ଗିରିଜବାଙ୍କର କସ୍ତୁରୀ ନାୟକ ନାମକ ଏକ ଛୋଟ ଭାଇ ଥିଲା । ତା’ର ସ୍ୱଭାବ ଥିଲା ଭାରି ଦୁଷ୍ଟ । ସେ ମଧ୍ୟ ମୁର୍ଖଟିଏ ଥିଲା । ସେ କୁସଂଗରେ ପଡି କୁପଥଗାମୀ ହୋଇଥିଲା । ଗିରିଜବାଙ୍କ ବିବାହ ପରଠାରୁ ସେ ମଧ୍ୟ ମହଲାରେ ରହିବା ପାଇଁ ଆସିଥିଲା । ରାଣୀ ସାହେବାଙ୍କର ଭାଇ ହୋଇଥିବା କାରଣରୁ ସେ ରାଜ୍ୟରେ ମଧ୍ୟ ତାଙ୍କୁ ଢେର୍ ଅଧିକାର ଓ ଆଦର ମିଳୁଥିଲା ।
ହଠାତ୍ ଦିନେ ଶତ୍ରୁ ସେନା ମହଲକୁ ପଶି ଆସିଲେ । ତାହାର କାରଣ ଥିଲା କସ୍ତୁରୀ ନାୟକ । ସେ ଶତ୍ରୁମାନଙ୍କ ସହିତ ଷଡଯନ୍ତ୍ର କରି ନିଜର ଭିଣୋଇକୁ ଗାଦିଚ୍ୟୁତ କରି ନିଜେ ସିଂହାସନ ଆରୋହଣ କରିବାକୁ ଚାହୁଁଥିଲା । ମନରେ ଏହି ଦୁଷ୍ଟ ଉଦ୍ଧେଶ୍ୟ ରଖି ସେ ଉପରେ ଉପରେ ରାଜାଙ୍କ ସହିତ ମିଳାମିଶା କରୁଥିଲା । କସ୍ତୁରୀ ନାୟକକୁ ବିଶ୍ୱାସ କରି ରାଜା ତାକୁ ସେନାପତି ପଦରେ ନିଯୁକ୍ତ କରିଥିଲେ ।
ସେନାପତି ପଦରେ ଥିବାରୁ, କସ୍ତୁରୀ ନାୟକଙ୍କୁ ଭଲ ସୁଯୋଗ ମିଳିଗଲା । ସେ ଆଖପାଖର ରାଜାଙ୍କ ସହିତ ମିଶି ଷଡଯନ୍ତ୍ର ରଚନା କଲା । ସେମାନଙ୍କୁ ଖବର ପଠାଇଲା ଯେ ‘ଏହି ଦିନ-ରାତ୍ରି ସମୟରେ ତୁମ୍ଭେମାନେ ଆକ୍ରମଣ କରିବ । ମୁଁ କିଲ୍ଲାର କବାଟ ଖୋଲିବାର ବ୍ୟବସ୍ଥା କରିଦେବି ।’
କସ୍ତୁରୀ ନାୟକର କହିବା ମୁତାବକ ଶତ୍ରୁ ସେନା ଅଧରାତିରେ କିଲ୍ଲା ଉପରେ ଆକ୍ରମଣ କରି କିଲ୍ଲା ଭିତରକୁ ପ୍ରବେଶ କଲେ । ବିଶ୍ୱାସଘାତକ କସ୍ତୁରୀ ନାୟକ ଯେତେବେଳେ ଶତ୍ରୁମାନଙ୍କର ଆକ୍ରମଣର ମୁକାବିଲା କରିବାର ଅଭିନୟ କଲା ଠିକ୍ ସେତିକିବେଳେ ତାହାର ଷଡଯନ୍ତ୍ର ବିଷୟରେ ଜଣାପଡିଗଲା । ଅବଶୋଷର କଥା ଯେ ସେ ଯୁଦ୍ଧରେ ରାଜା ବୀରଗତି ପ୍ରାପ୍ତ କଲେ । ତା’ପରେ ନିଜଗଲ୍ଲ ଚିରଦିନ ଲାଗି ଶତ୍ରୁମାନଙ୍କ ହାତକୁ ଚାଲିଗଲା । ଏଥୁଅନ୍ତେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଗଲା ।
କସ୍ତୁରୀ ନାୟକ ଶତ୍ରୁ ଦଳର ସେନାପତିକୁ ପ୍ରାର୍ଥନା କରି କହିଲା ଯେ ତାକୁ ରାଜା ଭାବରେ ସିଂହାସନରେ ଅଧିଷ୍ଠିତ କରାଯାଉ । କିନ୍ତୁ ଶତ୍ରୁ ସେନାପତି ଗିରିଜବାଙ୍କର ସୌନ୍ଦର୍ଯ୍ୟକୁ ଦେଖି ଆଉ ଏକ ନୂଆ ସର୍ତ୍ତ ରଖିଲେ । ସେହି ସର୍ତ୍ତଟି ଥିଲା ଯେ ଯଦି ଗିରିଜବା ତାଙ୍କ ସହିତ ବିବାହ କରିବେ ତେବେ ତାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପୁତ୍ରକୁ ରାଜା କରି ସେ କସ୍ତୁରୀ ନାୟକଙ୍କୁ ରାଜ ପ୍ରତିନିଧି ରୂପରେ ନିଯୁକ୍ତ କରିବେ ।
ଅନ୍ୟ କୌଣସି ଉପାୟ ନଥିବାରୁ କସ୍ତୁରୀ ନାୟକ ଶେଷରେ ତାଙ୍କର ସବୁ ସର୍ତ୍ତ ମାନିନେଲେ । ଗିରିଜବାର ମତ କଣ ଜାଣିବା ପାଇଁ ଦୁହେଁ ମିଶି ଗିରିଜବା ପାଖକୁ ଗଲେ । ଶତ୍ରୁ ସେନାପତି ତାଙ୍କ ସମ୍ମୁଖରେ ପ୍ରସ୍ତାବ ରଖି ତୁରନ୍ତ ଜବାବ୍ ମାଗିଲେ । ଗିରିଜବା କହିଲେ, ‘ଯଦି ମୋର ଭାଇ ସ୍ୱୀକାର କରିଛନ୍ତି ତେବେ ଏଥିରେ ମୋର କିଛି ଆପତ୍ତି ନାହିଁ ।’