ଶୃଗାଳ କଥା ଶୁଣି ଗଧ ମନେ ମନେ ରାଗିଯାଇ କହିଲା, ‘ତୁ ମୋତେ କ’ଣ ଭାବିଛୁ କିରେ? ମୋର କଣ୍ଠସ୍ୱର ମଧୁରନୁହେଁ । ମୋତେ ଗୀତ ଗାଇ ଆସିବନି? ଗୀତର ସ୍ୱର, ଲୟ ସବୁମୋତେ ଜଣା । ତା’ହେଲେ ଶୁଣ ମୁଁ କିପରି ଗୀତ ଗାଉଛି? ମାମୁଁର କଥା ଶୁଣି ଭଣଜା କହିଲା, ‘ସତରେ ତ’ ମାମୁଁ ତମର ସଂଗୀତ ଶାସ୍ତ୍ର ବିଷୟରେ ଢେର ଜ୍ଞାନ ଅଛି । ତୁମେ ମନଇଚ୍ଛା ଗୀତ ଗାଅ । ମୁଁ ଏହି ବାଡ ମୂଳରେ ଜଗି ବସିଛି । ଶୃଗାଳର କଥା ଶୁଣି ଗଧ କହିଲା, ତା’ହେଲେ ମୁଁ ଗୀତ ଗାଇବା ଆରମ୍ଭ କରିଦେଉଛି । ଗଧ ଯେମିତି ଗୀତ ଗାଇବାକୁ ଆରମ୍ଭ କଲା; ଶୃଗାଳ ସଂଗେ ସଂଗେ ସେ ସ୍ଥାନ ଛାଡି ପଳାଇଲା । ଗଧର ଗୀତ ଶୁଣି ଜଗୁଆଳୀ ମାନଙ୍କର ନିଦ୍ରାଭଙ୍ଗ ହେଲା । ସେମାନେ ଯେମିତି ଗଧକୁ କ୍ଷେତରେ ଦେଖିଲେ ସଂଗେ ସଂଗେ ପିଟିବାକୁ ଆରମ୍ଭ କରିଦେଲେ । ବିରାଡି, କୁକୁର, ଗଧ ଏମାନଙ୍କୁ ମାଡ ହେଲେ ଏମାନେ ସଂଗେ ସଂଗେ ମାଡ ଭୁଲିଯାଆନ୍ତି । ତେଣୁ ଶେଷରେ ଗଧର ବେକରେ ଏକ ପଥର ଝୁଲାଇ ତାର ମାଲିକ ନିକଟରେ ପହଁଚାଇ ଦେଲେ । ଶୃଗାଳ ଯେତେବେଳେ ମାମୁଁର ଏପରି ଅବସ୍ଥା ଦେଖିଲା ସେ ମନେ ମନେ ହସିଲା ।
କାହାଣୀଟି କହିସାରି ସୁବର୍ଣ୍ଣସିଦ୍ଧି କହିଲେ, ‘ତୁମେ ମୋ କଥା ନମାନିବାରୁ ଘୁରନ୍ତା ଚକ୍ର ହାବୁଡରେ ପଡିଗଲ । ଚକ୍ରଧର କହିଲେ, “ବଂଧୁ, ତୁମେ ଠିକ୍ କଥା କହିଛ । ବଂଧୁର ଉପଦେଶକୁ ଯେ ହେୟଜ୍ଞାନ କରେ ଶେଷରେ ମନ୍ଥରକ ତନ୍ତୀ ଯେଉଁ ଦୁର୍ଦ୍ଧଶା ଭୋଗିଥିଲା ସେହିପରି ଦୁର୍ଦ୍ଧଶା ଭୋଗ କରିବାକୁ ପଡେ ।” ସୁବର୍ଣ୍ଣ ସିଦ୍ଧି ଚକ୍ରଧରଙ୍କୁ ମନ୍ଥରକ ତନ୍ତୀ କାହାଣୀ ଶୁଣାଇବାକୁ କହିଲେ । ଚକ୍ରଧର କାହାଣୀ କହିବା ଆରମ୍ଭ କଲେ ।