ନାରଣପୁର ଗ୍ରାମରେ ଶମ୍ଭୁ ନାମକ ଜଣେ ଧନୀ ଥିଲେ । ତାଙ୍କର ଗୋଟିଏ ମାତ୍ର ଝିଅ ଥାଏ, ତା’ର ନାମ କମଳା । କମଳା ଦେଖିବାକୁ ବହୁତ ସୁନ୍ଦର, ଧନୀପିତାଙ୍କର ସେ ଏକମାତ୍ର ଉତ୍ତରାଧିକାରୀ । ତେଣୁ ସେଠାକୁ ସବୁଦିନେ ଲୋକେ ବିବାହ ପ୍ରସ୍ତାବ ନେଇ ଆସୁଥାନ୍ତି । କିନ୍ତୁ କମଳା ତା’ର ବାପାଙ୍କ ସହକାରୀ ବିବେକ୍କୁ ମନେ ମନେ ବହୁତ ପସନ୍ଦ କରିଥାଏ ।
ବିବେକ ଅତ୍ୟନ୍ତ ସତ୍ ସ୍ୱଭାବର ପିଲା, ବୁଦ୍ଧିମାନ୍, ଗୁଣୀ ଏବଂ ସାହସୀ ମଧ୍ୟ । କିନ୍ତୁ ଦରିଦ୍ର, ସଂସାରରେ ନିଜର ବୋଲି ତା’ର ଆଉ କେହିବି ନାହିଁ । କମଳା ଦେଖିଲା ବାପା ତାରି ବିବାହ ପାଇଁ ପ୍ରାୟ ବ୍ୟସ୍ତ ରହୁଛନ୍ତି । ତାଙ୍କର ବର ପସନ୍ଦ ହେଉନାହିଁ । ଦିନେ ସେ କମଳା ମୁହଁ ଖୋଲି କହିଲା, “ଏତେ ଖୋଜିବାର ଦରକାର କ’ଣ? ଘରେ ତ ବର ରହିଛି । ବିବେକ୍ ଠାରୁ ଆଉ ଭଲ ପିଲା କ’ଣ କିଏ ଅଛି? ସେ ଏ ଘରେ ଜୁଆଁଇ ହେଲେ ମନ ଦେଇ ସବୁ କାମ ବୁଝିବ ଓ ତା’ର ମଧ୍ୟ ଅନ୍ୟ କୁଆଡେ ଯିବାର ଉପାୟ ନାହିଁ । ଏପରି ହେଲେ ମୁଁ ମଧ୍ୟ ସବୁଦିନେ ତୁମ ପାଖରେ ରହିବି ।”
ଏକଥା ଶୁଣି ଶମ୍ଭୁ ଏତେ ମାତ୍ରାରେ ରାଗିଗଲେ ଯେ, ସେ ବିବେକକୁ ତାଙ୍କ ଘରୁ ସିଧା ତଡିଦେଲେ । କମଳା ଓ ତା’ର ମା ବହୁତ ପରେ ଜାଣିଲେ ଯେ ଏପରି ଘଟଣା ହୋଇଛି । ସେମାନେ ଦୁଃଖ କଲେ । କମଳା କହିଲା ଯେ ସେ ଅନ୍ୟ କାହାକୁ କଦାପି ବିବାହ କରିବ ନାହିଁ । ଝିଅ ନିଜ ଜିଦିରେ ଅଟଳ ରହିଲା । ବାପା ମଧ୍ୟ କିଛି ଦିନ ଧରି ଝିଅର କୌଣସି କଥାକୁ ଶୁଣିଲେ ନାହିଁ ।
ଶମ୍ଭୁଙ୍କର ସ୍ତ୍ରୀ ଝିଅ କଥାକୁ ମୂଲ୍ୟ ଦେଉଥା’ନ୍ତି । ତେଣୁ ସେ ଶମ୍ଭୁଙ୍କୁ କହିଲେ, “ଦେଖ, ଝିଅ ଯଦି ତା’ମନରେ ଜଣକୁ ପସନ୍ଦ କରିଛି ତେବେ ତ ତାକୁ ସେହିଠାରେ ବାହା ଦେବା ଉଚିତ୍ ହେବ । ଭାବି ଦେଖ ଅନ୍ୟ କେଉଁଠି ଝିଅକୁ ବାହାଦେଲେ ଝିଅ ତା’ ଶ୍ୱଶୁର ଘରକୁ ଚାଲିଯିବ । ଆମର ତ ଗୋଟିଏ ବୋଲି ଝିଅ, ନୟନର ମଣି, ସେ ଆମ ଠାରୁ ଦୂରରେ ରହିଲେ ଆମେ ସହି ପାରିବାଟି? କିନ୍ତୁ ବିବେକକୁ ବାହା ଦେଲେ ଝିଅ ଜ୍ୱାଇଁ ଆମ ଘରେ ରହିବେ । ଆମ ଧନ ଆମ ଘରେ ରହିବ । ତମେହିଁ ତ ନିଜେ ବିବେକକୁ ଖୁବ୍ ପ୍ରଶଂସା କରୁଥିଲ । ଆଜି ଆମ ଝିଅ ତାକୁ ପସନ୍ଦ କରିଦେଲା ବୋଲି ସବୁ ଏମିତି ବିଗିଡି ଗଲା ଯେ ତୁମେ ତାକୁ ଘରୁ ବାହାର କରିଦେଲ? ଶତଧିକ ତୁମର ବୁଦ୍ଧି ବିବେକକୁ । ଏବେ, ନା ଝିଅ ବାହାହେବ, ନା ମଣିଷ ଟିକିଏ ସ୍ୱସ୍ତିରେ ରହିବ । ତୁମ ମନରେ ଶେଷକୁ ଏଇଆ ଥିଲା?” ଏତିକି କହି ସେ ବସି ଖାଲି କାନ୍ଦିଲେ ।