟକ ପଚାରିଲା – “କି ବ୍ରତ?”

ଗୀତା କହିଲା – “ଆମେ ଚାରୋଟି ସଙ୍ଗାତ । ଏକା ସାଙ୍ଗରେ ବସି ପୁରୀ କ୍ଷେତ୍ରରେ ନିୟମ କରିଥିଲୁ, ଆମେ ସମସ୍ତେ ଏକା ଦିନେ ଓ ଏକା ସାଙ୍ଗରେ ବିଭା ହେବୁ । ଏହି ମଧ୍ୟରେ ଦୁର୍ଯୋଗ ପଡିଲା । ଠିକ୍ ଏହି ସମୟରେ କୁଆଡୁ ଗୋଟିଏ ଦସ୍ୟୁ ଆସି ଆମ ସମସ୍ତଙ୍କୁ ଚୋରାଇ ନେଇ ରଖିଥିଲା କେଉଁ ଏକ ନିର୍ଜନ ଦ୍ୱୀପରେ । ଆମେ ମାନେ ସିନା କିଛି ଗୋଟେ ଉପାୟ କରି ସେଠାରୁ ପଳାଇ ଆସିଲୁ । ଯୋଡିଏ ସଖୀ ଗଛରୂପ ଧରିଲେ, ଏବଂ ଆମେ ଯୋଡିଏ ତାଙ୍କ ଉପରେ ବସି ଉଡି ଯାଉ ଯାଉ ହଠାତ୍ ଖସି ପଡିଲୁ ତଳକୁ । ମୋତେ ସିନା ତୁମେ ପାଇଲ, ହେଲେ ଆଉ ଜଣେ ଯେ କୁଆଡେ ଗଲା, ତାର କିଛି ବି ଖୋଜ ଖବର ନାହିଁ ।”

ବିନାୟକ ଏହା ଶୁଣି କହିଲା – “ତାଙ୍କ ସଙ୍ଗେ ତୁମର କ’ଣ ଅଛି?

କଥାରେ ଅଛି – ‘ମା ଝିଅ ଦୁହେଁ ଦେଉଳେ ପଶିଲେ ।

                                  ନିଜ ଶୁଭ ନିଜେ ମନାସିଲେ ।”

                ଆଜିକାଲି ଯୁଗରେ ନିଜ କଥା ନିଜେ କରିବା ଉଚିତ୍ । ତୁମେ ଜଣେ ଯୁବତୀ, ପୁଣି ନୂତନ ଯୌବନା ମଧ୍ୟ । ଏଭଳି ଲହୁଲି ବୟସରେ ତୁମେ ଶରୀରକୁ ଉପଭୋଗ ନକରି ପର ପାଇଁ କଦର୍ଥନ ହେବ କାହିଁକି?

                ଗୀତା କହିଲା – “ଆମେମାନେ ଯେହେତୁ ନିୟମ କରିଛୁ କେବେହେଲେ ମଧ୍ୟ ଧର୍ମ ଲଘିଂବୁନି” ।

ଏହା ଶୁଣି ବିନାୟକ କହିଲା – ‘ମୋ କଥା ମାନ । ତୁମ ଜୀବନର ସବୁ କିଛି ମଙ୍ଗଳ ହେବ ।’

ଗୀତା କିନ୍ତୁ ଏହା ଶୁଣି ମନାକଲା ଓ ସେ କହିଲା – “ମୋ ଜୀବନର ଶେଷ ନିଃଶ୍ୱାସଟି ଥିବା ପର୍ଯ୍ୟନ୍ତ ମୁଁ କେବେହେଲେ ମୋ ବ୍ରତରୁ ଟଳି ଯିବିନି ।”

ଗୋଟାଏ ମନୁଷ୍ୟ କନ୍ୟାର ଏଭଳି ଅଟଳ କଥା ଶୁଣି ବିନାୟକ ମନରେ ସେହି ସମୟରେ ପ୍ରବଳ ହିଂସା ଆସିଲା । ତେଣୁ ସେ ଗୀତାକୁ ବଳତ୍କାର କରି ତାର ନାରୀତ୍ୱ ଉପରେ ଧର୍ଷଣ ଚଳାଇବାକୁ ବସିଲା । ଗୀତା ମଧ୍ୟ ହଠାତ୍ ତାର ପ୍ରବଳ ବିକ୍ରମରେ ତା ପାଇଁ ବାଧା ସୃଷ୍ଟି କଲା ଓ ତାକୁ କହିଲା –

“ସତୀର ବ୍ରତକୁ ପଦେ ଦେଇ ଦଳି

କରୁ ଅତ୍ୟାଚାର ଯେବେ ଧର୍ମେ ଛଳି ।

ତେବେରେ ଅଧମ ତୋର ଏ ଶରୀର

ଜଳିଯିବ ଦୁଃଖେ କରାଇ ଅଧୀର ।”

ଏକଥା ଶୁଣି ବିନାୟକ ମନରେ ହଠାତ୍ ପ୍ରବଳ ଭୟ ଆସିଲା । ତେଣୁ ସେ ଗୀତାର ଯୌବନ ଉପରେ ହସ୍ତକ୍ଷେପ ନକରି ରାଗରେ ତାକୁ ପେଲି ଦେଲା ଗୋଟିଏ ଖଣାକୁ । ଖୁବ୍ ଗଭୀର ଥିଲା ସେ ଖଣା । ଭିତରକୁ ଅନାଇଲେ ମଧ୍ୟ ଆଖି ପାଉନି । ଗୀତା ତା ଭିତରେ ଗଳି ପଡିବା ମାତ୍ରେ ସେହି ଖଣାର ମୁଖ ଗହ୍ୱରରେ ଖଣ୍ଡିଏ ପଥର ଆଡି ଦେଇ ତାକୁ ସଙ୍ଗେ ସଙ୍ଗେ ବାହାରୁ ବନ୍ଦ କରିଦେଲା ସେ ବିନାୟକ ।

ବିଚାରା ଗୀତା କୁମାରୀ ନିଜ ଭାଗ୍ୟକୁ ଆଦରି ପଡି ରହିଲା ସେହି ଖଣା ଭିତରେ । ସେହି ଖଣା ଭିତରେ ଗରମରେ ଗୀତାର ଦେହ ସିଝି ଫୋଟକା ହୋଇ ଯାଉଥାଏ । ଶ୍ୱାସ ପ୍ରଶ୍ୱାସ ମଧ୍ୟ ନେବାକୁ ବଡ କଷ୍ଟ ହେଉଥାଏ ତାକୁ । ସେହି ଖଣାର ଭିତରଟା ଏଭଳି ଅନ୍ଧାର ଯେ, ତା ଭିତରେ ନିଜେ ନିଜକୁ ଦେଖି ହେଉ ନଥାଏ । ତଥାପି ଦମ୍ଭ ଥାଏ ସେହି ଯୁବତୀର । ପ୍ରାଣ ଭୟରେ ସେ କେବେହେଲେ ନିଜର ଅଟଳତା ତ୍ୟାଗ କରି ପାରିବନି ବୋଲି ମନେ ମନେ ଭାବୁଥାଏ ।

ପ୍ରକୃତରେ ଭଗବାନ ତା’ର ଡାକ ଶୁଣିଲେ । କଥାରେ ଅଛି –

ହୃଦୟରେ ଲଦି                               ଅଟଳ ଶକତି

                  ଥିବ ଲୌହ ପରି ଟାଣ

ନ ଭେଦିବ କେବେ                  ଶରୀରେ କି ମନେ

                   ପାର୍ଥ ମନଭେଦୀ ବାଣ ।

ଟାଣ ରଖି ଦିନେ                              ପାଣ୍ଡବ ଘରଣୀ

                  କୁରୁପତି ସଭା ତଳେ

ବିବସ୍ତ୍ର ଲଜ୍ଜାରୁ                                ମୁକତି ଲଭିଲେ

                  କଥା ରହିଲା ଶୟଳେ ।

ସେହି ଖଣାରେ ପଡି ଗୀତା ପଣ କଲା ଯେ, ବରଂ ମରିବି, ମୁଁ କଦାପି ନିଜର ନାରୀତ୍ୱ ବିସର୍ଜନ କରିବିନି । ତା’ର ସେହି ଅଟଳ ପଣ କଥା ଭଗବାନଙ୍କ କାନରେ ଯାଇ ପଡିଲା । ତହୁଁ ଭଗବାନ ଭାବିଲେ – “ମୁଁ ତାକୁ ନିଶ୍ଚୟ ସହାୟ ହେବି ।

ସେ ଖଣାଟି ସେହି ମେରୁ ମେଖଳାରେ କାହିଁ କୋଉ ଆବାହମାନ କାଳରୁ ଅଛି । କେତେ ଗନ୍ଧର୍ବ, ବିଦ୍ୟାଧର ଗଲେଣି, କେତେ ଦେବାସୁର ଯୁଦ୍ଧ କରି ଜୟ ପରାଜୟ ମଧ୍ୟ ନେଲେଣି । ମାତ୍ର ସେହି ଖଣାର କିଛି ବି ପରିବର୍ତ୍ତନ ହୋଇନି । ଯୁଗ ଯୁଗ ଧରି ଗୋଟିଏ ପିଶାଚ ଆସି ବସା ବାନ୍ଧି ରହିଛି ତା ଭିତରେ । ନିଜ ଦୁଃଖରେ ସେ ନିଜେ ଚଳେ । କାହାରି ସୁଖରେ କି କାହାରି ଦୁଃଖରେ ସେ ଜମା ଅଂଶ ନିଏନି । ତାକୁ କିଛି ମିଳିଲେ ସେ ତାହା ଖାଏ, ଯଦି ତାକୁ କିଛି ନ ମିଳିଲେ ସେ ଉପାସରେ ଶୋଇପଡେ । ସେ ପରକୁ ଦହଗଞ୍ଜ କରିବା କି ନିଜର ଉଦର ପୋଷିବା ନିମନ୍ତେ ଜାଲ୍ ଯୁଆ ଚୋରୀ କରିବା କଥା ମୋଟେ ଜାଣେନି । ଏତେ ବଡ ଦୁନିଆରେ ପୁରାପୁରି ଏକା ସେ । ତାର ଭାରିଯା ନାହିଁ ପୁଅ ଝିଅ ନାହିଁ । ଚାରି ଦଉଡି କଟା ନଙ୍ଗା ଫକୀର ପରି ଜୀବନଯାପନ କରିବା ତା’ର ଥିଲା ପରମ ଧର୍ମ । ନାମ ତା’ର ଥିଲା ଉଦ୍ଦଣ୍ଡ ପିଶାଚ ।

ଦିନସାରା ସେ ଏଣେତେଣେ ବୁଲାବୁଲି କରେ, ଠିକ୍ ରାତି ହେଲେ ସେ ଆସେ ସେହି ବସାକୁ ବିଶ୍ରାମ ନେବାକୁ । ଯେଉଁଦିନ ଗୀତା ସେହି ଖଣାରେ ପଡିଲା, ସେଦିନ ସେ ପିଶାଚ ଯାଇଥିଲା ବୁଲିବାପାଇଁ । ତେଣୁ ସେ ପିଶାଚ ସେହି ବସାକୁ ଆସିଲା ଅନେକ ରାତିରେ । ସେ ଦେଖିଲା ଯେ ଖଣା ମୁହଁରେ ଅଛି ଗୋଟେ ପଥର । ତେଣୁ ଏସବୁ ଦେଖି ଭାରି ରାଗ ଆସିଲା ତା ମନରେ । ସେ ରାଗି ଯାଇ କହିଲା – “କିଏ ସେ ମୋ ବସା ଦୁଆର ବନ୍ଦ କଲା?” ପାଜି ଯଦି ସେତିକିବେଳେ ମୋ ହାବୁଡେ ପଡିଥାନ୍ତା ତେବେ ଯାହା ହେବାର ହୁଅନ୍ତା ପଛକେ, କିନ୍ତୁ ମୁଁ ଥରେ ଦେଖି ଦେଇଥାନ୍ତି ତାକୁ । ଏମିତି ଗୁଡାଏ ବିରକ୍ତ ହୋଇ ସେ ପିଶାଚ ଜଣକ ସେହି ପଥରଟା କାଢି ଫେପାଡି ଦେଲା ଏବଂ ସେ ପଶି ଗଲା ତା’ର ସେହି ଖଣା ଭିତରକୁ ।

ଏହି ସମୟରେ ଗୀତା କେବଳ କଇଁ କଇଁ ହୋଇ କାନ୍ଦୁଥାଏ । ମୁଣ୍ଡ ତା’ର ପୁରାପୁରି ଗୋଳମାଳ ହୋଇ ଯାଇଛି । ଜୀବନ ଶକ୍ତି ମଧ୍ୟ ତାର ଧୀରେ ଧୀରେ କମି ଆସିଲାଣି । ଯାହା ଦ୍ୱାରାକି ପିଶାଚର ଉପସ୍ଥିତି ଜାଣି ପାରିବାର ଅବସ୍ଥା ନାହିଁ ତା’ର । ତେଣୁ ସେ କେବଳ ପୂର୍ବପରି କଇଁ କଇଁ ହୋଇ କାନ୍ଦୁଥାଏ ।

ତାର କାନ୍ଦିବା ଶବ୍ଦକୁ ଲକ୍ଷ୍ୟ କରି ସେହି ପିଶାଚ ଜଣକ ପଚାରିଲା – “କିଏରେ?”

କିନ୍ତୁ ତାକୁ କିଛି ଉତ୍ତର ମିଳିଲାନି । ପିଶାଚ ଜଣକ ଏସବୁ ଦେଖି ପୁଣି ତାକୁ ପଚାରିଲା, ଧମକାଇଲା । ତଥାପି ମଧ୍ୟ ସେ ତାଠୁ କିଛି ଉତ୍ତର ପାଇଲା ନାହିଁ । ତେଣୁ ସେହି ପିଶାଚ ମନରେ ଟିକେ ସନ୍ଦେହ ଆସିଲା । ଘଟଣାଟା କ’ଣ ଜାଣିବା ପାଇଁ ସେହି ପିଶାଚ ଜଣକ ସଙ୍ଗେ ସଙ୍ଗେ ଜଳାଇ ଦେଲା ତାର ପିଶାଚବତୀ । ସେହି ବତୀର ଆଲୋକରେ ଗୁମ୍ଫା ଭିତରଟା ଉଜ୍ଜ୍ୱଳ ଦେଖା ଗଲାରୁ ଗୀତା ମଧ୍ୟ ଦେଖା ପଡିଲା । ନିର୍ଜୀବ ପରି ସେ ପଡି ରହିଛି । ଗରମ ଜ୍ୱାଳାରେ ଦେହଟା ପୁଣି ତାର ଅବଶ ହୋଇ ଆସିଲାଣି । କଥା କହିବାକୁ ସେ ମଧ୍ୟ ଆଉ ଶକ୍ତି ବି ପାଉନି । ଘଟଣାଟା ପିଶାଚ ବୁଝିପାରିବାରୁ ମନରେ ହଠାତ୍ ଦୟା ଆସିଲା ତା’ର ।

ସେହି ପିଶାଚ ପାଖରେ ଥିଲା ତା’ର ଗୋଟିଏ ପିଶାଚ-ମଣି । ସେହି ମଣିଟିକୁ ନେଇ ପିଶାଚ ଗୀତା ଦେହରେ ଧୀରେ ଛୁଆଁଇ ଦେବାରୁ ଟିକିଏ ବଳ ଆସିଗଲା ଗୀତାର । ମନରେ ମଧ୍ୟ ତାର ଟିକେ ଶାନ୍ତି ଆସିଲା । ଧୀରେ ଧୀରେ ଆଖି ମେଲାଇ ସେ ଦେଖିଲା, ତା ପାଖରେ ବସିଛି ଜଣେ ପାଚିଲା ବୁଢା । ଦେଖିବାକୁ ତା’ର ଆକୃତି ମଣିଷ ପରି ହେଲେ ବି ତା’ର ମୁହଁଟା ଦିଶୁଥାଏ ଠିକ୍ ଭାଲୁ ମୁହଁ ପରି । ଦିହସାରା ତା’ର ରଙ୍ଗ ମଇଁଷି ପଣ୍ଡା ପରି କଳା । ତାଦେହରେ ସବୁଠି ଖାଲି ଗୋଛାକୁ ଗୋଛା ବାଳ । ଆଖି ଯୋଡାକ ତାର ଜଳି ଉଠୁଥାଏ ଠିକ୍ ଦରପୋଡା ଅଙ୍ଗାର ପରି । କିନ୍ତୁ ତା’ର ମଝି ଦାନ୍ତ ଯୋଡାକ ଟିକିଏ ବଡ ବଡ ।


ଗପ ସାରଣୀ

ତାଲିକାଭୁକ୍ତ ଗପ