ତାକୁ ହଠାତ୍ ସାମ୍ନାରେ ଦେଖି ଗୀତା ପଚାରିଲା – “ତୁମେ କିଏ?”
ପିଶାଚ କହିଲା – “ମୋ ନାଁ ଉଦ୍ଦଣ୍ଡ ପିଶାଚ । ମୁଁ ମଣିଷ ନ ହେଲେ ମଧ୍ୟ ମଣିଷ ମାନଙ୍କ ସବୁ ଚାଲିଚଳନ ଶିଖିଛି । ସେମାନଙ୍କ ଅନ୍ତର କଥା ବି ମୁଁ ଠିକ୍ ଜାଣେ । ଯୁଗ ପରେ ଯୁଗ ଯୁଗ ହୋଇ କେତେ ଯୁଗ ବିତିଲାଣି; କିନ୍ତୁ ମୁଁ ବଂଚିଛି । ଘର ମୋର ଏହି ଖଣା ଭିତରେ । ଭୟରେ ହେଉ କି ଘୃଣାରେ ହେଉ ଦିନେ କାଳେ କେହି କେବେ ଏଠାକୁ ଆସି ନଥିଲେ । ଆଜି ମୁଁ ନୂଆ କରି ଦେଖିଲି, ତୁ ଏଠାକୁ ଆସିଛୁ । କାହିଁକି ଆସିଛୁ, ତୋ ଘର କେଉଁ ଦେଶରେ, ଏ ମେରୁମେଖଳାରେ ତୋର କାମ କ’ଣ କହିଲୁ?”
ଜାତିରେ ପିଶାଚ ହେଲେ କ’ଣ ହେବ, କଥା ଗୁଡିକ ତା’ର ଖୁବ୍ ମଧୁର । ତେଣୁ ତା’ କଥା ଶୁଣି ଗୀତାର ପେଟ ପୁରି ଉଠୁଥାଏ । ମନରେ ତା’ର ବଳ ବି ଆପେ ଆପେ ଜମୁଥାଏ । ତାର ହୃଦୟରେ ସାହସ ମଧ୍ୟ ଖେଳୁଥାଏ । ଏଣିକି ସେ ଧୀରେ ଧୀରେ ସିଧା ହୋଇ ବସି ସକଳ କଥା କହିଗଲା ସେହି ପିଶାଚକୁ ମୂଳରୁ ଶେଷ ଯାଏଁ ।
ସବୁ କଥା ଶୁଣି ଶୁଣି ପିଶାଚ ମନରେ ଭାରି ରାଗ ଆସିଲା ପ୍ରଥମେ ବିନାୟକ ପ୍ରତି । ତା’ପରେ ତାର ରାଗ ଆସିଲା ଗୀତାର ଏପରି ଅବସ୍ଥା ଶୁଣି ।
ପିଶାଚ କହିଲା – ମନଟାକୁ ଥୟ କର । ଆଲୋ ଝିଅ, ଯାହାତ ହେବାର କଥା ହୋଇ ଗଲାଣି । ଏହି କ୍ଷଣି ରାତିଟା । ତୋ ପାଇଁ ତ ଏ ବୁଢା ଆଉ କିଛି କାମ କରି ପାରିବନି । ତେଣୁ ମୋର କହିବା କଥା ଏୟା ଯେ, ଦୁଃଖେ କଷ୍ଟେ ତୁ ଏଠି ରହିଯା’ କାଲି ସକାଳ ପର୍ଯ୍ୟନ୍ତ । ରାତିଟା ପାହିଯାଉ, ସର୍ବପ୍ରଥମେ ମୁଁ ସେ ବିଦ୍ୟାଧର ଟୋକାର ଅହଂକାର ଛଡାଇ ଦେବି । ତା’ପରେ ଯାଇ ବୁଝିବି, ତୁ କିପରି ତୋ ସଖୀ ମାନଙ୍କୁ ପାଇବୁ ଓ ନିଜ ଘରକୁ ଯିବୁ ।
ଗୀତା କହିଲା – “ସେ ତୁମ ଦୟା ।”
ପିଶାଚ ଟିକିଏ ଗୁମ୍ ଖାଇଯାଇ କହିଲା – “ତୁ ତ କିଛି ଖାଇ ନଥିବୁ ବୋଧହୁଏ । ସେ ବଦମାସଟା କେତେବେଳୁ ତୋତେ ଆଣିଲାଣି କିଏ ଜାଣେ? ଆଚ୍ଛା, ଏବେ ସେ ସବୁ କଥା ଛାଡ । ଆଲୁଅଟା ଏମିତି ଜଳୁଛି ତ ଜଳୁଥାଉ । ମୁଁ ଟିକିଏ ଯାଉଛି ବାହାରକୁ ।
ହଁ, ଆହୁରି ଗୋଟିଏ କଥା ଝିଅ । ଆଜି ମନେ କର ତୁ ମୋ ଘରେ ଅତିଥି । ଯଦି ତୁ ଆଜି ଉପାସ ରହିଯାଉ, ତେବେ ମୋର ଘୋର ଅନ୍ୟାୟ ହେବ । ଯାହାଦ୍ୱାରାକି ମୋ ଜୀବନର ସମସ୍ତ ପୁଣ୍ୟ ନଷ୍ଟ ହୋଇଯିବ । ତେଣୁ ତୋତେ ମୁଁ ରାଣ ପକାଇ କହି ଯାଉଛି, ତୋ ପାଖରେ ଯାହା କିଛି ଖାଦ୍ୟ ପହଁଚିବ, ତାହା ଖାଇପିଇ ତୁ ଖୁସିରେ ଶୋଇବୁ । ଯଦି ତୁ ସେସବୁ ଖାଦ୍ୟ ନଖାଉ କି ସେସବୁ ଖାଦ୍ୟ ଗୁଡିକୁ ଫିଙ୍ଗି ଦେଉ, ତେବେ ମୋ ମନରେ ବହୁତ କଷ୍ଟ ଆସିବ । ମୁଁ ମଧ୍ୟ ଆଉ ମୋଟେ ତୋ କଥା ବୁଝିବିନି ।
ଗୀତା ସଙ୍ଗେ ସଙ୍ଗେ ସେହି ପିଶାଚ କଥାରେ ରାଜି ହୋଇ ହଁ ଭରିବାରୁ ପିଶାଚ ଆଖି ପିଛୁଳାକ ମଧ୍ୟରେ ଚାଲିଗଲା ବାହାରକୁ ।
ଗୀତା ସେଠୁ ଯାଇ ପର୍ବତ କାନ୍ଥିନୀକୁ ଆଉଜି ବସିଥାଏ । ଠିକ୍ ଏହି ସମୟରେ ରୁମୁଝୁମୁ ହୋଇ ଚାଲି ଆସିଲା ଗୋଟିଏ ଝିଅ । ତା’ର ଗୋଡ ହାତ ଦିହ ସବୁ ଅଛି, କେବଳ ତା’ର ବେକଠାରୁ ମୁଣ୍ଡଟି ନାହିଁ । ତଥାପି ସେ ଚାଲି ଆସୁଥାଏ ଭଲ ମଣିଷ ପରି । ସେ ତା ହାତରେ ଧରିଛି ଅମୃତମୟ ଖାଦ୍ୟର ପୂର୍ଣ୍ଣ ପାତ୍ର ଓ ପାଣି ଗିଲାସ । ଆସିଲା ମାତ୍ରେ ଗୀତା ପାଖରେ ସେସବୁ ବ୍ୟଞ୍ଜନ ଥୋଇ ଦେଇ ସେ ପୁଣି ଚାଲି ଗଲା ।
ଏସବୁ ଦେଖି ଖୁବ୍ ଅଶ୍ଚର୍ଯ୍ୟ ଲାଗିଲା ଗୀତାକୁ । ହେଲେ ବି ସେ କିଛି କହିଲାନି । ସେ କେବଳ ପିଶାଚର କଥାକୁ ତା ମନ ଭିତରେ ଖେଳାଇ ଶୀଘ୍ର ଶୀଘ୍ର ସେହି ଖାଦ୍ୟତକ ଖାଇ ପକାଇଲା । ଖାଇ ସାରି ପାଣି ପିଇ ସେ ତା’ର ହାତ ମୁହଁ ଧୋଇ ସାରି ଦେଖେ ତ ସେହି ପାତ୍ରଗୁଡିକ ଧୀରେ ଧୀରେ ଉଠି ଯାଉଛି ଉପରକୁ ।
ଗୀତା ଭାବିଲା – ବୋଧ ହୁଏ ଏହି ପିଶାଚ ମାନଙ୍କ ଦୟାରେ ସବୁ କାର୍ଯ୍ୟ ଏହି ପରି ହୁଏ । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା କ’ଣ ଅଛି? ଦେଖାଯାଉ, ଏହା ପରେ କ’ଣ ଘଟିବ?
ତା’ର ଏହି ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି, କିଏ ହଠାତ୍ ଜଣେ ଉପରୁ କହିଦେଲା – ଯାହା ଘଟିବ ସବୁ ତୋ ମଙ୍ଗଳ ପାଇଁ । ଏଥର ତୁ ଯାଇ ନିଶ୍ଚିନ୍ତ ହୋଇ ଶୋଇପଡ । ପିଶାଚ ବୁଢା ଆଜି ବାହାରେ ରହିବ ।
ଏକଥା ଶୁଣି ଗୀତା ମଧ୍ୟ ସଙ୍ଗେ ସଙ୍ଗେ ଶୋଇ ପଡିଲା ।
ରାତି ପାହିଲା ବେଳକୁ ସେ ଗୀତା ଦେଖିଲା ଯେ, ତା’ରି ଆଖି ଆଗରେ ବନ୍ଧା ହୋଇ ପଡିଛି ବିନାୟକ-ବିଦ୍ୟାଧର । ତାର ହାତ ଗୋଡ ଅଂଟା ସବୁଠି ଶକ୍ତ ଦଉଡାର ଗଣ୍ଠି । ତେଣୁ ହଲଚଲ ହେବାର ତା ପାଖରେ କିଛି ଉପାୟ ବି ନାହିଁ ।
ଉଦ୍ଦଣ୍ଡ ପିଶାଚ ମଧ୍ୟ ଠିଆ ହୋଇଛି ତା ପାଖରେ । ମୁହଁରେ ତା’ର ବିଜୟର ଦୀପ୍ତି । ଆଖିରେ ପୁଣି ତା’ର ରକ୍ତାକ୍ତ ଚାହାଁଣୀ । ହାତରେ ଥାଏ ତା’ର ସାଙ୍କୁଚ ଲାଙ୍ଗୁଡର ଗୋଟିଏ ଚାବୁକ୍ । ସେ ପଚାରୁଥାଏ ବୀର ଦର୍ପରେ କମ୍ପି କମ୍ପିକା…… ‘ବିନାୟକ! ବିଦ୍ୟାଧର କୁଳରେ ଜନ୍ମ ହୋଇ ଏତେ ହୀନ, ଏଡେ ଅଧମ ତୁ? ଗୋଟିଏ ମନୁଷ୍ୟ କନ୍ୟାକୁ ଆଣି ତୁ ଚାହିଁଥିଲୁ ତାକୁ ଉପଭୋଗ କରିବାକୁ, ସେ ଯେବେ ସ୍ୱୀକୃତି ନ ହେବାରୁ ତୁ ତାକୁ ଏହି ଖଣାକୁ ପେଲି ଦେଲୁ । ଏ କିପରି ନ୍ୟାୟ ତୋର ।
ପାପୀ! ଯଦି ତୋର ଭଲ ଦଶା ଅଛି, ତେବେ ସେ ଯେପରି ଏଠୁ ମୁକ୍ତିଲାଭ କରିବ, ତା ପାଇଁ କିଛି ଉପାୟ କର । ସେ କଥା ନୋହିଲେ ମୁଁ ତୋତେ ମାରି ମାରି ଗଇଁଆ କରି ଦେବି ।
ଏହିପରି ଭାବେ ପିଶାଚ ଜଣକ ସେ ବିନାୟକ-ବିଦ୍ୟାଧରକୁ ବାରମ୍ବାର ତାଡନା ଓ ଭର୍ତ୍ସନା କରିବାରୁ ବିଚରା ବିନାୟକ-ବିଦ୍ୟାଧର ଶେଷରେ ନିରୁପାୟ ହୋଇ କହିଲା – “ମୋ ଅପ୍ରାଧ କ୍ଷମା କର ଉଦ୍ଦଣ୍ଡ । ମୁଁ ତ ତା’ର ଅନ୍ୟ କୌଣସି ଅନିଷ୍ଟ କରିନି, କେବଳ ସେ ତଳକୁ ଖସି ପଡୁଥିବା ଦେଖି ମୁଁ ମୋ ଯାଦୁବିଦ୍ୟା ବଳରେ ତାକୁ ଘେନି ଆସିଥିଲି ମୋ ରଥକୁ । ଦେଖିଲି, ଚେଷ୍ଟା କରି ତାକୁ ବିଭା ହେବା ପାଇଁ । ଯେତେ ହେଲେ ତ ମୋର ଏହା ଯୁବକ ମନ ନା । ତା ରୁପକୁ ପାଇବା ନିଶାରେ ମୁଁ ତାକୁ ବଳାତ୍କାର ବି କରିଛି । କୌଣସିମତେ ସେ ମୋ କଥାରେ ରାଜି ନ ହେବା ଦେଖି ମୁଁ ହିଁ ତାକୁ ପେଲି ଦେଇଛି ଏହି ଖଣାକୁ । ମୁଁ ତ ତାକୁ ହତ୍ୟା କରିନି କି ସେ ମରୁ ବୋଲି ବି ମୁଁ କେବେ ଚେଷ୍ଟା ବି କରିନି ।
ଉଦ୍ଦଣ୍ଡ କହିଲା – “ପଛ କଥା ଯାକ ଛାଡ । ଯାହାତ କରିଛୁ କରିଛୁ । ଏଇ କ୍ଷଣି ତୁ ତାକୁ ଗୋଟେ ମାୟା ରଥ ଦେ । ସେଥିରେ ବସି ସେ ଯିବ ତା’ର ସଖୀ ମାନଙ୍କ ପାଖକୁ ।
ବିନାୟକ ମଧ୍ୟ ସଙ୍ଗେ ସଙ୍ଗେ ମାୟାରଥ ଖଣ୍ଡିଏ ଦେବାକୁ ରାଜି ହେବାରୁ ପିଶାଚ ମଧ୍ୟ ସଙ୍ଗେ ସଙ୍ଗେ ବିନାୟକ-ବିଦ୍ୟାଧରକୁ ତା ବନ୍ଧନରୁ ଖଲାସ କରି ଦେଲା । ଏଥର ପିଶାଚ ଗୀତାକୁ କହିଲା – “କହ ଝିଅ! ଏଇକ୍ଷଣି ତୁ କେଉଁଠିକି ଯିବାକୁ ଚାହୁଁ? ଯଦି ନିଜ ଘରକୁ ଯିବୁ, ତେବେ ବିଦ୍ୟାଧରର ମାୟା ରଥରେ ବସି ତୁ ତୋ ଘରକୁ ଚାଲି ଯାଇ ପାରିବୁ ।”
ଗୀତା କହିଲା – “ଆମେ ଚାରି ସଙ୍ଗାତ ଏକାଠି ନହେଲେ ମୁଁ ମଧ୍ୟ କଦାପି ମୋ ଘରକୁ ଯିବିନି । ତୁମେ ଯଦି ମୋ ଉପରେ ଦୟା କରିଛ, ତେବେ ମୋତେ ଏହି ଭରସା ଦିଅ, ଯେପରି ମୋ ସଖୀମାନେ ମୋ ସହିତ ଦେଖା ହେବେ, ତା’ର କିଛି ଉପାୟ କର ।
ପିଶାଚ କହିଲା – “ଦଣ୍ଡେ ଥୟଧରି ବସ । ମୁଁ ତୋତେ ଗୋଟିଏ ସ୍ଥାନକୁ ପଠାଇ ଦେବି । ସେଠାରେ ଅଛନ୍ତି ଜଣେ ତ୍ରିକାଳଜ୍ଞ ଦେବତା । ଏ ଜଗତର ସକଳ କଥା ତାଙ୍କୁ ଠିକ୍ ଜଣା । ତୁ ତାଙ୍କରି ପାଖରେ ପହଁଚି ତୋର ସମସ୍ତ କଥା ଜଣାଇଲେ, ସେ ନିଶ୍ଚୟ ଭାବେ ତୋ ସମସ୍ୟାର କିଛି ନା କିଛି ପ୍ରତିକାର ଅବଶ୍ୟ କରିବେ ।”
ଗୀତା ଏହା ଶୁଣି କହିଲା – “ଯାହା ତୁମ ଇଚ୍ଛା”!