ଦିନେ ରାଜ ଦରବାରରେ ରାଜାଙ୍କ ସହିତ ରାଜଗୁରୁ ଏବଂ ତେନାଲୀରାମା ବି ଉପସ୍ଥିତ ଥାଆନ୍ତି । ଶୀତ ଦିନ ଥାଏ । ସକାଳେ ତିନିଜଣ ଯାକ ଏକତ୍ରିତ ହୋଇ କୌଣସି ଏକ ବିଷୟରେ ଆଲୋଚନା କରୁଥାଆନ୍ତି । ସେହି ସମୟରେ ରାଜା କହିଲେ – ଶୀତ ଋତୁ ହେଉଛି ସବୁଠାରୁ ଉତ୍କୃଷ୍ଟ ସମୟ । ଏହି ସମୟରେ ଯାହା ଚାହିଁବ ତାହା ଖାଇବାକୁ ପାଇପାରିବ ।
ଖାଇବା କଥା ଶୁଣି ରାଜଗୁରୁଙ୍କ ପାଟିରେ ପାଣି ଆସିଗଲା । ସେ କହିଲେ – “ମହାରାଜ ! ଶୀତଦିନେ ମିଠାଇ ଖାଇବାକୁ ବହୁତ ଭଲ ଲାଗେ ।” ରାଜଗୁରୁଙ୍କ କଥାଶୁଣି ରାଜା କହିଲେ – “ଆଚ୍ଛା କହିଲ ଶୀତଦିନେ ସବୁଠାରୁ ଭଲ ମିଠାଇ କେଉଁଟା?” ସଙ୍ଗେ ସଙ୍ଗେ ରାଜଗୁରୁ ହାଲୁଆ, ମାଲପୁଆ, ଇତ୍ୟାଦି କେତେ ପ୍ରକାର ମିଠାର ନାମ କହିଗଲେ । ରାଜା କୃଷ୍ଣଦେବରାୟ ସଂଗେ ସଂଗେ ଏହି ମିଠାଇ ସବୁ ମଗାଇଲେ ଏବଂ ରାଜଗୁରୁଙ୍କୁ କହିଲେ – “ଟିକେ ଖାଇକରି କୁହନ୍ତୁତ’ ଏହା ମଧ୍ୟରୁ ସବୁଠାରୁ କେଉଁ ଗୋଟିକ ଭଲ ସୁସ୍ୱାଦୁ?”
ଏଣେ ସେ ରାଜଗୁରୁଙ୍କୁ ତ’ ସମସ୍ତ ଖାଦ୍ୟ ସୁସ୍ୱାଦୁ ଲାଗୁଥାଏ ତେଣୁ ଏବେ ସେ କେଉଁଟାକୁ ବା’ ଭଲ କହିବେ? ତାପରେ ରାଜା ତେନାଲୀରାମାଙ୍କୁ ସେହି ପ୍ରଶ୍ନ ପଚାରିବାରୁ ସେ କହିଲେ – “ଏପରି ଏକ ମିଠା ଅଛି ଯାହାକି ସବୁଠାରୁ ମିଠା ଅଟେ । କିନ୍ତୁ ତାହା ଏହି ନଗରରେ ମିଳିବ ନାହିଁ । ତେନାଲୀରାମାଙ୍କର ଏ ପ୍ରକାର କଥା ଶୁଣି ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ – “ତା’ହେଲେ ଏ ପ୍ରକାର ମିଠେଇ କେଉଁଠାରେ ମିଳିବ? ଆଉ ଏହି ମିଠେଇର ନାମ କ’ଣ?”