ଦୁଇ ଶହ ବର୍ଷ ପୂର୍ବରୁ ମେସୁର କ୍ଷେତ୍ରରେ ‘ନିଜଗଲ୍ଲ’ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟର ରାଜାଙ୍କର ନାମ ରାମସ୍ୟ ନାୟକ ଥିଲା । ସେ ଜଣେ ବୀର ଏବଂ ସହୃଦୟ ଶାସକ ଥିଲେ । ତାଙ୍କର ମୁଖ୍ୟ ରାଣୀଙ୍କର ନାମ ‘ଲକୁମବା’ ଥିଲା ।
ସେ ରାଜାଙ୍କ ପାଖରେ ସମସ୍ତ ପ୍ରକାର ବୈଭବ ଏବଂ ଐଶ୍ୱର୍ଯ୍ୟ ଭରି ରହିଥିଲା । ବିବାହର ଦୁଇ ବର୍ଷ ବିତିଗଲା କିନ୍ତୁ ତାଙ୍କର କୌଣସି ସନ୍ତାନସନ୍ତତି ହେଲେ ନାହିଁ । ସେମାନେ ସବୁ ପ୍ରକାର ପୂଜା କରାଇଲେ, ତୀର୍ଥଯାତ୍ରା ବି କଲେ କିନ୍ତୁ ସେଥିରୁ ତାଙ୍କୁ କୌଣସି ମଧ୍ୟ ସୁଫଳ ମିଳିଲା ନାହିଁ ।
ଲକୁମବାଙ୍କର ମନ ସର୍ବଦା ଚିନ୍ତାରେ ଅଶାନ୍ତ ରହିଲା । ଯେତେହେଲେ ବି ରାଜ୍ୟ ପାଇଁ ଯୁବରାଜ ତ ଆବଶ୍ୟକ । ଯୁବରାଜ ଥିଲେ ହିଁ ଶାସନ ଠିକ୍ ଭାବରେ ଚାଲିପାରିବ ନଚେତ୍ ରାଜ୍ୟରେ ଅରାଜକତା ବ୍ୟାପୀ ଯିବ । ତେଣୁ ସେ ଚିନ୍ତାରେ ପଡିଗଲେ । ବହୁତ ଚିନ୍ତା କରି ତାଙ୍କ ମନକୁ ଗୋଟିଏ ଉପାୟ ଆସିଲା । ତୁରନ୍ତ ସେ ନିକଟରେ ଥିବା ଜଣେ ସଂପର୍କୀୟଙ୍କ ପାଖକୁ ଖବର ଦେଲେ । ତାଙ୍କୁ ଆଣି ନିଜର ସାଥୀ ଭାବରେ ପାଖରେ ରଖିଲେ । ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ଏବଂ ଗୁଣବତୀ ଥିଲେ । ତାଙ୍କର ନାମ ‘ଗିରିଜବା’ ଥିଲା ।
ଗିରିଜବା ବିଷୟରେ ମୁଖ୍ୟ ରାଣୀ ରାଜାଙ୍କୁ ବହୁତ ପ୍ରଶଂସା କରି କହିଲେ । ସେ ରାଜାଙ୍କ ନିକଟରେ ଅନୁନୟ କଲେ ଯେ କୌଣସି ପ୍ରକାରେ ସେ ଗିରିଜବାଙ୍କ ସହିତ ବିବାହ କରନ୍ତୁ । ପ୍ରଥମେ ପ୍ରଥମେ ତ ସେ ରାଜା ଏ କଥା ସ୍ୱୀକାର କଲେ ନାହିଁ । କିନ୍ତୁ ରାଣୀ ବାରମ୍ବାର ଅନୁରୋଧ କରିବା ପରେ ସେ ଗିରିଜବାଙ୍କୁ ରାଣୀ କରିବା ପାଇଁ ରାଜି ହେଲେ ।
ରାଜାଙ୍କ ସହିତ ଗିରିଜବାଙ୍କର ବିବାହ ସଂପନ୍ନ ହେବା ପରେ, ଲକୁମବାଙ୍କର ସଂକଳ୍ପ କିଛି ଅଂଶରେ ପୂର୍ଣ୍ଣ ହେଲା । କିନ୍ତୁ ଗିରିଜବାଙ୍କ ବିବାହ ପରେ, ତାଙ୍କର ମାଆ ଅଧିକାର ସାବ୍ୟସ୍ତ କରିବାକୁ ଲାଗିଲେ । ସେ ତାଙ୍କର ଝିଅକୁ କୁ-ଶିକ୍ଷା ଦେଉଥିଲେ । ‘ଲକୁମବାଙ୍କର କଥା ଯେପରି କାର୍ଯ୍ୟକାରୀ ନହୁଏ । ତୁମକୁ ହିଁ ରାଜା ଅଧିକ ଭଲ ପାଆନ୍ତି, ତେଣୁ ତାଙ୍କ ଉପରେ ଅଧିକାର ସାବ୍ୟସ୍ତ କରି ନିଜର ଫାଇଦା ହାସଲ କର ।’
ମାଆ ଏହିପରି ଭାବରେ ଯେତେ କୁ-ଶିକ୍ଷା ଦେଲେ ମଧ୍ୟ ଗିରିଜବାଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । କାହିଁକିନା ସେ ମୁଖ୍ୟ ରାଣୀଙ୍କ ପ୍ରତି କୃତଜ୍ଞ ଥିଲେ । ଏହାର କାରଣ କେବଳ ତାଙ୍କର ଅନୁଗ୍ରହରୁ ହିଁ ସେ ରାଣୀ ହେବାର ସୌଭାଗ୍ୟ ପାଇଥିଲେ । ତେଣୁ ସେ ମୁଖ୍ୟ ରାଣୀଙ୍କର ଅନାଦର କଦାପି ମଧ୍ୟ କରୁ ନଥିଲେ । କୌଣସି ପ୍ରକାରେ ସୌଭାଗ୍ୟବଶତଃ ଗିରିଜବାଙ୍କ ଗର୍ଭରୁ ପୁତ୍ର ସନ୍ତାନଟିଏ ଜନ୍ମ ନେଲା । ଏହି ଶୁଭ ଖବର ପାଇ ରାଜା, ପ୍ରଜା ଯେତିକି ଖୁସି ନ ହେଲେ ତାହାଠାରୁ ଢେର୍ ଅଧିକ ଖୁସି ହେଲେ ଲକୁମବା । ଉତ୍ସବ ପାଳନ କରାଗଲା ।