ଗୋଟିଏ ଗ୍ରାମରେ ଜଣେ ଧୋବା ଗଧଟିଏ ପାଳିଥିଲା । ଧୋବା ଦିନ ତମାମ୍ ଗଧକୁ ଖଟାଏ । ରାତିରେ ଛାଡିଦିଏ । ରାତି ସମୟରେ ଗଧ ଏଣେ ତେଣେ କ୍ଷେତରେ ବୁଲି ଫସଲ ଖାଏ । ରାତି ପାହିବା ପାହିବା ହେଲେ ଗଧ ଧୋବା ନିକଟକୁ ଫେରିଆସେ । ଦିନେ ରାତିରେ ଗଧ କ୍ଷେତରେ ଚରିବା ସମୟରେ ତାର ଏକ ଶୃଗାଳ ସହିତ ଦେଖା ହେଲା । ସଂଗେ ସଂଗେ ଦୁଇଜଣ ଯାକ ସାଂଗ ହୋଇ ଜଣକର କାକୁଡି କ୍ଷେତରେ ପଶିଲେ । ପେଟ ପୂରିବା ପର୍ଯ୍ୟନ୍ତ କାକୁଡି ଭାଂଗି ଖାଇଲେ । କାକୁଡି ଖିଆ ମଜାପାଇ ପ୍ରତିଦିନ ଦୁଇଜଣଯାକ ରାତିରେ ଯାଇ କାକୁଡି କିଆରୀରେ ପଶନ୍ତି ।
ଦିନେ ରାତିରେ ପୂର୍ଣ୍ଣିମା ଜହ୍ନର ନିର୍ମଳ କିରଣ ଚାରିଆଡେ ବିଛାଇ ହୋଇ ପଡିଥାଏ । ଥଣ୍ଡା ପବନ ମଧ୍ୟ ବହୁଥାଏ । କାକୁଡି ଖାଇବା ସମୟରେ ଗଧ ଶୃଗାଳକୁ କହିଲା, “ଭଣଜାରେ! ରାତିଟା ଭାରି ଭଲ ଲାଗୁଛି । ଏହି ରାତିରେ ଗୀତ ଗାଇବାକୁ ଭାରି ଇଚ୍ଛା ହେଉଛି । ଗଧର କଥା ଶୁଣି ଶୃଗାଳ କହିଲା, ‘ମାମୁଁ’ ଜମା ଗୀତ ଗାଅ ନାହିଁ । ଆମେ ଜଣକର କ୍ଷେତରେ ପଶି ଚୋରୀ କରୁଛେ । ଶାସ୍ତ୍ରରେ ପରା ଲେଖା ଅଛି, ଯେଉଁମାନେ ଚୁପ୍ ରହିପାରନ୍ତି ନାହିଁ, ସବୁସମୟରେ କାହାର ସେମାନେ ଚୋରୀ କରିବା ଅନୁଚିତ୍ । ତା’ପରେ ତୁମ କଣ୍ଠ ସ୍ୱର ତ’ ମଧୁର ନୁହେଁ । ବର୍ତ୍ତମାନ ଜଗୁଆଳୀମାନେ ଗଭୀର ନିଦରେ ଶୋଇ ପଡିଛନ୍ତି । ତୁମର କଣ୍ଠସ୍ୱର ଶୁଣି ସେମାନେ ହୁଏତ ଉଠି ଯାଇ ପାରନ୍ତି । ତା’ପରେ ଆମର ଅବସ୍ଥା କ’ଣ ହେବ ଚିନ୍ତା କରିପାରୁଛତ? ତେଣୁ ଦୟାକରି ତୁମେ ଗୀତ ଗାଅ ନାହିଁ ।”